ନେତାଜୀଙ୍କ ଜନ୍ମବାର୍ଷିକୀ ଲାଗି ଜାତୀୟ କମିଟି : ମୁଖ୍ୟମନ୍ତ୍ରୀ ନବୀନ, ସାଂସଦ ଭର୍ତ୍ତୃହରି , ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସଦସ୍ୟ

ନୂଆଦିଲ୍ଲୀ : ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ନିମନ୍ତେ ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ୮୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। କମିଟିରେ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ସଦସ୍ୟ ଅଛନ୍ତି। ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ମହିଳା ଓ ଶିଶୁ ବିକାଶମନ୍ତ୍ରୀ ସୃତି ଇରାନୀ, କେନ୍ଦ୍ର ସୂଚନା ଓ ପ୍ରସାରଣମନ୍ତ୍ରୀ ପ୍ରକାଶ ଜାଭେଦକର, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ, କେନ୍ଦ୍ର ମହିଳା ଓ ଶିଶୁବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ପୂର୍ବତନ ଲୋକସଭା ଅଧ୍ୟକ୍ଷ ସର୍ବଶ୍ରୀ ମନୋହର ଜୋଶୀ, ଶିବରାଜ ପାଟିଲ, ମୀରା କୁମାର, ସୁମିତ୍ରା ମହାଜନ, ପଶ୍ଚିମବଙ୍ଗ ରାଜ୍ୟପାଳ ଜୟଦୀପ ଧନକଡ଼, ମଣିପୁର ରାଜ୍ୟପାଳ ନଜମା ହେପାତୁଲ୍ଲା, ଆଣ୍ଡାମାନ ଓ ନିକୋବାର ଦ୍ୱିପପୁଞ୍ଜର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆଡ଼ମିରାଲ ଡି କେ ଜୋଶୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିପୁଇ ରିଓ, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ, ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମ ଥାଙ୍ଗା, ମେଘାଳୟ ମୁଖ୍ୟମନ୍ତ୍ରୀ ଡକ୍ଟର କର୍ଣ୍ଣାଡ ସାଙ୍ଗମା ଓ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ଲୋକସଭାରେ କଂଗ୍ରେସନେତା ଅଧିରରଞ୍ଜନ ଚୌଧୁରୀ ଓ ରାଜ୍ୟସଭାରେ କଂଗ୍ରେସନେତା ଗୁଲାମ୍‌ନବୀ ଆଜାଦ, ସାଂସଦ ଶରଦ ପାୱାର ଓ ଟିଏମସି ସାଂସଦ ସୁଦିପ ବନ୍ଦୋପଧ୍ୟାୟ ପ୍ରମୁଖ ସ୍ଥାନ ପାଇଛନ୍ତି। ଚଳଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ଅଭିନେତ୍ରୀ କାଜୋଲ, ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମେତ ନେତାଜୀଙ୍କ ପରିବାରର ଚାରି ସଦସ୍ୟଙ୍କୁ କମିଟିରେ ନିଆଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଜାରି ଗେଜେଟ୍‌ ଅନୁଯାୟୀ ଦେଶରେ ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ପାଇଁ ନୀତି ନିର୍ଦ୍ଧାରଣ, ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକ୍ରମ ତଦାରଖ କାର୍ଯ୍ୟ କମିଟି କରିବ।

Comments are closed.