କୋଭିଡ୍‌ ନମୁନା ପରୀକ୍ଷାରେ ଅବହେଳା ଅଭିଯୋଗ : ଡିିସଚାର୍ଜ ପରେ ପ୍ରାଣ ହରାଉଛନ୍ତି ରୋଗୀ

ଭୁବନେଶ୍ୱର : କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କୁ ଠିକଣା ଚିକିତ୍ସା କରାଯାଉ ନଥିବା ନେଇ ପୂର୍ବରୁ ଅଭିଯୋଗ ରହିଥିବାବେଳେ ଏବେ ନମୁନା ପରୀକ୍ଷାରେ ପାତର ଅନ୍ତର ନୀତି ଆପଣା ଯାଉଥିବା ଅଭିଯୋଗ ହୋଇଛି। ବଡ଼ବଡ଼ିଆଙ୍କୁ ଦୁଇରୁ ତିନି ଥର ପର୍ଯ୍ୟନ୍ତ କୋଭିଡ୍‌ ପରୀକ୍ଷା କରାଯାଉଥିବାବେଳେ ସାଧାରଣ ଲୋକଙ୍କୁ ୮ରୁ ୧୦ ଦିନ କୋଭିଡ୍‌ କେନ୍ଦ୍ରରେ ରଖି ପରାମର୍ଶ ଦେଇ ସିଧାସଳଖ ଘରକୁ ଛାଡି ଦିଆଯାଉଛି। କୋଭିଡ୍‌ କେନ୍ଦ୍ର ଛାଡିବା ପୂର୍ବରୁ ପୁନଶ୍ଚ ପରୀକ୍ଷା କାହିଁକି କରାଯାଉ ନାହିଁ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଦ୍ୱାରା ପରବର୍ତ୍ତୀ ସମୟରେ ଉକ୍ତ କୋଭିଡ୍‌ ରୋଗୀଙ୍କ ପାଇଁ ତାଙ୍କ ପରିବାର ଲୋକ ଖାଲି ଯେ କରୋନା ମହାମାରୀ କବଳରେ ପଡୁଛନ୍ତି ତାହା ନୁହେଁ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟ ପ୍ରାଣହାନି ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ୍‌ ମାର୍ଗଦର୍ଶିକାକୁ କେତେକ ହସ୍ପିଟାଲରେ ପାଳନ କରୁନାହାନ୍ତି। ଯାହା ଫଳରେ ବାଲେଶ୍ୱର, ଗଞ୍ଜାମ, କେନ୍ଦୁଝର, କଟକ ଓ ଭୁବନେଶ୍ୱରରେ ଏଭଳି କେତେକ ଘଟଣା ନିକଟରେ ଘଟିଥିବା ନେଇ ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ କରୋନା ମହାମାରୀର ପ୍ରତିଷେଧକ ବାହାରି ନଥିଲେ ହେଁ ମାର୍ଗଦର୍ଶିକା ଅନୁଯାୟୀ ରୋଗୀଙ୍କୁ ଯେଉଁପରି ଚିକିତ୍ସା ସେବା ଯୋଗାଇବା କଥା ତାହା ମଧ୍ୟ କେତେକ କେନ୍ଦ୍ରରେ କରାଯାଉ ନଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା ହେଲା ଯେଉଁ ରୋଗୀ କୋଭିଡ଼ ମୁକ୍ତ ବୋଲି କୋଭିଡ଼ ହସ୍ପିଟାଲରୁ ଡିସଚାର୍ଜ ହୋଇ ଫେରୁଛନ୍ତି ତା’ର ଦୁଇ ତିନିଦିନ ପରେ ପୁଣି ଥରେ କୋଭିଡ଼ କେନ୍ଦ୍ରରେ ଭର୍ତ୍ତି ହେଉଛନ୍ତି। ପରେ ସେଥିମଧ୍ୟରୁ କେତେକଙ୍କ ମୃତ୍ୟୁ ହେଉ ଥିବାରୁ ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି।

ଅଭିଯୋଗ ଅନୁଯାୟୀ ଭୁବନେଶ୍ୱର, ଗଞ୍ଜାମ ଓ ଗଜପତି ଭଳି କେତେକ ଜିଲାରେ ରୋଗୀ ୧୪ରୁ ଅଧିକ ଦିନ ଧରି କୋଭିଡ଼ କେନ୍ଦ୍ରରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କର ନମୁନା ତିନିଥର ଲେଖାଏଁ ପରୀକ୍ଷା କରାଯାଉଛି। ଏଥିଯୋଗୁଁ ସରକାରଙ୍କ ଉପରେ ବ୍ୟୟଭାର ପଡ଼ୁଛି। ତାହା କୌଣସି ଅଧିକାରୀଙ୍କୁ ଦେଖା ଯାଉନାହିଁ। ହେଲେ କଟକର କେତେକ କୋଭିଡ଼ କେନ୍ଦ୍ରରେ ଡିସଚାର୍ଜ ପୂର୍ବରୁ ରୋଗୀଙ୍କୁ ପରୀକ୍ଷା କରାଯାଉନାହିଁ। ଏହାଦ୍ୱାରା ସଂପୃକ୍ତ ରୋଗୀ କୋଭିଡ଼ ଯୁକ୍ତ ହୋଇ ପରିବାର ଓ ଆଖପାଖରେ କରୋନା ବାଣ୍ଟୁଛନ୍ତି। ଫଳରେ ସଂକ୍ରମଣ ଦିନକୁ ଦିନ ବଢ଼ୁଛି।

ଚଳିତମାସ ପ୍ରଥମ ସପ୍ତାହରେ ଗଞ୍ଜାମରେ କୋଭିଡ଼ ସମୀକ୍ଷାବେଳେ ଏହିଭଳି କେତେକ ଅଭିଯୋଗ ସାମ୍ନାକୁ ଆସିଥିଲା। କୋଭିଡ଼ କେନ୍ଦ୍ରରେ ପରିମଳ ଅବ୍ୟବସ୍ଥା ସାଙ୍ଗକୁ ରୋଗୀଙ୍କୁ ଖାଦ୍ୟପେୟ ଠିକ୍ ଦିଆଯାଉ ନଥିବା ଏବଂ ଦୀର୍ଘଦିନ ଧରି ରୋଗୀ ହସ୍ପିଟାଲରେ ରହୁଥିବା ଜଣାଯାଇଥିଲା। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଶୀତଳପଲ୍ଲୀଠାରେ ଥିବା କୋଭିଡ଼ କେନ୍ଦ୍ର କର୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ। ଆଗାମୀ ଦିନରେ ଏଭଳି କୌଣସି ବ୍ୟତିକ୍ରମ ଯେଭଳି ନଜରକୁ ନଆସେ ସେନେଇ ୭ଟି ମେଡିକାଲ କଲେଜ ହସ୍ପିଟାଲକୁ ନେଇ ବୈଷୟିକ ଟିମ୍ ମଧ୍ୟ ଗଠନ କରାଯାଇଛି। ହେଲେ ବୈଷୟିକ ଟିମ୍ ଏସବୁ ଦିଗରେ ଠିକଣା ତଦାରଖ କରୁ ନଥିବାରୁ ସାଧାରଣ ଲୋକେ ହଇରାଣ ହରକତ ହେଉଥିବା ସାର ହେଉଛି। ଯାହାଦ୍ୱାରା ସଂକ୍ରମଣ ବଢ଼ୁଛି ବୋଲି ଅଭିଯୋଗ ହୋଇଛି।

ଏସଂକ୍ରାନ୍ତରେ ସ୍ୱାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ରଙ୍କ କହିବା କଥା ହେଲା ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଜୁନ୍ ପୂର୍ବରୁ ରୋଗୀଙ୍କ କ୍ରମାଗତ ଭାବେ ଦୁଇଥର ପରୀକ୍ଷା କରାଯାଉଥିଲା। ମାତ୍ର ପରେମାର୍ଗଦର୍ଶିକା ବଦଳିଲା, ଯଦି ୩ଦିନ ଧରି ରୋଗୀଙ୍କୁ ଜ୍ୱର ନଆସିବ ଓ ଅକ୍ସିଜେନ ୯୫ ଉପରେ ଥିବ ତେବେ ତାଙ୍କୁ ସୁସ୍ଥ ବୋଲି ଧରାଯିବ। ଏହାବାଦ୍ ଯଦି ଲକ୍ଷଣ ଥିବ ତେବେ ରୋଗୀର ପରୀକ୍ଷା କରାଯିବ। ମାତ୍ର ବିଲକ୍ଷଣକାରୀଙ୍କ ଆଉ ପରୀକ୍ଷା କରାଯିବ ନାହିଁ। ହେଲେ ସେଠାରେ ଆଶା ଦିଦି ଓ ଅଙ୍ଗନବାଡି କର୍ମୀ ରୋଗୀଙ୍କ ଉପରେ ନଜର ରଖିବା ଦରକାର। ଯଦି କୌଣସି କ୍ଷେତ୍ରରେ ଲକ୍ଷଣଧାରୀ ବ୍ୟକ୍ତିଙ୍କୁ ବିନା ନମୁନା ପରୀକ୍ଷାରେ ଛାଡି ଦିଆଯାଇଛି ଏବଂ ଏଭଳି ଘଟଣା ଘଟିଛି ତେବେ ଅଭିଯୋଗ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.