ଘରେ ନକରାତ୍ମକ ଶକ୍ତି କରିଛି ବାସ : ଏହାର ପ୍ରଭାବ ଓ ଜାଣିବାର ଉପାୟ

0

ସମୟ ସମୟରେ ଜୀବନରେ ଏପରି କିଛି ଦିନ ଆସେ ଯେତେବେଳେ ଆମକୁ ଅନୁଭବ ହୁଏ ସବୁକିଛି ଆମ ମନ ମୁତାବକ ହେଉଛି ଓ ସବୁକିଛି ନିଜ ଆୟତ୍ତରେ ରହିଛି। ହେଲେ ହଠାତ୍‍ ଏମିତି କିଛି ହୁଏ, ଯାହାଦ୍ୱାରା ଜୀବନର ମୋଡ଼ ସମ୍ପୂର୍ଣ୍ଣ ବଦଳି ଯାଏ। ପରିସ୍ଥିତି ଆମ ଆୟତ୍ତ ବାହାରକୁ ଚାଲି ଯାଇଥାଏ। ସବୁକିଛି ଆଶାର ବିପରୀତ ହୋଇଥାଏ। ସେହି ସମୟରେ ଆମେ ଏହାର କାରଣ ଖୋଜିଲେ ମଧ୍ୟ ପାଇ ନଥାଉ। ଯଦ୍ୱାରା ଆମେ ଗଭୀର ଚିନ୍ତାଗ୍ରସ୍ତ ହୋଇ ନିରାଶ ହୋଇ ଯାଉ। ହେଲେ ଖୁବ୍‍ କମ୍‍ ଲୋକ ଏ ବିଷୟରେ ଅବଗତ ଥାଆନ୍ତି ଯେ ଏସବୁ ନକରାତ୍ମକ ଶକ୍ତି ବା ଖରାପ ଶକ୍ତିର କାର୍ଯ୍ୟ।
ବାସ୍ତବରେ ଯେତେବେଳେ ଆମ ଆଖପାଖରେ ନକରାତ୍ମକ ଶକ୍ତି ରହିଥାଏ, ତାହା ଆମକୁ କିଛି ଖରାପ ବା ଅଶୁଭ ହେବାର ସଙ୍କେତ ଦେଇଥାଏ। ଏହି ଶକ୍ତି ଯେ କୌଣସି ସମୟରେ ଆପଣଙ୍କ ଘର, ପରିବାରକୁ ଘେରି ପାରେ। ନକରାତ୍ମକ ଶକ୍ତିର ଶୀକାର ହେଲେ ଏହି ସବୁ ସମସ୍ୟା ଦେଖା ଦେଇଥାଏ –
– ବିନା କାରଣରେ ଘରେ ଅଶାନ୍ତି ଲାଗି ରହେ।
– ଘରକୁ ଆସିବା ମାତ୍ରେ ମାନସିକ ଅବସ୍ଥା ଖରାପ ହୋଇଯାଇ ଥାଏ।
– ଘରର ଜିନିଷ ଶୀଘ୍ର ଖରାପ ହେବାକୁ ଲାଗେ।
– ପୂଜାପାଠରେ ମନ ଲାଗି ନଥାଏ।
– ପରସ୍ପର ମଧ୍ୟରେ କଳହ ଲାଗି ରହେ।
ସଙ୍କେତ :
ଆପଣ ଗୃହର କୌଣସି କୋଣରେ ଏକ ଶସ୍ୟ ଶ୍ୟାମଳା ଗଛ ଆଣି ରଖିଛନ୍ତି। ଘରେ ସବୁକିଛି ଠିକ୍‍ଠାକ୍‍ ଚାଲିଛି ଓ ଶାନ୍ତି ବଜାୟ ରହିଛି। ତା’ପରେ ହଠାତ୍‍ ସେ ଗଛ ଶୀଘ୍ର ଶୀଘ୍ର ଶୁଖିବାକୁ ଲାଗିଲା। ତା’ ସହ ସବୁକିଛି ଖରାପ ହେବାକୁ ଲାଗିଲା ଓ ଘରେ ଅଶାନ୍ତି ବୃଦ୍ଧି ପାଇବାକୁ ଲାଗିଲା। ଏପରି ହେବା ଦ୍ୱାରା ଆପଣଙ୍କ ଚିନ୍ତା ବଢିବାକୁ ଲାଗିଥାଏ। ଏହି ପରିସ୍ଥିତିରେ କିଛି ଲୋକ ଗଛର ସ୍ଥାନ ପରିବର୍ତ୍ତନ କରିଦେଇ ଥାଆନ୍ତି। ସ୍ଥାନ ପରିବର୍ତ୍ତନ କରିବା ମାତ୍ରେ ଗଛ ସତେଜ ହୋଇ ଉଠେ ଓ ଆପଣଙ୍କ ଚିନ୍ତା କମିବାକୁ ଲାଗେ। ଗୃହର କୌଣସି ବି କୋଣରେ ଆପଣଙ୍କୁ ଏହିଭଳି ପ୍ରଭାବ ଦେଖିବାକୁ ମିଳିପାରେ। ଏହାର ଅର୍ଥ ଗୃହର ସେହି ଭାଗରେ ନକରାତ୍ମକ ଶକ୍ତି ରହିଥାଇ ପାରେ ଯାହା ଆପଣଙ୍କ ଉପରେ ବିପରୀତ ପ୍ରଭାବ ପକାଇଥାଏ।
ପରୀକ୍ଷା :
ଘରେ ନକରାତ୍ମକ ଶକ୍ତି ଅଛି କି ନାହିଁ ଜାଣିବା ପାଇଁ ଗୋଟିଏ ଗ୍ଲାସ୍‍ରେ ପାଣି ନିଅନ୍ତୁ। ସେଥିରେ କିଛି ଲୁଣ ମିଶାଇ ଘରର ଏପରି ଏକ କୋଣରେ ରଖନ୍ତୁ ଯେଉଁଠି କାହାର ନଜର ନପଡ଼ିବ। ଧ୍ୟାନ ରଖିବେ ଏହି ପାଣି ଗ୍ଲାସ୍‍ରେ ଆପଣଙ୍କ ନଜର ମଧ୍ୟ ଯେପରି ନପଡ଼େ। ୨୪ ଘଣ୍ଟା ପରେ ଆପଣ ଏହି ଗ୍ଲାସ୍‍କୁ ଦେଖିପାରିବେ। ଯଦି ଗ୍ଲାସ୍‍ରେ ଥିବା ପାଣିର ରଙ୍ଗ ଗୋଲାପି ହୋଇଯାଏ ତେବେ ଜାଣିବେ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ରହିଛି। ପାଣିର ରଙ୍ଗ ନବଦଳିଲେ, ଏହା ଆପଣଙ୍କ ମନର ଭ୍ରମ ଭାବି ଭୁଲି ଯାଆନ୍ତୁ।

Leave A Reply