ନେପାଳରେ ଭାରତୀୟ ଟିଭି ଚାନେଲ ନିଷିଦ୍ଧ

କାଠମାଣ୍ଡୁ : ନେପାଳରେ ଖବର ପ୍ରସାରଣକାରୀ ଭାରତୀୟ ଘରୋଇ ଟିଭି ଚାନେଲଗୁଡ଼ିକୁ ନିଷିଦ୍ଧ କରାଯାଇଛି। କେବଳ ସରକାରୀ ଚାନେଲ ଦୂରଦର୍ଶନ (ଡିଡି ନ୍ୟୁଜ୍‌)ର ପ୍ରସାରଣ ଜାରି ରହିବ ବୋଲି ସରକାର ଏକ ଅଲିଖିତ ନିର୍ଦେଶନାମା ଜାରି କରିଛନ୍ତି। ନେପାଳ ବିରୋଧୀ ଖବର ପ୍ରସାରଣ ଅଭିଯୋଗରେ ଏଭଳି ପଦକ୍ଷେପ ନିଆଯାଇଛି। ନେପାଳ ସରକାରଙ୍କ ମୁଖପାତ୍ର ଯୁବରାଜ ଖତିୱାଡ଼ାଙ୍କ ସୂଚନାନୁଯାୟୀ, ନେପାଳର ସାର୍ବଭୌମତ୍ବ ହାନି ଓ ଆତ୍ମସମ୍ମାନକୁ ଆଞ୍ଚ ଆସିଲା ଭଳି ଖବର ପ୍ରସାରଣ କରୁଥିବା ଚାନେଲକୁ ନିଷିଦ୍ଧ କରିବା ପାଇଁ କୁହାଯାଇଛି, ସମସ୍ତଙ୍କୁ ନୁହେଁ। ଏହି ପରିପ୍ରେକ୍ଷୀରେ ନେପାଳର କେବୁଲ ଅପରେଟରମାନେ ଭାରତୀୟ ଖବର ଚାନେଲଗୁଡ଼ିକର ସିଗନାଲ ଗ୍ରହଣ ବନ୍ଦ କରିଦେଇଛନ୍ତି। ପୂର୍ବରୁ ନେପାଳ ସରକାର ଦେଶରେ ହିନ୍ଦୀ ଭାଷା ବ୍ୟବହାର ଉପରେ କଟକଣା ଜାରି କରିଥିବାବେଳେ ଭାରତୀୟଙ୍କୁ ଲକ୍ଷ୍ୟ କରି ନାଗରିକତ୍ବ ଆଇନର ସଂଶୋଧନ କରିଛନ୍ତି।

Comments are closed.