ଦିଲ୍ଲୀରେ ନେପାଳୀ ମହିଳାଙ୍କୁ ଗଣବଳାତ୍କାର

ନୂଆଦିଲ୍ଲୀ : ଭାରତ ବୁଲିବାକୁ ଆସିଥିବା ଜଣେ ନେପାଳୀ ମହିଳା ପର୍ଯ୍ୟଟକଙ୍କୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୪ ବର୍ଷିୟ ନେପାଳୀ ମହିଳା ଜଣକ ମୁମ୍ବଇରେ ରହୁଥିବା ନିଜ ଭାଇକୁ ଦେଖା କରିବା ପାଇଁ ଭାରତ ଆସିଥିଲେ। ସେ ନେପାଳରୁ ପ୍ରଥମେ ଦିଲ୍ଲୀ ଆସିଥିଲେ। ସେଠାରୁ ସେ ମୁମ୍ବଇ ଯାଇଥାନ୍ତେ।
ମହିଳାଙ୍କ ଅଭିଯୋଗ ଅନୁସାରେ ଦିଲ୍ଲୀରେ ପହଞ୍ଚିବା ପରେ ମୁମ୍ବଇ କିପରି ଯିବେ ବୋଲି ସେ ଲୋକଙ୍କୁ ପଚାରୁଥିଲେ। ସେ ଦିଲ୍ଲୀ ଦ୍ୱାରକା ମାର୍କେଟରେ ଥିବା ବେଳେ ମୁମ୍ବଇ ଯିବାରେ ସହାଯ୍ୟ କରିବେ ବୋଲି କହି ଜଣେ ବ୍ୟକ୍ତି ତାଙ୍କୁ ନିଜ ଘରକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଗଣବଳାତ୍କାର କରାଯାଇଥିଲା। ମହିଳା ଜଣକ ସେଠାରୁ ଖସି ଟ୍ରେନ୍‍ ଯୋଗେ ମୁମ୍ବଇରେ ପହଞ୍ଚିଥିଲେ। ନିଜ ଭାଇକୁ ସେ ସବୁ କହିବା ପରେ ଥାନାରେ ଅଭିଯୋଗ କରିଥିଲେ। ମୁମ୍ବଇ ପୁଲିସ୍‍ ଏହି ମାମଲାକୁ ଦିଲ୍ଲୀକୁ ସ୍ଥାନାନ୍ତର କରିଦେଇଛି। ମହିଳା ଜଣକ କହିଛନ୍ତି ଯେ ସେ ବ୍ୟକ୍ତିଙ୍କ ମୋବାଇଲ ଫୋନ୍‍ରୁ ନିଜ ଭାଇଙ୍କୁ କଲ କରିଥିଲେ। ସେ ମୁଖ୍ୟ ବଳାତ୍କାର ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‍ ନମ୍ବର ପୁଲିସ୍‍କୁ ଦେଇଛନ୍ତି। ଦିଲ୍ଲୀ ପୁଲିସ୍‍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.