ଉପେକ୍ଷିତ ମହାନାୟକ ଏବଂ ଅବହେଳିତ ସ୍ମୃତିପୀଠ; ସାଲିସ ବିହୀନ ସଂଗ୍ରାମର ଲେଲିହାନ୍ ଶିଖା ବିପ୍ଳବୀ ବୀର ସୁରେନ୍ଦ୍ର ସାଏ

ରେଙ୍ଗାଲି (ହରିହର ନାଥ) : ଜାତୀୟ ମୁକ୍ତି ସଂଗ୍ରାମରେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଅତୁଳନୀୟ ଏବଂ ଅବିସ୍ମରଣୀୟ। ତେବେ ବିଡମ୍ବନାର ବିଷୟ ଯେ ସ୍ୱାଧିନତା ସଂଗ୍ରାମର ଅଗ୍ରଣୀ ସେନାପତି ବୀର ସୁରେନ୍ଦ୍ର ସାଏଙ୍କ ଭଳି ମହାନାୟକଙ୍କୁ ଯେଭଳି ସମ୍ମାନ ଓ ମର୍ଯ୍ୟାଦା ଦିଆଯିବା କଥା ଦିଆଯାଉ ନାହିଁ। ୧୮୫୭ ମସିହାରେ ହୋଇଥିବା ସିପାହି ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ବୋଲି ଇତିହାସରେ ଅଭିହିତ କରାଯାଇଛି। କିନ୍ତୁ ଏହାର ୩୦ ବର୍ଷ ପୂର୍ବରୁ ୧୮୨୭ ମସିହାରେ ମାତ୍ର ୧୮ ବର୍ଷ ବୟସରେ ସୁରେନ୍ଦ୍ର ସାଏ ମହାପରାକ୍ରମୀ ଇଂରେଜ ସରକାର ବିରୋଧରେ ବିଦ୍ରୋହ ର ବହ୍ନି ପ୍ରଜ୍ଜ୍ୱଳିତ କରି ବ୍ରିଟିଶ ସରକାରକୁ ନାକେଦମ କରିଦେଇଥିଲେ। ମା’ମାଟି ର ମୁକ୍ତି ପାଇଁ ଦୀର୍ଘ ୩୭ ବର୍ଷ ଜେଲ୍ ରେ ଅତିବାହିତ କରିଥିବା ଏହି ମହାନ୍ ଦେଶଭକ୍ତଙ୍କ ଜନ୍ମ ମାଟି ଖିଣ୍ଡା ଗ୍ରାମ ଆଜି ବି ଅବହେଳିତ। ସ୍ୱାଧିନତା ପ୍ରାପ୍ତିର ୭୩ ବର୍ଷ ବିତି ଗଲାଣି କିନ୍ତୁ ସୁରେନ୍ଦ୍ର ସାଏ ଙ୍କୁ ସରକାର ଯେଭଲି ସମ୍ମାନ ଏବଂ ମର୍ଯ୍ୟାଦା ଦେବା କଥା ଦେଉ ନଥିବା ବେଳେ ତାଙ୍କର ଜନ୍ମ ମାଟି ଖିଣ୍ଡା ପ୍ରତି ମଧ୍ୟ ଅବହେଲା ପ୍ରଦର୍ଶନ କରାଯାଉଛି। ଚରମ ବିଡମ୍ବନାର ବିଷୟ ଯେ ଏହି ମହାନ୍ ଜନ ନାୟକଙ୍କ ଜୟନ୍ତୀ ଓ ତିରୋଧାନ ଦିବସ ପାଳନ ପାଇଁ ସରକାର କାଣି କଉଡି ଟିଏ ବି ସହାୟତା ପ୍ରଦାନ କରୁନାହାନ୍ତି କି କୌଣସି ସରକାରୀ ଅଧିକାରୀଙ୍କ ମଧ୍ୟ ଏହି ଦିବସ ମାନଙ୍କରେ ଦେଖା ଦର୍ଶନ ମିଳି ନଥାଏ। ୧୯୮୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନୁଆରି ୨୩ ତାରିଖ ଦିନ ସୁରେନ୍ଦ୍ର ସାଏ ଜୟନ୍ତୀ ସମାରୋହ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜନ୍ମପୀଠ ରେ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସରକାରୀ ସ୍ତରରେ ପାଳନ କରାଯିବ ଏବଂ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ  ବିଡମ୍ବନାର ବିଷୟ ଯେ ପ୍ରତିଶ୍ରୁତି ଦେବାର ୩୭ ବର୍ଷ ବିତିଗଲାଣି ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଏଯାବତ୍ କାର୍ଯ୍ୟକାରି ହୋଇ ନାହିଁ।  ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ସ୍ମୃତି ସଂସଦ ର ତତ୍ତ୍ୱାବଧାନ ରେ ଜନସାଧାରଣ ଙ୍କ ଠାରୁ ଚାନ୍ଦା ଆଦାୟ କରି ଏହି ମହାନ୍ ଦେଶଭକ୍ତ ଙ୍କ ଜୟନ୍ତୀ ପାଳନ କରାଯାଉଛି। ସୁରେନ୍ଦ୍ର ସାଏ ଙ୍କ ସ୍ମୃତି ରକ୍ଷା ଏବଂ ତାଙ୍କୁ ଉପଯୁକ୍ତ ସମ୍ମାନ ଦେବା ଦିଗରେ ସରକାରଙ୍କ ଆନ୍ତରିକତା କେତେ ତାହା ଏଥିରୁ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି।

ପ୍ରତିବର୍ଷ ଜାନୁଆରୀ ୨୩ ତାରିଖ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଆସିଲେ ଆମ ରାଜ୍ୟର ନେତା ମନ୍ତ୍ରୀ ଏବଂ ତଥାକଥିତ ବୁଦ୍ଧିଜୀବୀ ମାନେ ହଠାତ୍ ମନେପକାନ୍ତି ସୁରେନ୍ଦ୍ର ସାଏଙ୍କୁ। ଜାନୁଆରୀ ୨୩ ତାରିଖ ଖିଣ୍ଡା ଗ୍ରାମ ହୋଇ ଉଠେ ଉତ୍ସବ ମୁଖର। ମାଳ ମାଳ ନେତା ଏବଂ ମନ୍ତ୍ରୀଙ୍କ ସହିତ ପ୍ରଶାସନିକ ଅଧିକାରୀ ବୁଦ୍ଧିଜୀବୀ ଛୁଟି ଆସନ୍ତି ଖିଣ୍ଡା ଗ୍ରାମକୁ। ଜୟନ୍ତୀ ସାମରୋହରେ ଭାଷଣ ଦେଇ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରନ୍ତି। ସମସ୍ତେ ତାଙ୍କର ପ୍ରଶଂସାରେ ଶତମୁଖ ହୋଇପଡନ୍ତି। ସୁରେନ୍ଦ୍ର ସାଏଙ୍କୁ ଇତିହାସରେ ଉପଯୁକ୍ତ ସ୍ଥାନ ମିଳିନାହିଁ ବୋଲି ଲମ୍ବା ଲମ୍ବା ଭାଷଣ ମାଧ୍ୟମରେ କ୍ଷୋଭ ପ୍ରକାଶ କରନ୍ତି ଏବଂ ତାଙ୍କର ସ୍ମୃତି ରକ୍ଷା ତଥା ଜନ୍ମମାଟିର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାର ବଡବଡ ପ୍ରତିଶ୍ରୁତି ରେ ଗର୍ଜି ଉଠନ୍ତି ଜୟନ୍ତୀ ସମାରୋହ । ତେବେ ବିଗତ ଦିନରେ ତାହା କେବଳ ପ୍ରତିଶ୍ରୁତି ରେ ହିଁ ସୀମିତ ହୋଇ ରହିଯାଇଛି। ଦୀର୍ଘ ବର୍ଷ ହେଲା  ଖିଣ୍ଡା ଗ୍ରାମରେ ପ୍ରତି ବର୍ଷ ଆୟୋଜିତ ହେଉଥିବା ଜୟନ୍ତୀ ସମାରୋହରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ଅନେକ କ୍ୟାବିନେଟ ମନ୍ତ୍ରୀ,କେନ୍ଦ୍ର ମନ୍ତ୍ରୀ,ବିରୋଧି ଦଳ ର ନେତା,ବିଧାୟକ ଅତିଥି ରୂପେ ଯୋଗ ଦେଇ ଭାଷଣ ପ୍ରସଙ୍ଗରେ  ସୁରେନ୍ଦ୍ର ସାଏଙ୍କ ସଂଗ୍ରାମୀ ଜୀବନ ର ସ୍ମୃତି ଚାରଣ ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉନାହିଁ, ଜନ୍ମ ସ୍ଥାନ ଖିଣ୍ଡା କୁ ବି ଅବହେଲା କରାଯାଉଛି, ଇତିହାସ ରେ ତାଙ୍କର ଲୋମହର୍ଷଣକାରୀ ସଂଗ୍ରାମ ସଂକ୍ରାନ୍ତ ରେ ସମ୍ପୂର୍ଣ ତଥ୍ୟ ନ ଥିବା ରୁ କ୍ଷୋଭ ପ୍ରକାଶ କରନ୍ତି। ଜୟନ୍ତୀ ସମାରୋହରେ ଉଦବୋଧନ ଦେଇ କ୍ଷମତାସୀନ ସରକାରରେ ମନ୍ତ୍ରୀ ଥିବା ଅନେକ ମନ୍ତ୍ରୀ ଖିଣ୍ଡାକୁ ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବା ସହିତ ରାଜ୍ୟର ଏକ ଆଦର୍ଶ ଗ୍ରାମରେ ପରିଣତ କରିବା ଏବଂ ଜାତୀୟ ସ୍ତରର ମ୍ୟୁଜିୟମ୍  ପ୍ରତିଷ୍ଠା କରିବା ଖିଣ୍ଡା ଗ୍ରାମ କୁ ବିକଶିତ କରି ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବା ତଥା ତାଙ୍କର ସହଯୋଗୀ ସାଥୀ ସଂଗ୍ରାମୀ ମାନଙ୍କର ସ୍ମୃତି ରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଯାଇଛନ୍ତି। କିନ୍ତୁ ପରେ ସବୁ ପ୍ରତିଶ୍ରୁତି ଭୁଲି ଯାଉଛନ୍ତି। ୨୦୦୯ ମସିହା ଜାନୁଆରୀ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖିଣ୍ଡା ଗ୍ରାମ ରେ ସୁରେନ୍ଦ୍ର ସାଏ ମେମୋରିଆଲ୍ ହଲ୍ ର ଶିଳାନ୍ୟାସ କରିଥିଲେ। ଏହି ମେମୋରିଆଲ୍ ନିର୍ମାଣ କାମ ସରିବା ପରେ ୨୦୧୦ ମସିହା ଫେବୃଆରୀ ୨୦ ତାରିଖ ଦିନ ତତ୍କାଳିନ ସଂସ୍କୃତ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ମେମୋରିଅଲ୍ ହଲ୍ କୁ ଲୋକାର୍ପିତ କରିଥିଲେ। ତେବେ କ୍ଷୋଭ ର ବିଷୟ ଯେ  ସୁରେନ୍ଦ୍ର ସାଏ ମେମୋରିଆଲ ହଲ୍ ଅର୍ଥାତ୍ ସ୍ମୃତି ଭବନ  ଅବ୍ୟବହୃତ ଅବସ୍ଥାରେ ପଡିଛି। ଖାଲି ସ୍ମୃତି ଭବନ କୋଠା ତିଆରି କରାଯାଇଛି। ଏଠାରେ କୌଣସି ଐତିହାସିକ କିର୍ତ୍ତିରାଜି ସ୍ମୃତି ର ଚିହ୍ନବର୍ଣ୍ଣ ସ୍ଥାନିତ ହୋଇ ନ ଥିବାରୁ କେବଳ ଭବ୍ୟ କୋଠାଘର ଏବଂ ସାଇନ୍ବୋର୍ଡ ରେ ହିଁ ସୀମିତ ହୋଇ ରହିଯାଇଛି ଏହି ସ୍ମ୍ମୃତି ଭବନ ।  ଗତାନୁଗତିକ ଧାରାରେ ଏଭଳି କାର୍ଯ୍ୟକ୍ରମ ଚାଲି ଆସୁଛି। ଦେଶ ଏବଂ ରାଜ୍ୟରେ ସରକାର ବଦଳୁଛି ନେତା ବି ବଦଳୁଛନ୍ତି କିନ୍ତୁ ସଂଗ୍ରାମୀ ପୀଠ ଖିଣ୍ଡା ଗ୍ରାମ ର ଭାଗ୍ୟ ବଦଳୁ ନାହିଁ। ଫିରିଙ୍ଗି ଶାସନ ରୁ ଦେଶ ମାତୃକାର ମୁକ୍ତି ପାଇଁ ୩୭ ବର୍ଷ ଜେଲ୍ କାଟି ଥିବା ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବୀର ମାଟି ଖିଣ୍ଡା ଆଜି ବି ସମସ୍ୟା ଜର୍ଜତିତ ଏବଂ ଅବହେଳିତ। ଶିକ୍ଷା ସ୍ୱାସ୍ଥ୍ୟ, ପାନୀୟ ଜଳ, ବିସ୍ଥାପନ ଓ ଥଇଥାନ, ନିଯୁକ୍ତି ଆଦି ବିଭିନ୍ନ ମୌଳିକ ସମସ୍ୟା ଆଜି ପର୍ଯ୍ୟନ୍ତ ଦୂର ହୋଇ ପାରିନାହିଁ। ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଖିଣ୍ଡା ଗ୍ରାମ ଚତୁର୍ଦିଗ ବହୁରାଷ୍ଟ୍ରୀୟ କମ୍ପାନୀର ଖଣି ଖାଦାନ ର ବିଷାକ୍ତ ଧୂଳି, ଧୂଆଁ କୋଇଲା ଗୁଣ୍ଡ ରେ ଜର୍ଜରିତ। କିନ୍ତୁ ଏହି ଗ୍ରାମ ରେ ଶିଳ୍ପାୟନ ଜନିତ ପାରିପାଶ୍ୱିର୍କ ବିକାଶ ଯେଭଳି ହେବା କଥା ହୋଇ ନାହିଁ।

ହିରାକୁଦ ନଦୀବନ୍ଧ ଯୋଜନା ଯୋଗୁଁ ଖିଣ୍ଡା ମୌଜା ର ୭୫୫ ଟି ପରିବାର ବାସଚ୍ୟୁତ ହେଲେ। ଗାଁ ରେ ରହିଗଲେ ମାତ୍ର ୫୪ ଟି ପରିବାର। ସେମାନଙ୍କ ପରିବାର କୁ ଜମି, ଗାଁ କୁ ଯାତାୟାତ ପାଇଁ ରାସ୍ତାର ବ୍ୟବସ୍ଥା କରାଯିବା ପାଇଁ ଦୀର୍ଘ ବର୍ଷ ହେଲା କ୍ଷମତାସୀନ ସରକାର ପ୍ରତିଶ୍ରୁତି ଦେଇ ଆସୁଛନ୍ତି କିନ୍ତୁ କେବଳ ଖିଣ୍ଡା ଗ୍ରାମକୁ ଛାଡିଦେଲେ ଅନ୍ୟ ପୁର୍ନବସତି ଗ୍ରାମକୁ  ଉପଯୁକ୍ତ ରାସ୍ତା ନାହିଁ। ନଦୀବନ୍ଧ ଯୋଜନାରେ ଖିଣ୍ଡା ଗ୍ରାମର ସମସ୍ତ ଚାଷ ଜମି ବୁଡିଗଲା। ପ୍ରତ୍ୟକ ପରିବାରକୁ ଚାଷ ଜମି ଯୋଗାଇ ଦେବା ସହିତ ଉକ୍ତ ଜମିରେ ଜଳ ସେଚନର ବ୍ୟବସ୍ଥା କରିବା ପାଇଁ ବିଧାୟକଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନିକଟରେ ଦାବି କରାଯାଇଛି କିନ୍ତୁ ଫଳ ଶୂନ୍।  ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ର ହାତ ପାଆନ୍ତାରେ ହିରାକୁଦ ଜଳଭଣ୍ଡାର ର ବିସ୍ତିର୍ଣ୍ଣ ଜଳ ଭଣ୍ଡାର ଥାଇ ବି ଖିଣ୍ଡା ଗ୍ରାମବାସୀ ପିଇବାପାଣି ପାଇଁ ସକାଶେ ଡହଳ ବିକଳ ହେଉଛନ୍ତି। ତଳାବିରା ଠାରେ ପ୍ରତିଷ୍ଠିତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ପାଇପ୍ ଯୋଗେ ଆସୁଥିବା ପାନୀୟ ଜଳ ସମୁଦ୍ର କୁ ଶଙ୍ଖେ ସଦୃଶ ହେଉଛି। ଗାଁ ପାଖ ରେ ହିରାକୁଦ ଜଳଭଣ୍ଡାର ଥାଇ ବି ଚାଷ ଜମି କୁ ପାଣି ନାହିଁ କି ଜନସାଧାରଣ ଙ୍କ ଚାହିଦା ମୁତାବକ ପିଇବା ପାଇଁ ପର୍ଯ୍ୟାପ୍ତ ପାଣି ର ବ୍ୟବସ୍ଥା କରାଯାଉ ନାହିଁ ବୋଲି ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପ୍ରଥମେ ହିରାକୁଦ ନଦୀବନ୍ଧ ଯୋଜନା ଏବଂ ପରେ  ହିଣ୍ଡାଲକୋ, କୋଇଲା ଖଣି,  ଏବ୍.ଏଲ୍.ସି  କୋଇଲା ଖଣି, ଭୂଷଣ ଷ୍ଟିଲ କାରଖାନା ଆଦି ବହୁରାଷ୍ଟ୍ରିୟ କମ୍ପାନୀର ଖଣି ଓ କାରଖାନା ଯୋଗୁଁ ଖିଣ୍ଡା ଅଞ୍ଚଳବାସୀ ପୁଣିଥରେ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟ,ଶିକ୍ଷା,ପାନୀୟଜଳ,ଗମନାଗମନ ଓ ସାମାଜିକ ଭିତ୍ତିଭୂମି ର ଉନ୍ନତି ହେବା ପରିବର୍ତ୍ତେ ଅଧୋଗତି ହେବାରେ ଲାଗିଛି। ଖିଣ୍ଡା ଠାରେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହାଇସ୍କୁଲ ଏପର୍ଯ୍ୟନ୍ତ ସମ୍ପୂର୍ଣ ସରକାରୀ ହୋଇନାହିଁ। ସ୍କୁଲର ପାଚେରି ଅଧାପନ୍ତରିଆ ରେ ପଡିଛି। ଏଠାରେ ଥିବା ଡାକ୍ତରଖାନା ମାତ୍ର ଜଣେ ଡାକ୍ତର ଙ୍କ ଭରସାରେ ଚାଲିଛି। ଖଣି ଏବଂ କାରଖାନା ର ପ୍ରଦୂଷଣ ଯୋଗୁଁ ଏ ଅଞ୍ଚଳର ଲୋକେ ନାନାପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଦୃଷ୍ଟିରୁ ଖିଣ୍ଡା ଡାକ୍ତରଖାନା କୁ ସଂପ୍ରସାରଣ କରାଯାଇ ଏଠାରେ ଡାକ୍ତର ସଂଖ୍ୟା ବୃଦ୍ଧି କରାଯାଇ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦୀର୍ଘ ବର୍ଷ ହେଲା ଦାବି ହେଉଥିଲେ ବି ସରକାର ଶୁଣୁ ନାହାନ୍ତି। ବିକାଶ ନାଁ ରେ ଦୁଇ ଦୁଇ ଥର ବିସ୍ଥାପନ ର ଦୁଃଖ ଭୋଗିଥିବା ଏ ଅଞ୍ଚଳବାସୀଙ୍କ ପାଇଁ ବିକାଶ ଏକ ଲଲିପପ୍ ପାଳଟି ଯାଇଛି। ବିକାଶ ନାଁ ରେ ଅଞ୍ଚଳବାସୀ ଙ୍କ ଉପରେ ପୁଣି ଲଦି ଦିଆଯାଇଛି କର୍ପୋରେଟ ରାଜ୍  ଏବଂ ଶିଳ୍ପାନୁଷ୍ଠାନ ର ଧୂଳିଧୂଆଁ ଓ କୋଇଲା ଗୁଣ୍ଡ ର କଳାବାଦଲ । ଏସବୁ ଜନସମସ୍ୟା ର ପ୍ରତିକାର ପାଇଁ ଭାଷଣ ଏବଂ ପ୍ରତିଶ୍ରୁତି ନୁହେଁ ଆନ୍ତରିକତା ପୂର୍ଣ  ଦୃଷ୍ଟାନ୍ତ ମୂଳକ ଫଳପ୍ରସୂ ଯୋଜନାର ଆବଶ୍ୟକତା ରହିଛି। କିନ୍ତୁ ଚରମ ବିଡମ୍ବନା ର ବିଷୟ ଯେ  ସ୍ୱାଧିନତାପ୍ରାପ୍ତିର ୭୩ବର୍ଷ ପରେ ବି ସରକାର ଏଥିପ୍ରତି ଉଦାସୀନ ରହୁଥିବାର ଦେଖିବାକୁ ମିଳୁଛି। ବିଗତ ଦିନ ମାନଙ୍କ ରେ କେତେକ ରାଜନେତା  ନିଜ  ନିଜର  ରାଜନୈତିକ ପତିଆରା ଏବଂ ପ୍ରତିଷ୍ଠା ବୃଦ୍ଧି ପାଇଁ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସମାରୋହ ଆୟୋଜନ ପାଇଁ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ତଥା କଥିତ ନେତାମାନେ ଜନ୍ମପୀଠର ବିକାଶ ଓ ମୌଳିକ ଜନ ସମସ୍ୟା ସମାଧାନ ତଥା ସୁରେନ୍ଦ୍ର ସାଏଙ୍କ ସ୍ମୃତି ରକ୍ଷା  ଦିଗରେ ଆନ୍ତରିକ ଉଦ୍ୟମ କରୁ ନଥିବା ସଚେତନ ନାଗରିକ ମହଲ ରେ ଚର୍ଚ୍ଚା ହେଉଛି।

ଉତ୍ତରଦାୟାଦଙ୍କୁ ମଧ୍ୟ ଉପେକ୍ଷା

ସରକାର ସ୍ୱାଧିନତା ସଂଗ୍ରାମୀଙ୍କ ଦାୟାଦ ମାନଙ୍କୁ ପେନ୍ସନ୍ ଦିଆଯିବ ବୋଲି ଘୋଷଣା କରିଛନ୍ତି। ସୁରେନ୍ଦ୍ର ସାଏ ଙ୍କ ଦୟାଦ ଅଣନାତି ଲାଲ ଫକିର ସାଏ ଙ୍କୁ ଅଦ୍ୟାବଧି ପେନସନ ମିଳି ନାହିଁ। ଏହା ବ୍ୟତିତ ସୁରେନ୍ଦ୍ର ସାଏ ଙ୍କ ଉତ୍ତର ଦାୟାଦ ତଥା  ଉତ୍ତରାଧିକାରି ସୁତ୍ରେ ଯେଉଁ ଜମି ପାଇବା କଥା ସେଥିରୁ ତାଙ୍କୁ ବଞ୍ଚିତ କରାଯାଇଛି ବୋଲି କ୍ଷୋଭ ପ୍ରକାଶ କରନ୍ତି ସୁରେନ୍ଦ୍ର ସାଏ ଙ୍କ ଅଣନାତି ଲାଲ୍ ଫକିର ସାଏ।  ଫକିର ସାଏ ଙ୍କ କହିବା ଅନୁଯାୟୀ ସୁରେନ୍ଦ୍ରସାଏ ଙ୍କ ବୋହୂ କୃଷ୍ଣପ୍ରିୟା ଦେବୀଙ୍କୁ ୯/୨/୧୮୬୫ ମସିହାରେ ଇଂରେଜ ସରକାରଙ୍କ ଅନୁମୋଦନକ୍ରମେ ଡେପୁଟି କମିଶନର କମର୍ଲି ସାହେବ ମାଫି ସୁତ୍ରେ ତଲାବିରା,ଖିଣ୍ଡା,ଦନ୍ତାମୁରା.ଚାଲଟିକ୍ରା ଏବଂ ଲାଣ୍ଡୁପାଲି ଗ୍ରାମ ରବ ସତ୍ତ୍ୱାଧିକାର ପ୍ରଦାନ କରିଥିଲେ। ଏହି ଆଦେଶ କୁ କେହି ବଧା ଦେଇପାରିବେ ନାହିଁ ବୋଲି ଡେପୁଟି କମିଶନର ତାଙ୍କ ର ଆଦେଶନାନମା ରେ ଉଲ୍ଲେଖ କରିଥିଲେ। ତେବେ ପରବର୍ତ୍ତି ସମୟରେ ଦେଶ ସ୍ୱାଧିନ ହେଲା ପରେ ହିରାକୁଦ ନଦୀବନ୍ଧ ଯୋଜନାରେ ଖିଣ୍ଡା ଅଞ୍ଚଳର ସବୁ ଚାଷ ଜମି ବୁଡିଗଲା । ଯେଉଁ ଜମିରେ ଜଳ ଭଣ୍ଡାରର ପାଣି ମାଡୁ ନାହିଁ  ସେଥିମଧ୍ୟରୁ ପ୍ରାୟ ୫ଏକର ଜମି ଚାଷ ଉପଯୋଗୀ ହୋଇଥିବାରୁ ସେହି ଜମିକୁ କରସୁତ୍ରେ ଦେଇ ଚାଷବାସ କରୁଥିବାର ଶ୍ରୀ ସାଏ କହିଛନ୍ତି। ତେବେ ନଦୀବନ୍ଧ ଯୋଜନା ପୂର୍ବରୁ ତାଙ୍କ ପୂର୍ବପୁରୁଷ ଙ୍କ ଦଖଲ ରେ ଥିବା  ପାଣି ମାଡୁ ନଥିବା  ଜମି କୁ କିଛି ଲୋକ ଜୋର୍ ଜବରଦସ୍ତି ନିଜ କବଜାରେ ରଖିଛନ୍ତି। ଏହି ଜମି କୁ ଫେରିବା ପାଇଁ ଲାଲ ଫକିର ସାଏ  ଦୀର୍ଘ ବର୍ଷ  ହେଲା ଜିଲ୍ଳାପାଳ ଏବଂ ଏବଂ ଜୟନ୍ତୀ ସମାରୋହରେ ଅତିଥି ରୂପେ ଯୋଗ ଦେବା ପାଇଁ ଆସି ଥିବା ମୁଖ୍ୟମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ତଥା ଅନ୍ୟ ମନ୍ତ୍ରୀ ମାନଙ୍କୁ ଲିଖିତ ଆକାରରେ ଦାବି ଉପସ୍ଥାପନ କରିଛନ୍ତି। କିନ୍ତୁ ଫଳ ଶୂନ ବୋଲି କହନ୍ତି ଲାଲ ଫକିର ସାଏ। ଖିଣ୍ଡା ପଞ୍ଚାୟତ ର ଦୁଇ ଥର ସରପଞ୍ଚ ଏବଂ ଥରେ  ରେଙ୍ଗାଲି ବ୍ଳକ୍  ର ଭାଇସ୍ ଚେୟାରମେନ ନିର୍ବାଚିତ ହୋଇଥିବା ଲାଲ ଫକିର ସାଏ ଙ୍କ ଭଷା ରେ ସୁରେନ୍ଦ୍ର ସାଏ ଙ୍କ ସ୍ମୃତି ରକ୍ଷା ତଥା  ତାଙ୍କର ଜୟନ୍ତୀ ଓ ତିରୋଧାନ ଦିବସ ପାଳନ କରିବା ଦିଗ ରେ ସରକାର ଆଦୌ ସହାୟତା କରୁନାହାନ୍ତି। ଏହା ଅତି ଦୁଃଖ ଏବଂ ପରିତାପ ର ବିଷୟ ବୋଲି କହନ୍ତି ଲାଲ ଫକିର ସାଏ। ରାଜ୍ୟ ସରକାର ଏହାର ସମ୍ପୂର୍ଣ ଦାୟିତ୍ୱ ନେବା ଉଚିତ ବୋଲି ଶ୍ରୀ ସାଏ ଦାବି କରିଛନ୍ତି।  ସୁରେନ୍ଦ୍ର ସାଏ ଙ୍କ ଜନ୍ମପୀଠ ଖିଣ୍ଡା ଗାଁରେ ପିଇବା ପାଣିର ଘୋର ଅସୁବିଧା । ପାଖରେ ଥିବା ଜଳ ଭଣ୍ଡାର ରୁ କଳ କାରଖାନା କୁ ପାଣି ଦିଆଯାଉଛି କିନ୍ତୁ ସଂଗ୍ରାମୀ ପୀଠ ର ବାସିନ୍ଦା ଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ନାହିଁ। ଗାଁର ଲୋକେ ଏକମାତ୍ର ନଳକୂଅ ଉପରେ ନିର୍ଭର କରୁଛନ୍ତି। ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିବା ଜନ୍ମପୀଠରେ ଥିବା ଅଲୋକ ବ୍ୟବସ୍ଥା ଦୀର୍ଘ ବର୍ଷ ହେଲା ବିପର୍ଯ୍ୟସ୍ତ ଅବସ୍ଥାରେ ପଡିଛି ତାହା ସଜାଡିବା ପାଇଁ ପ୍ରଶାସନ ର ନିଘା ନାହିଁ । ଏଭଲି ଘୋର ଅବହେଳା ଏବଂ ଅବ୍ୟବସ୍ଥା ଘେରରେ ଖିଣ୍ଡା ଗ୍ରାମ ଅବହେଳିତ ଅବସ୍ଥାରେ ପଡି ରହିଛି। ମନ୍ତ୍ରୀ ନେତା ମାନେ ଏସବୁ ଜାଣି ଥିଲେ ମଧ୍ୟ ପ୍ରତିକାର ହେଉ ନାହିଁ ବୋଲି ଶ୍ରୀ ସାଏ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ୱାଧିନତା ପାଇଁ ମୋର ବଂଶଜ ମାନେ ପ୍ରାଣ ବଳି ଦେଇଛନ୍ତି। କିନ୍ତୁ ସରକାର ସେମାନଙ୍କ ଏବଂ ତାଙ୍କର ସାଥୀ ସଂଗ୍ରାମୀ ଯୋଦ୍ଧା ମାନଙ୍କୁ ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦା ଦେଉନାହାନ୍ତି କି ତାଙ୍କର ସ୍ମୃତି ରକ୍ଷା ର ବ୍ୟବସ୍ଥା କରୁନାହାନ୍ତି । ୧୯୪୧ ମସିହାରେ ଆମ ପରିବାର ର ରମାକୁମାରି ସାଏ ଙ୍କ ଦ୍ୱାରା ପ୍ରାଚିନ କାରୁକାର୍ଯ୍ୟ ଶୈଳିରେ  ନିର୍ମିତ ଭବ୍ୟ ରାଧାକୃଷ୍ଣ ମନ୍ଦିର ଜରାଜିର୍ଣ୍ଣ ହୋଇ ପଡିଛି । ଏହି ମନ୍ଦିର କୁ ଏକ ସ୍ମାରକି ରୂପେ ସଂରକ୍ଷିତ ରଖାଯିବ ବୋଲି ୨୦୧୦ ମସିହାରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରତିଶ୍ରୁତି ଦେଇ ଥିଲେ। କିନ୍ତୁ ଅଦ୍ୟାବଧି ତାଙ୍କର ପ୍ରତିଶ୍ରୁତି କାର୍ଯ୍ୟକରି ହୋଇ ନାହିଁ। ସରକାର ଙ୍କ ଏଭଳି ମନୋଭାବ ପୂଜ୍ୟ ପୂଜା ପ୍ରତି ଚରମ ଅସମ୍ମାନ ପରିଚାୟକ ଅଟେ ବୋଲି ସୁରେନ୍ଦ୍ର ସାଏ ସ୍ମୃତି ସଂସଦ ର ସଭାପତି ତଥା ସୁରେନ୍ଦ୍ର ସାଏ ଙ୍କ ଅଣନାତି ଲାଲ ଫକିର ସାଏ ତାଙ୍କର ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।

 ସ୍ମୃତି ଭବନ ନା ପରିତ୍ୟକ୍ତ ଗୋଦାମ ଘର…

୨୦୧୦ ମସିହା ରେ ତତ୍କାଳିନ ସଂସ୍କୃତି ବ୍ୟାପାର ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର  ସୁରେନ୍ଦ୍ର ସାଏ ଙ୍କ ଜନ୍ମପୀଠ ରେ ଉଦଘାଟନ କରିଥିଲେ ସୁରେନ୍ଦ୍ର ସାଏ ମେମୋରିଆଲ୍ ହଲ୍। ଉଦଘାଟନ ସମୟ ରେ ମନ୍ତ୍ରୀ ମହାଶୟ କହିଥିଲେ ଯେ ଏହି ସ୍ମୃତି ଭବନ ରେ ସୁରେନ୍ଦ୍ର ସାଏ ଏବଂ ତାଙ୍କ ର ଅନୁଗାମୀ ମାନଙ୍କ ର ସ୍ମୃତି ଓ କିର୍ତ୍ତିରାଜ ସଂଗୃହିତ କରାଯାଇ ସଂରକ୍ଷିତ କରି ରଖାଯିବ। କିନ୍ତୁ ଅଦ୍ୟାବଧି ଏଦିଗ ରେ କୌଣସି ପଦେକ୍ଷପ ଗ୍ରହଣ କରାଯାଇ ନାହିଁ। ସୁରେନ୍ଦ୍ର ସାଏ କି ତାଙ୍କର କୌଣସି ଅନୁଗାମୀଙ୍କ ସ୍ମ୍ମୃତି ର ଚିହ୍ନବର୍ଣ୍ଣ ନାହିଁ। ପରିତ୍ୟକ୍ତ ଗୋଦାମ ଘର ଭଲି ଖାଳି ବୁଢିଆଣି ଜାଳରେ ଛନ୍ଦି ହୋଇ ପଡିଛି  ସ୍ମ୍ମୃତି ଭବନ। ଏହାର ରକ୍ଷଣାବେକ୍ଷଣ ଓ ଯତ୍ନ କରିବା ପାଇଁ କାହାରିକୁ ଦାୟିତ୍ୱ ଦିଆଯାଇ ନଥିବାରୁ ସ୍ମ୍ମୃତି ଭବନ ଅଳିଆ ଆବର୍ଜନା ରେ ପରିପୂର୍ଣ ହୋଇ ପଡି ରହିଛି।

  ଅବ୍ୟବସ୍ଥା ଘେରରେ ଖିଣ୍ଡା ଛକରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି

ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ର ଖିଣ୍ଡା ଛକ ପାଖ ରେ ମନ୍ୟବର ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଉକ୍ତ ପ୍ରତିମୂର୍ତ୍ତି ପରିସର ରେ ଉଜ୍ଜଳ ଆଲୋକର ବ୍ୟବସ୍ଥା ନାହିଁ କି ଚାରିପଟେ ପାଚେରୀର ନିର୍ମାଣ ମଧ୍ୟ କରାଯାଇ ନାହିଁ। ଅନାବନା ଘାସବୁଦାର ଜଙ୍ଗଳର ଅପରିଷ୍କାର ପରିବେଶ ଭିତରେ ଥିବା ସ୍ୱାଧିନତା ସଂଗ୍ରାମୀ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି କୋଇଲା ଏବଂ ଦୂଷିତ ଧୂଳି ପାଉଁଶର ମୋଟା ଅସ୍ତରଣ ଜମାଟ ବାନ୍ଧି ରହୁଥିଲେ ବି ଏହାର ସଫା ସୁତୁରା ପାଇଁ କୌଣସି ବ୍ୟବସ୍ଥା ନାହିଁ। ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ଏହାର ଚତୁଃପାର୍ଶ୍ବରେ ସୁନ୍ଦର ଉଦ୍ୟାନ ,ସୁସଜ୍ଜିତ ଆଲୋକମାଳା ,ଜଳଫୁଆରା ଆଦି ର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା। ଖିଣ୍ଡା ଛକ ରୁ ସୁରେନ୍ଦ୍ର ସାଏ ଙ୍କ ଜନ୍ମ ପୀଠ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତା ରେ ଷ୍ଟ୍ରିଟ୍ ଲାଇଟ୍  ଲଗାଇବାକୁ ସରକାର ଦେଇଥିବା ପ୍ରତିଶ୍ରୁତି ଧୁଆବାଣ ପାଲଟିଛି।  ଚକେ ଗଲେ ବାର ହାତ ନୀତିରେ ଅପନ୍ତରା ପରିବେଶ ଭିତରେ ଜାତୀୟ ବୀରଙ୍କ ପ୍ରତିମୂର୍ତ୍ତି ରାଜ୍ୟ ରାଜପଥ ପାର୍ଶ୍ବରେ ଦଣ୍ଡାୟମାନ ହୋଇଛି। ଏହି ବାଟରେ କେତେମନ୍ତ୍ରୀ ନେତା ବଡବଡ ହାକିମ ମାନେ ଯାଉଛନ୍ତି କିନ୍ତୁ ଅପନ୍ତରା ସ୍ଥିତି ରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି କୁ କାହାରି ନିଘା ନାହିଁ। ଏସବୁ ଅବ୍ୟବସ୍ଥା କୁ ଦେଖିଲେ ସୁରେନ୍ଦ୍ର ସାଏ ଙ୍କ ପ୍ରତି ଆମ ସରକାର ଏବଂ ନେତା ମାନଙ୍କ ସମ୍ମାନ କେତେ ତାହା ସହଜରେ ଅନୁମାନ କରାଯାଇପାରେ। ସୁରେନ୍ଦ୍ରସାଏ ଙ୍କ ସ୍ମ୍ମୃତି ଚାରଣ ନାଁରେ କୁମ୍ଭିର କାନ୍ଦଣା କାନ୍ଦୁଥିବା ଆମର ନେତା ଏବଂ ଉଚ୍ଚ ପ୍ରଶାସନିକ ଅଧିକାରୀମାନଙ୍କ ଉଚ୍ଚାରଣ ଏବଂ ଆଚରଣରେ ଆକାଶ ପାତାଳ ଫରକ୍ ରହୁଥିବାରୁ ଏହି ଅବ୍ୟବସ୍ଥା ଲାଗିରହିଛି ବୋଲି ଜନସାଧାରଣ ରେ ପ୍ରତିକ୍ରୟା ପ୍ରକାଶ ପାଉଛି।

ଉପେକ୍ଷିତ ସ୍ମାରକି ; ସେଦିନ ର ଅଭେଦ ଦୁର୍ଗ ଆଜି ଲଣ୍ଡା ପାହାଡ

ସରକାର ଯେ କେବଳ ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ କୁ ଅବହେଲା କେରି ଆସୁଛନ୍ତି ତା’ ନୁହେଁ। ଭାରତୀୟ ମୁକ୍ତି ସଂଗ୍ରାମ ପାଇଁ ସୁରେନ୍ଦ୍ର ସାଏ ଙ୍କ ଅଭେଦ ଦୁର୍ଗ ବୋଲି ବିବେଚିତ ହେଉଥିବା ଝରଘାଟି ଏବଂ ଗଡପାଟି ଦୁର୍ଗ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରଯାଉଛି। ମୁକ୍ତି ସଂଗ୍ରାମର ମୁକ ସାକ୍ଷୀ ଏହି ଦୁର୍ଗକୁ ସ୍ମାରକି ରୁପେ ସଂରକ୍ଷିତ କରାଯାଇ ଏକ ଐତିହାସିକ ଦର୍ଶନୀୟ ସ୍ଥାନ ରୂପେ ବିକଶିତ କରିବା ପାଇଁ ଲୋକେ ଦାବୀ କରିୁଥିଲେ ମଧ୍ୟ ସରକାର ନୀରବଦ୍ରଷ୍ଟା ହୋଇ ରହିଛନ୍ତି। ସେଦିନ ର ଅଭେଦ୍ୟ ଦୁର୍ଗ ବୋଲାଉଥିବା ଝରଘାଟି ପର୍ବତ ଆଜି ଲଣ୍ଡା ପାହାଡ ରୂପେ ୧୦ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ଦଣ୍ଡାୟମାନ ହୋଇ ରହିଛି। ଝରଘାଟି ଦୁର୍ଗ ପାଖ ରେ ପୁରଣା ରାଞ୍ଚିରୋଡ ପାର୍ଶ୍ବରେ ଥିବା ଗଡପାଟି ଦୁର୍ଗ ମଧ୍ୟ ଧ୍ୱଂସାଭିମୁଖି ହେବାକୁ ବସିଲାଣି। ଏହି ଦୁର୍ଗ ବ୍ୟତିତ ସୁରେନ୍ଦ୍ର ସାଏଙ୍କ ଅନ୍ୟତମ ଦୁର୍ଗ ମଉଲା-ଭଣଜା ପର୍ବତ ମଧ୍ୟ ଉପେକ୍ଷିତ । ଏହି ପର୍ବତ ରେ ଥିବା ଗୁମ୍ଫାରେ ରେ ସୁରେନ୍ଦ୍ର ତାଙ୍କ ସୈନ୍ୟମାନଙ୍କ ସହ ଅବସ୍ଥାନ କରୁଥିଲେ। ସେହି ଗୁମ୍ଫା ଏବେ ବି ବିଦ୍ୟମାନ। ସରକାର ଙ୍କ ଏଭଲି ମନୋଭାବ ଜାରି ରହିଲେ ଆଉ କିଛି ବର୍ଷ ପରେ ସ୍ୱାଧିନତା ସଂଗ୍ରାମ ଏହି ସ୍ମାରକି ବିସ୍ମୃତି ଗର୍ଭରେ ବିଳିନ ହେବା ନିଶ୍ଚିତ ବୋଲି ଲୋକେ ଆଶଙ୍କା ପ୍ରକାଶ କରୁଛନ୍ତି।

ବିସ୍ମୃତି ଗର୍ଭରେ ସୁରେନ୍ଦ୍ରଙ୍କ ଆଖଡା ଭୂମି ; ଇତିହାସ ପୋଥିରୁ ବି ବାଦ୍ 

ଶକ୍ତିଶାଳି ଫିରିଙ୍ଗି ସେନା କୁ ଗରିଲା ଯୁଦ୍ଧ ରେ ନାକେଦମ୍ କରି ଦେଇଥିବା ବିପ୍ଳବି ବୀର ସୁରେନ୍ଦ୍ର ସାଏ ତାଙ୍କର ସେନାବାହିନି କୁ ଯେଉଁ ସ୍ଥାନ ରେ ଯୁଦ୍ଧ ବିଦ୍ୟା ତାଲିମ ଦେଉଥିଲେ ସେହି ବୀର ଭୂମି ସବୁ ଠାରୁ ବେଶୀ ଉପେକ୍ଷିତ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଏବଂ କମନକିରା ବ୍ଳକ୍ ସୀମାନ୍ତ ରେ ସମତଳ ଭୂମି ରୁ  ପ୍ରାୟ ୪କିଲୋମିଟର ଉଚ୍ଚତାରେ ଥିବା ଅଖଡାଦାଣ୍ଡ ଜଙ୍ଗଳ ରେ ସୁରେନ୍ଦ୍ର ସାଏ ତାଙ୍କର ସୈନିକ ମାନଙ୍କୁ ଗରିଲା ଯୁଦ୍ଧ କୌଶଳ ତାଳିମ ଦେଉଥିଲେ। ତାଳିମ ସହିତ ସୈନିକ ମାନେ ଆହରଣ କରିଥିବା ଯୁଦ୍ଧ ବିଦ୍ୟା ର ଆଖଡା ପ୍ରଦର୍ଶନ କରୁଥିଲେ। ତେବେ ଚରମ ବିଡମ୍ବନା ର ବିଷୟ ଯେ ଏଭଲି ଏକ ଗୁରୁତ୍ୱପୂର୍ଣ ସ୍ଥାନ ଇତିହାସ ରେ ସ୍ଥାନ ପାଇ ନାହିଁ। ସୁରେନ୍ଦ୍ର ସାଏ ଙ୍କ ଅମଳ ରେ ଆଖଡାଦାଣ୍ଡ ର ଚତୁଃପାର୍ଶ୍ବ ରେ ସୁରକ୍ଷା ପାଇଁ ଦିଆଯାଇଥିବା ପଥରବାଡ ଏବେ ବି ମୁକ ସାକ୍ଷୀ ରୂପେ ବିଦ୍ୟମାନ ।

ଦେଶ ମାତୃକା ର ମୁକ୍ତି ପାଇଁ ଆଜୀବନ ସଂଗ୍ରାମ କରି ପ୍ରାଣବଳି ଦେଇଥିବା ଏହି ମହାନ୍ ସେନା ନାୟକ ଙ୍କ ସ୍ମ୍ମୃତି ଏବଂ ସ୍ମାରକି ଗୁଡିକ ର ଉପଯୁକ୍ତ ସଂରକ୍ଷଣ ର ବ୍ୟବସ୍ଥା କରିବା ସରକାର ଙ୍କ ନୈତିକ ଦାୟିତ୍ୱ । କିନ୍ତୁ ସ୍ୱାଧିନତା ପ୍ରାପ୍ତିର ୭୩ବର୍ଷ  ବିତିଗଲା ପରେ ବି ଏଦିଗ ରେ ସର୍ବନିମ୍ନ ପଦକ୍ଷେପ ନିଆଯାଇ ନାହିଁ। କେବଳ ଜୟନ୍ତୀ ଏବଂ ତିରୋଧାନ ଦିବସରେ ନେତାମନ୍ତ୍ରୀ ମାନେ ଲୋକ ଦେଖାଣିଆଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭାଷଣ ଦେଲା ପରେ ଭୁଲି ଯାଉଛନ୍ତି ।

କରୋନା କଟକଣା; ଏବର୍ଷ ଜୟନ୍ତୀ ପାଳନରେ ହେବା ନାହିଁ ସଭାସମିତି

ପ୍ରତି ବର୍ଷ ଜାନୁଆରୀ ୨୩ ତାରିଖ ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ଜନ୍ମପୀଠ ଉତ୍ସବ ମୁଖର ହୋଇ ଉଠେ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଅତି ନିରାଡମ୍ବର ଭାବରେ ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ ପାଳନ କରାଯିବ ବୋଲି ସୁରେନ୍ଦ୍ର ସାଏ ସ୍ମୃତି ସଂସଦ ର ସଭାପତି ଲାଲ୍ ଫକିର ସାଏ ଏବଂ କାର୍ଯ୍ୟକାରୀ ସଭାପତି ପିତାମ୍ବର ବିଶ୍ୱାଲ ସୂଚନା ଦେଇଛନ୍ତି। ଚଳିତ ବର୍ଷ ସଭା ସମିତି ଆୟୋଜିତ କରାଯିବ ନାହିଁ । ସକାଲ ୮ଘଣ୍ଟା ସମୟ ବରେ ଖିଣ୍ଡା ଛକରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ୯ଘଣ୍ଟା ସମୟରେ ଜନ୍ମପୀଠ ଖିଣ୍ଡାରେ ଥିବା ପ୍ରତିମୂର୍ତ୍ତି ରେ ପୂଜା ଅର୍ଚ୍ଚନା, ଦୀପ ପ୍ରଜ୍ଜଳନ, ମାଲ୍ୟାର୍ପଣ କରାଗଲା ପରେ ସତ୍ୟନାରାୟଣ ପୂଜାର ଆୟୋଜନ କରାଯାଇଥିବା ସ୍ମୃତି ସଂସଦ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି। ଅପରାହ୍ନ ୨ଟାରୁ ଆରମ୍ଭ ହେବବାକୁ ଥିବା ଭଜନ ସମାରୋହ ରେ ସୋନପୁର ବନ୍ଦିତା ନାଏକ ଏବଂ ଖିଣ୍ଡାର ଜୟ ଜଗନ୍ନାଥବ ଭଜନ ମଣ୍ଡଲି ଭଜ୍ତି ଗୀତ ପରିବେଷନ କରିବାର କାର୍ଯ୍ୟକ୍ରମ ରହିଛି। କରୋନା କଟକଣା ଯୋଗୁଁ ବିନା ସଭାମଞ୍ଚ ଏବଂ ବିନା ଭାଷଣ ରେଚ ପ୍ରଥମ ଥର ପାଇଁ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହେବାକୁ ଯାଉଛି। ଅନ୍ୟଥା ଜୟନ୍ତି କୁ ଖିଣ୍ଡା ଅଞ୍ଚଳବାସୀ ପର୍ବପର୍ବାଣି ଅର୍ଥାତ୍ ଯାତ୍ରା ଭଳି ପାଳନ କରିଥାନ୍ତି।  ଜୟନ୍ତୀ ଦିନ ଘରେ ଘରେ ପିଠାପଣା ହୋଇଥାଏ। ବନ୍ଧୁ ବାନ୍ଧବ ମାନେ ଜୟନ୍ତୀ ଯାତ୍ରା ଦେଖିବାକୁ କୁଣିଆଁ ଆସିଥାନ୍ତି। ଜନ୍ମପୀଠ ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମରେ ଉତ୍ସବ ମୁଖର ହୋଇ ଉଠେ। ଗାଁ ଦାଣ୍ଡରେ ପର୍ବପର୍ବାଣୀ ଭଳି ବିଭିନ୍ନ ପ୍ରକାରର ପସରା ହାଟ ବସିଥାଏ ।

Comments
Loading...