ନେସ୍‌କୋ କର୍ମଚାରୀଙ୍କୁ ଚାକିରିରେ ପୁନଃଅବସ୍ଥାପିତ ପ୍ରସଙ୍ଗ, ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ

କଟକ: ‌ନେସ୍‌କୋ କର୍ମଚାରୀଙ୍କ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଚାକିରିରୁ ଅନ୍ତର କରାଯାଇଥିବା କର୍ମଚାରୀଙ୍କୁ ଚାକିରିରେ ପୁନଃଅବସ୍ଥାପିତ କରିବା ସହିତ ପ୍ରାପ୍ୟ ପ୍ରଦାନ ସଂପର୍କିତ ମାମଲାରେ ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ ରହିଛି। ଏଥି ସହିତ ସୁପ୍ରିମକୋର୍ଟ ନେସ୍‌କୋ ପକ୍ଷରୁ ଦାୟର ଏସ୍‌ଏଲ୍‌ପିକୁ ଖାରଜ କରିଛନ୍ତି। ଜଷ୍ଟିସ ଏଲ.ନାଗେଶ୍ବର ରାଓ, ଜଷ୍ଟସ୍ କ୍ରିଷ୍ଣ ମୁରାରୀ ଓ ଜଷ୍ଟିସ୍ ଏସ୍.ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ନେସ୍‌କୋ ଏସ୍‌ଏଲ୍‌ପିକୁ ଖାରଜ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ନେସ୍‌କୋ ବାଲେଶ୍ବର ଇଲେକ୍ଟ୍ରିକାଲ ଡିଭିଜନରେ ଚାକିରି କରୁଥିବା କେତେକ କର୍ମଚାରୀଙ୍କୁ ଚାକରିରୁ ବହିଷ୍କାର କରାଯାଇଥିଲା। ଅଧିକ ସଂଖ୍ୟକ କର୍ମଚାରୀ ଥିବା ଦର୍ଶାଯାଇ ଏହି କର୍ମଚାରୀଙ୍କୁ ଚାକିରିରୁ ଅନ୍ତର କରାଯାଇଥିଲା। ପ୍ରାୟ ୬୦ଜଣ ନେସକୋ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ନେସ୍‌କୋ କର୍ତ୍ତୃପକ୍ଷଙ୍କ ଏପରି ନିର୍ଦ୍ଦେଶ ବିରୋଧରେ କର୍ମଚାରୀ ସଂଗ୍ରାମ ସମିତି ଶ୍ରମ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲା। ଶ୍ରମ ଅଦାଲତ କର୍ମଚାରୀଙ୍କ ସପକ୍ଷରେ ରାୟ ଦେଇଥିଲେ।

ମାମଲାର ଶୁଣାଣି କରି ଆବେଦନକାରୀ କର୍ମଚାରୀଙ୍କୁ ପୁନର୍ବାର ଚାକିରିରେ ଅବସ୍ଥାପିତ କରିବା ସହିତ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ଶ୍ରମ ଅଦାଲତ ୨୦୧୦ରେ ନିର୍ଦ୍ଦେଶ ଦେଇଥିଲେ। ଶ୍ରମ ଅଦାଲତ ନିର୍ଦ୍ଦେଶ ବିରୋଧରେ ୨୦୧୧ରେ ନେସ୍‌କୋ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯, ନଭେମ୍ବର ୬ରେ ହାଇକୋର୍ଟ ନେସ୍‌କୋର ଆବେଦନକୁ ଖାରଜ କରିଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ନେସ୍‌କୋ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ମାମଲାରେ ନେସ୍‌କୋ କମଚାରୀ ସଂଗ୍ରାମ ସମିତିର ଗିରିଶଚନ୍ଦ୍ର ମହାପାତ୍ର, କାର୍ତ୍ତିକେଶ୍ବର ବେହେରା, ବଂଶୀଧର ଜେନା ଓ ଅନ୍ୟ ୩୫ଜଣ ପକ୍ଷଭୁକ୍ତ ହୋଇଥିଲେ। ନେସ୍‌କୋ କର୍ମଚାରୀ ସଂଗ୍ରାମ ସମିତି ପକ୍ଷରୁ ଆଇନଜୀବୀ ପ୍ରମିଳା ଓ ଶୁଭ୍ରାଂଶୁ ଭୂଷଣ ମହାନ୍ତି ମାମଲା ପରିଚାଳନା କରୁଥିଲେ।

Comments are closed.