ନେପାଳରେ ଯାତ୍ରୀବାହୀ ବିମାନ ନିଖୋଜ; ୪ ଭାରତୀୟଙ୍କ ସମେତ ଥିଲେ ମୋଟ୍‌ ୨୨ ଯାତ୍ରୀ

କାଠମାଣ୍ଡୁ: ନେପାଳର ପୋଖରାରୁ ଜୋମସୋମ ଅଭିମୁଖେ ଯାଉଥିବା ତାରା ଏୟାରଲାଇନ୍ସର ବିମାନ ୯ NAET ନିଖୋଜ ହୋଇଯାଇଛି। ଏହି ବିମାନ ୯ଟା ୫୫ ସମୟରେ ଉଡ଼ାନ ଭରିଥିଲା। ନିଖୋଜ ବିମାନରେ ୪ ଜଣ ଭାରତୀୟ, ତିନି ଜଣ ଜର୍ମାନ ଏବଂ ଅବଶିଷ୍ଟ ନେପାଳୀ ନାଗରିକ ଥିଲେ। ଡବଲ୍ ଇଞ୍ଜିନ୍ ବିମାନରେ କ୍ରୁଙ୍କ ସମେତ ମୋଟ ୨୨ ଜଣ ଯାତ୍ରୀ ଥିଲେ। ଇତି ମଧ୍ୟରେ ଏୟାରଲାଇନ ପକ୍ଷରୁ ସମସ୍ତ ଯାତ୍ରୀଙ୍କ ତାଲିକା ପ୍ରକାଶ କରାଯାଇଛି, ଯେଉଁଥିରେ ଅଶୋକ କୁମାର ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ତ୍ରିପାଠୀ ଏବଂ ବୈଭବୀ ତ୍ରିପାଠୀ ନାମକ ଚାରିଜଣ ଭାରତୀୟଙ୍କୁ ଚିହ୍ନଟ କରାଯାଇଛି।

ମୁଖ୍ୟ ଜିଲ୍ଲା ଅଧିକାରୀ ନେତ୍ର ପ୍ରସାଦ ଶର୍ମାଙ୍କ ସୂଚନା ଅନୁଯାୟୀ, ବିମାନଟି ମଷ୍ଟାଙ୍ଗ ଜିଲ୍ଲାରେ ଜୋମସୋମର ଆକାଶରେ ନଜର ଆସିଥିଲା ​​ଏବଂ ପରେ ଧଉଲାଗିରି ପର୍ବତ ଆଡକୁ ମୁହାଁଇଥିଲା। ଏହାପରେ ଯୋଗାଯୋଗ ହରାଇଥିଲା। ମଷ୍ଟାଙ୍ଗ ଜିଲା ପୁଲିସ କାର୍ଯ୍ୟାଳୟର ଡିଏସପି ରାମ କୁମାର ଦାନି କହିଛନ୍ତି ଯେ, ହେଲିକପ୍ଟର ନିୟୋଜିତ କରି ଆମେ ତଲାସୀ ଅଭିଯାନ ଆରମ୍ଭ କରିଛୁ।

ଅପରପକ୍ଷେ, କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ଏକ ନିଖୋଜ ବିମାନ ସମ୍ପର୍କରେ ଜରୁରୀକାଳୀନ ହଟଲାଇନ ନମ୍ବର + ୯୭୭-୯୮୫୧୧୦୭୦୨୧ ଜାରି କରିଛି। ବିମାନରେ ୪ ଜଣ ଭାରତୀୟଙ୍କ ସମେତ ୨୨ ଜଣ ଲୋକ ଥିଲେ। ଦୂତାବାସ ଟ୍ୱିଟ୍ କରି ଲେଖିଛି ଯେ, ଦୂତାବାସ ତାଙ୍କ ପରିବାର ସହ ଯୋଗାଯୋଗରେ ଅଛି।

 

Comments are closed.