ନେଦରଲାଣ୍ଡ୍‍ସର ବିପୁଳ ବିଜୟ ; ୭-୦ରେ ମାଲେସିଆ ପରାସ୍ତ

0

ଭୁବନେଶ୍ୱର : ଶକ୍ତିଶାଳୀ ନେଦରଲାଣ୍ଡ୍‍ସ ଏକ ସହଜସାଧ୍ୟ ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। ଶନିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପୁଲ ‘ଡି’ର ପ୍ରଥମ ମ୍ୟାଚରେ ନେଦରଲାଣ୍ଡ୍‍ସ ୭-୦ ଗୋଲରେ ମାଲେସିଆକୁ ପରାସ୍ତ କରିଛି। ଏସୀୟ କ୍ରୀଡାର ରୌପ୍ୟପଦକ ବିଜେତା ମାଲେସିଆ ଏହି ମ୍ୟାଚରେ ନେଦରଲାଣ୍ଡ୍‍ସର ଉଚିତ ମୁକାବିଲା କରିବ ବୋଲି ହକିପ୍ରେମୀ ଆଶା କରୁଥିଲେ। ତେବେ ସୁସଂଗଠିତ ନେଦରଲାଣ୍ଡ୍‍ସ ଦଳ ପ୍ରାରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଏହି ମୁକାବିଲାକୁ ଏକତରଫା ଭାବେ ହାତେଇ ନେଇଛି। ଏହି ବିଜୟ ଫଳରେ ନେଦରଲାଣ୍ଡ୍‍ସକୁ ୩ ପଏଣ୍ଟ ମିଳିଥିବାବେଳେ ମାଲେସିଆ କୌଣସି ପଏଣ୍ଟ ପାଇନାହିଁ। ଏହି ମ୍ୟାଚରେ ହାଟ୍ରିକ ଅର୍ଜନ କରିଥିବା ନେଦରଲାଣ୍ଡ୍‍ସ ଖେଳାଳି ଜେରନ ହର୍ଜବର୍ଗର ‘ପ୍ଲେୟାର ଅଫ୍‍ ଦି ମ୍ୟାଚ’ ବିବେଚିତ ହୋଇଛନ୍ତି।
ପ୍ରଥମ କ୍ୱାର୍ଟର ଆରମ୍ଭରୁ ନେଦରଲାଣ୍ଡ୍‍ସ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା। ୫ ମିନିଟରେ ଅଭିଜ୍ଞ ମିଡ୍‍ଫିଲ୍ଡର ରବର୍ଟ କେମ୍ପରମ୍ୟାନଙ୍କ ଶକ୍ତିଶାଳୀ ସଟ୍‍କୁ ମାଲେସିଆ ଗୋଲରକ୍ଷକ ସୁବ୍ରମଣ୍ୟମ କୁମାର ଅଟକାଇଥିଲେ। ୧୦ ମିନିଟରେ ନେଦରଲାଣ୍ଡ୍‍ସକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ମିଙ୍କ୍‍ ଭାନ୍‍ ଡର୍‍ ୱିର୍ଡେନଙ୍କ ସଟ୍‍କୁ ମାଲେସୀୟ ରକ୍ଷଣଭାଗ ଖେଳାଳି ଅଟକାଇଥିଲେ। ତେବେ ଭିଡିଓ ଫୁଟେଜକୁ ଅନୁଧ୍ୟାନ କରି ଅମ୍ପାୟାର ନେଦରଲାଣ୍ଡ୍‍ସକୁ ଦ୍ୱିତୀୟ ପେନାଲଟି କର୍ଣ୍ଣର ସୁଯୋଗ ଦେଇଥିଲେ। ଜେରନ ହର୍ଜବର୍ଗର କୌଣସି ତ୍ରୁଟି ନ ଦର୍ଶାଇ ଏହାକୁ ଗୋଲରେ ପରିବର୍ତ୍ତନ କରିବା ସହ ଦଳକୁ ୧-୦ରେ ଆଗୁଆ କରିଥିଲେ। ମାଲେସିଆ ଖେଳାଳି ଏହାର ପ୍ରତିବାଦ କରିଥିଲେ ସୁଦ୍ଧା ଅମ୍ପାୟାରଙ୍କ ନିଷ୍ପତ୍ତି କାଏମ ରହିଥିଲା। ୧୪ ମିନିଟରେ ମାଲେସିଆକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଏହା ବେକାର ଯାଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ନେଦରଲାଣ୍ଡ୍‍ସ ଖେଳାଳିଙ୍କ ପତିଆରା ପୂର୍ବପରି ରହିଥିଲା। ୧୭ ମିନିଟରେ ଦଳକୁ ଦ୍ୱିତୀୟ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ହର୍ଜବର୍ଗରଙ୍କ ସଟ୍‍ ମାଲେସୀୟ ଡିଫେଣ୍ଡରଙ୍କ ଗୋଡରେ ବାଜିବା ଫଳରେ ଅମ୍ପାୟାର ପୁଣି ପେନାଲଟି କର୍ଣ୍ଣର ନିର୍ଦେଶ ଦେଇଥିଲେ। ମାଲେସିଆ ଗୋଲରକ୍ଷକ ଏହି ଉଦ୍ୟମକୁ ମଧ୍ୟ ଭଣ୍ଡୁର କରିଦେଇଥିଲେ। ୨୧ ମିନିଟରେ ମିର୍କୋ ପ୍ରୁସ୍‍ଜରଙ୍କ ଫିଲ୍ଡ ଗୋଲ ଯୋଗୁଁ ନେଦରଲାଣ୍ଡ୍‍ସ ୨-୦ ଗୋଲରେ ଆଗୁଆ ରହିଥିଲା। ୨୪ ମିନିଟରେ ବିଲି ବାକେର ଗୋଲ ଦେବାର ସୁଯୋଗ ସୃଷ୍ଟି କରିଥିଲେ ସୁଦ୍ଧା ତାଙ୍କ ସଟ୍‍କୁ କୁମାର ଅଟକାଇଥିଲେ। ୨୮ ମିନିଟରେ ପ୍ରୁସଜରଙ୍କଠାରୁ ପାସ୍‍ ପାଇ ହର୍ଜବର୍ଗର ଗୋଲ ସ୍କୋର କରିବା ଫଳରେ ମଧ୍ୟାନ୍ତର ସୁଦ୍ଧା ନେଦରଲାଣ୍ଡ୍‍ସ ୩-୦ ଗୋଲରେ ଆଗୁଆ ରହିଥିଲା।
ତୃତୀୟ କ୍ୱାର୍ଟର ପ୍ରାରମ୍ଭରେ ନେଦରଲାଣ୍ଡ୍‍ସ ଖେଳାଳି ପ୍ରୁସ୍‍ଜରଙ୍କ ସଟ୍‍ ମାଲେସିଆ ଗୋଲପୋଷ୍ଟ କ୍ରସବାରରେ ବାଜିବାରୁ ଦଳ ଆଉ ଏକ ଗୋଲ ଦେବାରୁ ବଞ୍ଚିତ ହୋଇଥିଲା। ୩୪ ମିନିଟରେ ଅଧିନାୟକ ବାକେରଙ୍କ ସଟ୍‍ ପ୍ରତିପକ୍ଷ ଗୋଲପୋଷ୍ଟ ସାଇଡ୍‍ବାରରେ ବାଜି ବାହାରକୁ ଚାଲିଯାଇଥିଲା। ୩୫ ମିନିଟରେ ନେଦରଲାଣ୍ଡ୍‍ସକୁ ୪ର୍ଥ ପେନାଲଟି କର୍ଣ୍ଣର ମିଳିଥିଲା। ମିଙ୍କ୍‍ ଭାନ୍‍ ଡର୍‍ ୱିର୍ଡେନ ଏହାକୁ ଗୋଲରେ ପରିବର୍ତ୍ତନ କରିବା ଫଳରେ ନେଦରଲାଣ୍ଡ୍‍ସର ସ୍କୋରଲାଇନ ୪-୦କୁ ବୃଦ୍ଧି ପାଇଥିଲା। ୩୭ ମିନିଟରେ ଭାନ୍‍ ଆସ୍‍ ସେଭିଙ୍କ ସଟ୍‍କୁ ମାଲେସିଆ ଗୋଲରକ୍ଷକ ଅଟକାଇଥିଲେ। ୪୨ ମିନିଟରେ ରବର୍ଟ କେମ୍ପରମ୍ୟାନ ଦଳ ପକ୍ଷରୁ ୫ମ ଗୋଲ ସ୍କୋର କରିଥିଲେ। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ନେଦରଲାଣ୍ଡ୍‍ସ ଦଳ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଦଳୀୟ ଖେଳାଳି ଅଧିକାଂଶ ସମୟ ବଲକୁ ନିଜ ନିୟନ୍ତ୍ରଣରେ ରଖିଥିବାବେଳେ ମାଲେସିଆ ଦଳ ଗୋଲ ଦେବାର କୌଣସି ସୁଯୋଗ ସୃଷ୍ଟି କରିପାରିନଥିଲେ। ୫୬ ମିନିଟରେ ମାଲେସିଆ ରକ୍ଷଣଭାଗ ଖେଳାଳିଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଥିଏରି ବ୍ରିଙ୍କ୍‍ମ୍ୟାନ ଗୋଲ ସ୍କୋର କରିବା ଫଳରେ ନେଦରଲାଣ୍ଡ୍‍ସର ଗୋଲ ବ୍ୟବଧାନ ୬-୦କୁ ବୃଦ୍ଧି ପାଇଥିଲା। ମ୍ୟାଚର ଅନ୍ତିମ ଲଗ୍ନ ଅର୍ଥାତ ୬୦ ମିନିଟରେ ହର୍ଜବର୍ଗର ମଝି ପଡିଆରୁ ଏକାକୀ ବଲ ନେଇ ମାଲେସିଆ ଡି ମଧ୍ୟରେ ପ୍ରବେଶ କରିବା ସହ ଗୋଲରକ୍ଷକଙ୍କୁ ପରାସ୍ତ କରି ଚମତ୍କାର ଫିଲ୍ଡ ଗୋଲ ଦେଇଥିଲେ। ଫଳରେ ନିର୍ଦ୍ଧାରିତ ସମୟରେ ନେଦରଲାଣ୍ଡ୍‍ସ ୭-୦ ଗୋଲରେ ବିଜୟୀ ହୋଇଥିଲା।

Leave A Reply