ପରୀକ୍ଷା ଉପରେ କରୋନା ମାଡ଼ : ନିଟ୍‌ ସ୍ନାତକୋତ୍ତର ପ୍ରବେଶିକା ସ୍ଥଗିତ

ବିଭିନ୍ନ ରାଜ୍ୟ ବୋର୍ଡ ଦଶମ ପରୀକ୍ଷା ବାତିଲ; ଦ୍ବାଦଶ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ବାତିଲ ଓ ଦ୍ବାଦଶ ପରୀକ୍ଷାକୁ ସ୍ଥଗିତ ରଖାଯିବା ପରେ ବିଭିନ୍ନ ରାଜ୍ୟ ସରକାର ସେମାନଙ୍କ ନିଜସ୍ବ ବୋର୍ଡ ପରିଚାଳିତ ଦଶମ ପରୀକ୍ଷାକୁ ବାତିଲ କରିବା ସହିତ ଦ୍ବାଦଶ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହି କ୍ରମରେ ଉତ୍ତରପ୍ରଦେଶ ରାଜ୍ୟ ଶିକ୍ଷା ବୋର୍ଡ ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଗୁରୁବାର ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେଲଙ୍ଗାନା ସରକାର ମଧ୍ୟ ଗୁରୁବାର ରାଜ୍ୟ ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରିବା ସହିତ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ପଞ୍ଜାବ ଓ ହରିୟାଣା ସରକାର ମଧ୍ୟ ସେମାନଙ୍କ ରାଜ୍ୟ ଶିକ୍ଷା ବୋର୍ଡ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଥିବାବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ତେବେ ଗୁଜରାଟ ସରକାର ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି।
ସ୍ନାତକୋତ୍ତର ଡାକ୍ତର ପାଠ ପଢିବା ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏପ୍ରିଲ ୧୮ରେ ନିଟ୍ ସ୍ନାତକୋତ୍ତର ପରୀକ୍ଷା ହେବାକୁ ଥିବାବେଳେ ଆବେଦନକାରୀଙ୍କୁ ୧୩ ତାରିଖରୁ ଏଥିପାଇଁ ଆଡମିଟ୍ କାର୍ଡ (ପ୍ରବେଶପତ୍ର) ପ୍ରଦାନ କରାଯାଇଥିଲା। ଗୁରୁବାର ଏହି ପରୀକ୍ଷାକୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି। ଏମଏସ୍‌ ଓ ଏମଡି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହୀ ଡାକ୍ତରମାନେ ଏହି ପ୍ରବେଶିକା ପରୀକ୍ଷା ଦେଇଥାନ୍ତି। ଏହି ପରୀକ୍ଷା ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଏହି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ଏକ ଡାକ୍ତରୀ ଦଳ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ।

Comments are closed.