‘ନିଟ୍‌’ରେ ପୁଣି ବିଭ୍ରାଟ: ହାଇକୋର୍ଟରେ ୭୨୦ ରୁ ୦ ରଖିଥିବା ଛାତ୍ରୀ

ନାଗପୁର: ସଦ୍ୟ ପ୍ରକାଶିତ ଡାକ୍ତରୀ ନାମଲେଖା ପ୍ରବେଶିକା ପରୀକ୍ଷା ‘ନିଟ୍‌’ରେ ପୁଣି ଏକ ବଡ଼ ଧରଣର ବିଭ୍ରାଟ ଅଭିଯୋଗ ହୋଇଛି। ପରୀକ୍ଷାରେ ୭୨୦ ନମ୍ବରରୁ ‘ଶୂନ୍ୟ’ ପାଇଥିବା ମହାରାଷ୍ଟ୍ର, ଅମରାବତୀର ଜଣେ ଛାତ୍ରୀ ବମ୍ବେ ହାଇକୋର୍ଟଙ୍କ ନାଗପୁର ପୀଠରେ ମାମଲା ରୁଜୁ କରିଛନ୍ତି। ସମ୍ପୃକ୍ତ ଛାତ୍ରୀ ବସୁନ୍ଧରା ଭୋଜନେଙ୍କର ୭୨୦ରୁ ୬୦୦ରୁ ଅଧିକ ନମ୍ବର ପାଇବେ ବୋଲି ଆଶା ରଖିଥିବାବେଳେ କିଭଳି ଶୂନ୍ୟ ପାଇଲେ ସେଥିନେଇ ବିସ୍ମୟ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ତାଙ୍କ ଖାତାର ପୁନଃ ମୂଲ୍ୟାୟନ ପାଇଁ ନିର୍ଦେଶ ଦେବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି। ଏଥିସହିତ ଡାକ୍ତରୀ ନାମଲେଖା ପ୍ରକ୍ରିୟା ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ନିବେଦନ କରିଛନ୍ତି। ବସୁନ୍ଧରା ଜଣେ ମେଧାବୀ ଛାତ୍ରୀ। ବୈଷୟିକ ତ୍ରୁଟି କାରଣରୁ ସେ ଶୂନ୍ୟ ପାଇଥାଇପାରନ୍ତି ବୋଲି ମଧ୍ୟ ଆଶଙ୍କା କରିଛନ୍ତି। ତାଙ୍କ ଆବେଦନକୁ ଗ୍ରହଣ କରିବା ସହ ‘ଓଏମ୍‌ଆର୍‌ ସିଟ୍‌’ର ମୂଳ ନକଲ ଦାଖଲ କରିବାକୁ ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷ ନ୍ୟାସନାଲ ଟେଷ୍ଟିଙ୍ଗ୍ ଏଜେନ୍‌ସି (ଏନ୍‌ଟିଏ)କୁ ହାଇକୋର୍ଟ ବିଚାରପତି ଅତୁଳ ଚନ୍ଦୁରକର ଓ ବିଚାରପତି ନୀତିନ ସୂର୍ଯ୍ୟବଂଶୀଙ୍କୁ ନେଇ ଗଠିତ ପୀଠ ନିର୍ଦେଶ ଦେଇଛନ୍ତି। ପୁନଶ୍ଚ ମାମଲା ସହିତ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି ଏବଂ ଆସନ୍ତା ୨୬କୁ ମାମଲାର ପୁନଃ ଶୁଣାଣି ଧାର୍ଯ୍ୟ କରିଛନ୍ତି। ‘ଏନ୍‌ଟିଏ’ ମହାନିର୍ଦେଶକ ବିନୀତ ଯୋଶୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କୁ ‘ଓଏମ୍‌ଆର୍‌ ସିଟ୍‌’ ଯାଞ୍ଚ ପାଇଁ ଅନୁମତି ଦିଆଯାଇଛି; ତେବେ ମାମଲାକୁ ନେଇ ଏନ୍‌ଟିଏ ହାଇକୋର୍ଟରେ ଉପଯୁକ୍ତ ଜବାବ ଦାଖଲ କରିବ। ସୂଚନାଯୋଗ୍ୟ ଯେ ଅନୁସୂଚିତ ଜନଜାତି ବର୍ଗର ଜଣେ ଛାତ୍ରୀ ରାଜସ୍ଥାନର ମୃଦୁଳା ରାୱତଙ୍କୁ ୩୨୯ ନମ୍ବର ରଖିଥିବା ଦର୍ଶାଇ ପ୍ରଥମେ ଫେଲ୍‌ କରାଯାଇଥିଲା; କିନ୍ତୁ ପରେ ମୃଦୁଳାଙ୍କ ଓଏମ୍‌ଆର ସିଟ୍‌ ଯାଞ୍ଚ ଦ୍ବାରା ସେ ୬୫୦ ନମ୍ବର ପାଇ ନିଜ ସମ୍ପ୍ରଦାୟ ବର୍ଗରେ ଟପ୍ପର ହୋଇଥିଲେ। ନିଟ୍‌ ପରୀକ୍ଷାରେ ଏଭଳି ନାନା ବିଭ୍ରାଟର ଖବର ଗୋଟିକ ପରେ ଗୋଟିଏ ସାମ୍ନାକୁ ଆସୁଛି।

Comments are closed.