ନେତାଜୀଙ୍କ ଟୋପି ହଜିବା ନେଇ କେନ୍ଦ୍ରର ଜବାବ ; ଭିକ୍ଟୋରିଆ ସ୍ମୃତି ସୌଧକୁ ଉଧାର ଦିଆଯାଇଛି

ନୂଆଦିଲ୍ଲୀ : ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଟୋପି ହଜିବା କିମ୍ବା ସ୍ଥାନାନ୍ତରକୁ ନେଇ ତାଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ କରିଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଜବାବ ରଖିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଓ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା କହିଛି ଯେ ନେତାଜୀଙ୍କ ଟୋପି ହଜି ନାହିଁ କି ଏହାକୁ ଅନ୍ୟତ୍ର କୌଣସି ସ୍ଥାନାନ୍ତର କରାଯାଇ ନାହିଁ। ନେତାଜୀଙ୍କ ଟୋପିକୁ କଲକାତାର ଭିକ୍ଟୋରିଆ ସ୍ମୃତି ସୌଧକୁ ଉଧାର ସୂତ୍ରରେ ଦିଆଯାଇଛି। ଚଳିତବର୍ଷ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନ ଲାଗି କଲକାତାରେ ଆୟୋଜିତ ଉତ୍ସବ ଲାଗି ଏହି କିମ୍ବଦନ୍ତୀଙ୍କ ଟୋପିକୁ ଧାର ଦିଆଯାଇଛି। ନେତାଜୀଙ୍କ ଏହି ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ।
ଉତ୍ସବ ଲାଗି ନେତାଜୀଙ୍କ ଟୋପିକୁ ୬ମାସ ପାଇଁ ଭିକ୍ଟୋରିଆ ସ୍ମୃତି ସୌଧକୁ ଧାର ଦିଆଯାଇଥିଲା। ଟୋପି ଧାର ଦିଆଯିବା ସମ୍ପର୍କରେ ଚନ୍ଦ୍ର କୁମାର ବୋଷ ଓ ତାଙ୍କ ପରିବାର ଲୋକ ଅବଗତ ଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ନେତାଜୀଙ୍କ ଜୟନ୍ତୀ ପାଇଁ କେନ୍ଦ୍ର ସରକାର ବର୍ଷ ବ୍ୟାପୀ ଉତ୍ସବର ଆୟୋଜନ କରିଛନ୍ତି। ୨୦୨୧ ଜାନୁଆରୀ ୨୩ରୁ ଏହି ଉତ୍ସବ ପାଳନ କରାଯାଉଥିବାରୁ ନେତାଜୀଙ୍କ ସମ୍ପର୍କିତ ଅନେକ କିଛି ଜିନିଷ ଭିକ୍ଟୋରିଆ ସ୍ମୃତି ସୌଧକୁ ଧାର ଦିଆଯାଇଛି। ନେତାଜୀଙ୍କ ଜୟନ୍ତୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଭିକ୍ଟୋରିଆ ସ୍ମୃତି ସୌଧରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଠାରେ ନେତାଜୀଙ୍କ ଟୋପି ସହିତ ଅନ୍ୟାନ୍ୟ ଜିନିଷ ପ୍ରଦର୍ଶନ କରାଯାଇଥିଲା। ଚନ୍ଦ୍ର କୁମାର ଓ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏହି ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା। ତେବେ ଟୋପି ହଜିବା କିମ୍ବା ସ୍ଥାନାନ୍ତରକୁ ନେଇ ଚନ୍ଦ୍ର କୁମାର ଅଯଥା ବିବାଦ ସୃଷ୍ଟି କରୁଥିବା କୁହାଯାଇଛି। ଏପରିକି ବିବାଦରେ ପ୍ରଧାନମନ୍ତ୍ରୀଙ୍କ ନାମ ଯୋଡିବାର ଉଦ୍ୟମ କରୁଛନ୍ତି।
୨୦୧୯ ଜାନୁଆରୀ ୨୩ରେ ଦିଲ୍ଲୀର ଲାଲକିଲ୍ଲାରେ କେନ୍ଦ୍ର ସରକାର ନେତାଜୀଙ୍କ ନାମରେ ଏକ ସଂଗ୍ରହାଳୟ ଖୋଲିଥିଲେ। ସଂଗ୍ରହାଳୟକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ନେତାଜୀଙ୍କ ପରିବାର ସଂଗ୍ରହାଳୟକୁ ନେତାଜୀଙ୍କର ଏକ ଟୋପିକୁ ଦାନ ଉଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ।

Comments are closed.