ଅବହେଳିତ ରାଣୀପୁର ଝରିଆଲ ; ଜାତୀୟ ଐତିହ୍ୟ ସ୍ମାରକୀ ପରେ ମଧ୍ୟ ସୁରକ୍ଷା ଓ ବିକାଶ ଅପହଞ୍ଚ

ବଲାଙ୍ଗିର (ଅଶୋକ କୁମାର ଭୋଇ) : ବଙ୍ଗୋମୁଣ୍ଡା ବ୍ଲକର ନବମ ଶତାଦ୍ଦୀର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲର ଆଶା ଅନୁସାରେ ବିକାଶ ହୋଇପାରିନାହିଁ। ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ରହିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ସୁବିଧାକୁ ତିଳେ ମାତ୍ର ଦୃଷ୍ଟି ଦିଆଯାଉନାହିଁ। ବୌଦ୍ଧ, ଶୈବ, ବୈଷ୍ଣବ, ଗାଣପତ୍ୟ, ଶାକ୍ତ…ସର୍ବୋପରି ସର୍ବଧର୍ମ ସମନ୍ୱୟର ଏହି ଐତିହାସିକ ପୀଠର ସୁରକ୍ଷା ଓ ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଚଉଷଠି ଯୋଗିନୀ, ସୋମେଶ୍ୱର ମନ୍ଦିର, ଯୁଦ୍ଧ କୌଶଳର ଚକ୍ରବ୍ୟୁହ, ଶଙ୍ଖ ବ୍ୟୁହ, ଚାମୁଣ୍ଡା ମନ୍ଦିର, ପୋଡା ଇଟାରେ ନିର୍ମିତ ଇନ୍ଦ୍ରଲାଟ ମନ୍ଦିର, ଲିଆହାରୀ ମନ୍ଦିର, ରାଣୀ ମହଲ, ଆଦି ଛୋଟ ବଡ ଅନେକ ମନ୍ଦିର ସୁକ୍ଷ୍ମ କାରୁକାର୍ଯ୍ୟ ଅବହେଳିତ ତଥା ଅବକ୍ଷୟମୁଖୀ ଅବସ୍ଥାରେ। ଛେଳିଆ ଦେଉଳ ମନ୍ଦିର ନିଶ୍ଚିହ୍ନ ହେବାକୁ ବସିଛି। ତଥାପି ଏହାର ସୁରକ୍ଷା ଓ ବିକାଶ ପ୍ରତି ଅଣଦେଖା କରାଯାଉଛି। ସରକାରୀ ଓ ପ୍ରଶାସନିକ ଆନ୍ତରିକତା ମଧ୍ୟ ଦେଖାଯାଉ ନାହିଁ।

ସରକାରଙ୍କ ଘୋଷଣା ପରେ ବି ସୁରକ୍ଷାରେ ବାଧକ

୨୦୧୯ ଜାନୁୟାରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଯୋଗିନୀ ପୀଠ ରାଣୀପୁର ଝରିଆଲକୁ ଜାତୀୟ ଐତିହ୍ୟ ସ୍ମାରକୀ ଘୋଷଣା କରିଥିଲେ। ଏହାର ସୁରକ୍ଷା ଓ ବିକାଶ ପାଇଁ ୪ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ। ତଥାପି ବର୍ଷ ବର୍ଷ ପରେ ସରକାରୀ ଅନୁଦାନର ଖର୍ଚ୍ଚ ହୋଇପାରିନି।

ସୁରକ୍ଷା କମୀଙ୍କ ଅନୁପସ୍ଥିତି ଅଭିଯୋଗ

ଏହି ପୀଠର ସୁରକ୍ଷା ପାଇଁ ୪ ଜଣ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ଗତ ବର୍ଷ ଠାରୁ ୨ ଜଣ ସୁରକ୍ଷା କର୍ମୀ ଅଛନ୍ତି। କିନ୍ତୁ ଅନେକ ସମୟରେ ସୁରକ୍ଷା କର୍ମୀଙ୍କ ଅବହେଳା ଅଭିଯୋଗ ହେଉଛି। ଜାତୀୟ ସ୍ମାରକୀ ଘୋଷଣା ପରେ ସୁରକ୍ଷା ପ୍ରତି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଘୋଷଣାର ଅଳ୍ପ କିଛି ମାସ ପରେ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ପ୍ରକାଶ ଯେ, ୨୦୧୫ମସିହା ଜୁଲାଇ ମାସରେ ସୁରକ୍ଷା ଅଭାବରୁ ଯୋଗିନୀ ମନ୍ଦିରର ପଥର ମୂର୍ତ୍ତି ଚୋରି କରି ନେଇ ଯୁଗଳ ସିମେଣ୍ଟ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ପ୍ରତ୍ନତତ୍ତ୍ୱ ବିଭାଗ ଭୁବନେଶ୍ୱରରୁ ଆସି ଉଦ୍ଧାର କରାଯାଇଥିଲେ ମଧ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ।

ଜାତୀୟ ଐତିହ୍ୟ ସ୍ମାରକୀ ନାମକୁ ମାତ୍ର

ଜାତୀୟ ଐତିହ୍ୟ ସ୍ମାରକୀର ଘୋଷଣାର ଏକ ମାସ ନପୁରୁଣୁ ପ୍ରାଚୀନ ଐତିହ୍ୟକୁ ମାଟିରେ ପୋତାଗଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶରେ ସୀମତି ରହିଗଲା। ଛେଳିଆ ଦେଉଳ ମନ୍ଦିରକୁ ଲାଗି ପାଇପ ଲାଇନ ପାଇଁ ଗଭୀର ଗାତ ଖୋଲାଯାଇ ପ୍ରାଚୀନ ଐତିହ୍ୟ ତଥା କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିରର ପଥର ଗୁଡିକୁ ନଷ୍ଟ କରିଦିଆଗଲା।

ପର୍ଯ୍ୟଟକ ସଂଖ୍ୟା ବଢୁଛି, ବ୍ୟବସ୍ଥା ପ୍ରତି ଦୃଷ୍ଟି ନାହିଁ

ଦୂର ଦୂରାନ୍ତରରୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଛି। କୋଭିଡ ପାଇଁ ହ୍ରାସ ପାଇଥିଲେ ମଧ୍ୟ ଧିରେ ଧିରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢି ଚାଲିଛି। ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବ୍ୟବସ୍ଥା କରାଯାଉନାହିଁ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଆଲୋକୀକରଣ, ପାର୍କ ଆଦି ବ୍ୟବସ୍ଥା ପାଇଁ ଦୃଷ୍ଟି ପଡି ପାରୁ ନାହିଁ।

ପାନୀୟ ଜଳ ସମସ୍ୟା

ପାନୀୟ ଜଳ ଯୋଗାଣ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ। ପର୍ଯ୍ୟଟକମାନେ ପିଇବା ପାଣି ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ପିଇବା ପାଣି ପାଇଁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି ପର୍ଯ୍ୟଟକଙ୍କୁ।

ନୌବିହାର ମଜା ରୁ ବଞ୍ଚିତ ପର୍ଯ୍ୟଟକ

ସୋମେଶ୍ୱର ମନ୍ଦିର ଓ ଚଉଷଠି ଯୋଗିନୀ ମନ୍ଦିରକୁ ଲାଗି ବିରାଟ ପୋଖରୀ ରହିଛି। ସୋମେଶ୍ୱର ମନ୍ଦିରକୁ ଲାଗି ରହିଥିବା ସୋମ ପୁଷ୍କରିଣୀ(ସମିଆଁ ବନ୍ଧ)ରେ ନୌବିହାରର ମଜା ଉଠାଇବା ପାଇଁ ବ୍ୟବସ୍ଥା ରହିଥିଲା। ୨୦୧୪ ମସିହାରେ ତତକାଳୀନ ସାଂସଦ କଳିକେଶ ସିଂହଦେଓ ନିଜସ୍ୱ ପାଣ୍ଠିରୁ ୩ଟି ବୋଟ ପ୍ରଦାନ କରିଥିଲେ। ପର୍ଯ୍ୟଟକମାନେ ମନ୍ଦିର ବୁଲିବା ସହ ନୌବିହାରର ମଜା ନେଉଥିଲେ। ଗତ ୨ ବର୍ଷ ହେବ ୩ଟି ବୋଟ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବାରୁ ଲୋକେ ନୌବିହାରର ମଜା ନେଇ ପାରୁନାହାନ୍ତି। ଅନ୍ୟ ପକ୍ଷରେ ସୋମ ପୁଷ୍କରିଣୀ ପୋତି ହେଉଥିବା ବେଳେ ପଙ୍କୋଦ୍ଧାର ପାଇଁ ପ୍ରଶାସନ ଦୃଷ୍ଟି ଦେଉ ନାହିଁ।

ପଥରଚଟାଣ ଉପରେ ମଦ ବୋତଲ

ବିରାଟ ଚଟାଣ ପଥର ଉପରେ ରହିଥିବା ବିଭିନ୍ନ ମନ୍ଦିର ଗୁଡିକ ବୁଲି ବୁଲି ଦେଖିବାର ମଜା ନିଆରା। କିନ୍ତୁ ଏହି ପଥର ଚଟାଣ ଉପରେ ମଦ ବୋତଲ ଓ କାଚ ଗୁଡିକ ପଡି ରହୁଥିବାରୁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଭୋଜି ଭାତ କରି ଆସି ମଦ ବୋତଲ ଗୁଡିକୁ ଏଣେ ତେଣେ ଫିଙ୍ଗୁଥିବାରୁ ସାଧାରଣେ ଅସନ୍ତୋଷ ପ୍ରକାଶ ପାଉଛି।

Comments are closed.