ଅଗଷ୍ଟରେ ହୋଇପାରେ ନିଟ୍‌

ଭୁବନେଶ୍ବର: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ଆସନ୍ତା ଅଗଷ୍ଟ ୧ରେ ହୋଇପାରେ। ନିଟ ପରୀକ୍ଷା କରିବାକୁ ନେଇ କେନ୍ଦ୍ର ଶିକ୍ଷା ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି; କିନ୍ତୁ ଏ ସଂକ୍ରାନ୍ତରେ ଜାତୀୟ ପରୀକ୍ଷଣ ସଂସ୍ଥାନ(ଏନଟିଏ) ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ।

ସରକାରୀ ଏବଂ ବେସରକାରୀ ଭେଷଜ ମହାବିଦ୍ୟାଳୟ ଗୁଡିକରେ ଉପଲବ୍ଧ ଡାକ୍ତରୀ ସ୍ନାତକ (ଏମବିବିଏସ୍‌) ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ସାରା ଦେଶରେ ନିଟ୍‌ ଅନୁଷ୍ଠିତ ହେଉଛି। ଏହି ପରୀକ୍ଷା ଏନଟିଏ ପରିଚାଳନା କରୁଛି। ଚଳିତ ବର୍ଷ ଦ୍ବି୍ତୀୟ ଲହର ଆସିବା ଯୋଗୁଁ ପୂର୍ବ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ପରିସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ଏଯାବତ୍‌ ନିଟ୍‌ ପାଇଁ ତାରିଖ ଘୋଷଣା କରାଯାଇନାହିଁ। ଫଳରେ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଲକ୍ଷାଧିକ ଛାତ୍ରଛାତ୍ରୀ ଆଶା ଓ ଅାଶଙ୍କାରେ ରହିଛନ୍ତି। ଗତବର୍ଷ ନିଟ୍‌ ମେ ପ୍ରଥମ ସପ୍ତାହରେ ‌େ‌ହବାକୁ ଥିବାବେଳେ ପ୍ରଥମ ଲହର ଯୋଗୁଁ ସ୍ଥଗିତ ରଖାଯାଇଥିଲା। ସ୍ଥିତି ସ୍ବାଭାବିକ ପରେ ସେପ୍ଟେମ୍ବରରେ ପରୀକ୍ଷା ହୋଇଥିଲା। ବିଦ୍ୟାର୍ଥୀ କରୋନା ମାର୍ଗଦର୍ଶିକା ପାଳନକରି ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଥିଲେ। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଏବଂ ସାମାଜିକ ଦୂରତ୍ବ ରକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଥିଲା। ପୂର୍ବରୁ ୨୫୪୬ କେନ୍ଦ୍ରରେ ନିଟ କରାଯାଉ ଥିବାବେଳେ ୨୦୨୦ରେ କେନ୍ଦ୍ର ସଂଖ୍ୟା ୩୮୪୩କୁ ବୃଦ୍ଧି କରାଯାଇଥିଲା।

ଦେଶରେ ୧୪ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପଞ୍ଜୀକରଣ କରି ପରୀକ୍ଷା ଦେଇଥାନ୍ତି। ରାଜ୍ୟରୁ ପ୍ରାୟ ୪୦ ହଜାର ବିଦ୍ୟାର୍ଥୀ ନିଟ୍‌ ଦେଇଥାନ୍ତି। ପରୀକ୍ଷା ପୂର୍ବରୁ ବିଦ୍ୟାର୍ଥୀଙ୍କୁ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ ପାଇଁ ସମୟ ଦିଆଯିବ।

ସେହିପରି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବର୍ଷକୁ ୪ ଟି ପର୍ଯ୍ୟାୟରେ ଜାତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମୁଖ୍ୟ କରାଯାଉଛି। ଫେବୃଆରୀ ଏବଂ ମାର୍ଚ୍ଚ ପରୀକ୍ଷା ହୋଇ ଫଳ ପ୍ରକାଶ ପାଇ ସାରି ଥିବାବେଳେ ଏପ୍ରିଲ ଏବଂ ମେ ପର୍ଯ୍ୟାୟ ହୋଇନାହିଁ। ଜୁଲାଇ ଏବଂ ଅଗଷ୍ଟରେ ଜେଇଇ ମୁଖ୍ୟ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଖୁବ୍‌ଶୀଘ୍ର ଏ ସମ୍ବନ୍ଧରେ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି କୁହାଯାଉଛି।

Comments are closed.