ନେତାଜୀଙ୍କ ସମ୍ପର୍କରେ ଅନୁଧ୍ୟାନ ନିମନ୍ତେ ଭାରତୀୟ ଗବେଷକଙ୍କୁ ତାଇୱାନର ନିମନ୍ତ୍ରଣ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ଅଧିକ ଅନୁସନ୍ଧାନ ନିମନ୍ତେ ତାଇୱାନ ସରକାର ଭାରତୀୟ ଗବେଷକଙ୍କୁ ନିମନ୍ତ୍ରଣ କରିଛନ୍ତି। ନେତାଜୀଙ୍କ ସମ୍ପର୍କରେ ଅନେକ ତଥ୍ୟ ତାଇୱାନର ଜାତୀୟ ସଂଗ୍ରହାଳୟରେ ରହିଥିବାବେଳେ ଏହା ଉପରେ ଗବେଷଣା ନିମନ୍ତେ ସରକାର ଆଗ୍ରହ ପ୍ରକାଶ କରିଛନ୍ତି। ତାଇୱାନରେ ନେତାଜୀ ଶେଷ ଥର ପାଇଁ ଦେଖାଦେଇଥିଲେ। ୧୯୪୫ରେ ନେତାଜୀ ତାଇୱାନରେ ନିଖୋଜ ହୋଇଯାଇଥିଲେ। ଏଠାରେ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା ନେଇ କୁହାଯାଇଆସୁଛି। ମାତ୍ର ଏ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ। ଭାରତରେ ଅବସ୍ଥାପିତ ତାଇୱାନର ଉପ ରାଷ୍ଟ୍ରଦୂତ ମୁମିନ ଚେନ କହିଛନ୍ତି ଯେ ଭାରତର ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ସମ୍ପର୍କରେ ଗବେଷଣା ନିମନ୍ତେ ତାଙ୍କ ଦେଶର ଜାତୀୟ ସଂଗ୍ରହାଳୟ ଭାରତୀୟ ଗବେଷକଙ୍କ ନିମନ୍ତେ ଉନ୍ମୁକ୍ତ। ନେତାଜୀ ଓ ଭାରତର ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ଅନେକ ଐତିହାସିକ ତଥ୍ୟ ତାଇୱାନରେ ରହିଛି। ଏହି ତଥ୍ୟ ସମ୍ପର୍କରେ ଭାରତର କମ୍ ସଂଖ୍ୟକ ଗବେଷକ ଅନୁଧ୍ୟାନ କରିଛନ୍ତି। ଏ ସମ୍ପର୍କରେ ଗବେଷଣା ପରେ ଆହୁରି ଅନେକ ରିପୋର୍ଟ ଉପସ୍ଥାପନ କରାଯାଇପାରିବ।

ତାଇୱାନ ରାଷ୍ଟ୍ରଦୂତ ମୁମିନ୍‌ କହିଛନ୍ତି ଯେ ନେତାଜୀଙ୍କ ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ଅନେକ ତଥ୍ୟ ବିଦେଶ ମାଟିରେ ରହିଛି। ଆଫଗାନିସ୍ତାନ, ମ୍ୟାଁମାର, ଜାପାନ, ସିଙ୍ଗାପୁର ଓ ୟୁରୋପରେ ନେତାଜୀଙ୍କ ସମ୍ପର୍କରେ ତଥ୍ୟ ରହିଛି। ୧୯୩୦ରୁ ୧୯୪୦ ପର୍ଯ୍ୟନ୍ତ ତାଇୱାନରେ ନେତାଜୀଙ୍କ ବହୁତ ବଡ ପ୍ରଭାବ ରହିଥିଲା। ଏହି ସମୟରେ ତାଇୱାନ ଜାପାନର ଅଧୀନରେ ରହିଥିଲା। ଜାପାନୀମାନେ ବିତାଡିତ ହେବା ପରେ ଚିଆଙ୍ଗ କାଇ-ସେକ୍ ତାଇୱାନର ଶାସନ ଭାର ନେଇଥିଲେ। ସେବେଠାରୁ ନେତାଜୀ ଓ ଉପନିବେଶ ଶାସନ ସମ୍ପର୍କିତ କୌଣସି ଖବର ୧୯୯୦ ଦଶକ ପର୍ଯ୍ୟନ୍ତ ପ୍ରକାଶ ପାଇପାରି ନଥିଲା। ମୁମିନ୍‌ କହିଛନ୍ତି ଯେ ଭାରତ ଓ ତାଇୱାନ ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି। ୧୯୯୦ ଦଶକ ପରେ ଏହି ସମ୍ପର୍କ ଆହୁରି ନିବିଡ ହୋଇଥିଲା।

Comments are closed.