ରାଉରକେଲାର ଛାତ୍ର ନିଟ୍‌ ଟପ୍ପର

ରାଉରକେଲା : ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକ ପରୀକ୍ଷା(ନିଟ୍‌)ରେ ରାଉରକେଲାର ଛାତ୍ର ସୋଏବ ଅଫତାବ ପ୍ରଥମ ହେବା ଖବର ପ୍ରଚାରିତ ହେବା ପରେ ସହରରେ ଛାତ୍ରଛାତ୍ରୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଏହା ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଜି ଚର୍ଚ୍ଚାର ବିଷୟ ହୋଇଛି।
ରାଉରକେଲା ଆଜାଦ ବସ୍ତିରେ ରହୁଥିବା ଆବାସ ଅଫତାବଙ୍କ ପୁଅ ସୋଏବ ଅଫତାବ ସର୍ବଭାରତୀୟ ନିଟ ପରୀକ୍ଷାରେ ରେକର୍ଡ ହାସଲ କରିଛନ୍ତି। ପ୍ରଥମ ଥର ପାଇଁ ୭୨୦ରୁ ୭୨୦ ନମ୍ବରୁ ରଖି ସେ ଭାରତରେ ପ୍ରଥମ ସ୍ଥାନ ହାସଲ କରି ହୋଇ ରାଉରକେଲା ତଥା ଓଡ଼ିଶାରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ରାଉରକେଲା ଡିସୌଜା ସ୍କୁଲରୁ ସେ ଦଶମ ଶ୍ରେଣୀରେ ୯୬ପ୍ରତିଶତ ପାସ୍‌ କରିଥିଲେ। ସେହିପରି କୋଟାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୭ପ୍ରତିଶତ ନମ୍ବର ରଖିଥିଲେ। କୋଟାର ଆଲେନ ଶିକ୍ଷାନୁଷ୍ଠାନରେ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ )ପାଇଁ କୋଚିଂ ନେଉଥିଲେ। ରାଉରକେଲାର ବିଭିନ୍ନ ମହଲରୁ ସୋଏବଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ସେ ପଦାର୍ଥ ବିଜ୍ଞାନରେ ୧୮୦,ରସାୟନ ବିଜ୍ଞାନରେ ୧୮୦ ଓ ଜୀବ ବିଜ୍ଞାନରେ ୩୬୦ ନମ୍ବର ରଖିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସୋଏବଙ୍କ ପିତା ଅଫତାଵଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ । ଛୋଟ ମୋଟ ବ୍ୟବସାୟ କରି ପରିବାରର ପ୍ରତିପୋଷଣ କରିଥାନ୍ତି। ପୁତ୍ରର ପଠା ପଢ଼ା ଦୃଷ୍ଟିରେ ରଖି ଅଫତାବ କୋଟାରେ କୋଚିଂ ପାଇଁ ଛାଡ଼ିଥିଲେ। ଏକ ଛୋଟ ଘର ନେଇ ମା ଓ ଅଫତାବ ସେଠାରେ ରହୁଥିଲେ। ନିଟ୍‌ରେ ଶତପ୍ରତିଶତ ମାର୍କ ହାସଲରେ ଏହା ପ୍ରଥମ ଘଟଣା ବୋଲି ଦାବି କରାଯାଇଛି। ସୋଏବ ଓ ତାଙ୍କ ବାପା ରାଜସ୍ଥାନର କୋଟାରେ ଆଜି ଥିବା ଖବର ମିଳିଛି। ସେଠାରେ ସମ୍ପୃକ୍ତ କୋଚିଂ ଅନୁଷ୍ଠାନ ଓ ବିଭିନ୍ନ ସଂଗଠନ ପକ୍ଷରୁ ସୋଏବଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ନେଇ ସାମାଜିକ ମାଧ୍ୟମରେ ଖବର ଭାଇରାଲ୍‌ ହୋଇଛି।

Comments are closed.