୯ମ ଦିନରେ ୫ ପଦକ : ନୀରଜ ଜିତିଲେ ୮ମ ସ୍ୱର୍ଣ୍ଣ

0

ଜାକର୍ତ୍ତା : ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଭାରତ ପାଇଁ ୮ମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ ଚୋପ୍ରା। ଅଷ୍ଟାଦଶ ଏସୀୟ କ୍ରୀଡ଼ା ନବମ ଦିନରେ ଜାଭଲିନ୍ ଥ୍ରୋରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦ ବର୍ଷୀୟ ନୀରଜ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ହାସଲ କରିଛନ୍ତି। ନୀରଜ ୮୮.୦୬ ମିଟର ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସେହିପରି ସୋମବାର ଭାରତ ଆଉ ୩ଟି ରୌପ୍ୟ ପଦକ ହାସଲ କରିଛି । ୪୦୦ମିଟର ପୁରୁଷ ବାଧା​ ଦୌଡରେ ଧାରୁନ୍ ଆୟାସ୍ୱାମୀ ରୌପ୍ୟ ପଦକ ଜିତିଛନ୍ତି । ମହିଳା ଲମ୍ବ ଡିଆଁରେ ନୀନା ଭାରାକିଲ ଏବଂ ୩୦୦୦ମିଟର ଷ୍ଟିପଲଚେସ୍ ରେ ସୁଧା ସିଂହ ରୌପ୍ୟ ପଦକ ବିଜୟୀ ହୋଇ ଛନ୍ତି । ସୋମବାର ନବମ ଦିନରେ ଭାରତ ଗୋଟିଏ ସ୍ବର୍ଣ୍ଣ,୩ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ସମେତ ମୋଟ ୫ଟି ପଦକ ଜିତିଛି । ପୂର୍ବରୁ ବ୍ୟାଡମିଣ୍ଟନରେ ସାଇନା ନେହୱାଲ ବ୍ରୋଞ୍ଜ ପଦକ ଜିତିଥିଲେ।

ପୁରୁଷ ଜାଭେଲିନ୍‍ରେ ୮୮.୦୬ ମିଟର ଦୂରକୁ ଜାଭେଲିନ୍‍ ଫିଙ୍ଗି ନୀରଜ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏପରି କୃତିତ୍ୱ ସହ ନୀରଜ ପ୍ରଥମ ଭାରତୀୟ ଭାବେ ଏସୀୟ କ୍ରୀଡ଼ାରେ ଜାଭେଲିନ୍‍ ସ୍ୱର୍ଣ୍ଣପଦକ ଜିତି ପାରିଛନ୍ତି। ଏହି ଇଭେଣ୍ଟରେ ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିବାକୁ ଫେଭରିଟ୍‍ ଥିଲେ। ମୁକାବିଲାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନୀରଜ ଆଗୁଆ ରହିଥିଲେ ଏବଂ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବହୁତ ପଛରେ ପକାଇ ଦେଇଥିଲେ। ଏହି ମୁକାବିଲାରେ ନୀରଜ ଏପରି ପ୍ରାଧାନ୍ୟ ବିସ୍ତାର କରିଥିଲେ ଯେ ରୌପ୍ୟପଦକ ଜିତିଥିବା ଚୀନ୍‍ର କ୍ୱିଝେନ୍‍ ଲ୍ୟୁଙ୍କଠାରୁ ନୀରଜ ପାଖାପାଖି ୬ ମିଟର ଆଗରେ ରହିଥିଲେ। ପୁଣି ନୀରଜ ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ ୮ମ ସ୍ୱର୍ଣ୍ଣପଦକ ଜିତାଇଛନ୍ତି। ପୁଣି ନୀରଜଙ୍କ ଏହି ସ୍ୱର୍ଣ୍ଣକୁ ମିଶାଇ ସୋମବାର ଭାରତ ଦୌଡ଼କୁଦରୁ ମୋଟ
୪ଟି ପଦକ ଜିତିପାରିଛି।
ନୀରଜ ତାଙ୍କ ପ୍ରଥମ ପ୍ରୟାସରେ ୮୩.୪୬ ମିଟର ଦୂରତା ହାସଲକରି ସମସ୍ତଙ୍କ ଆଗରେ ରହିଥିଲେ ଏବଂ ସ୍ୱର୍ଣ୍ଣପଦକର ପ୍ରବଳ ଦାବିଦାର ମନେ ହୋଇଥିଲେ। ତାଙ୍କର ୨ୟ ପ୍ରୟାସ ଫାଉଲ୍‍ ହୋଇଥିବା ବେଳେ ୩ୟ ପ୍ରୟାସରେ ନୀରଜ ୮୮.୦୬ ମିଟର ଦୂରତା ହାସଲକରି ସ୍ୱର୍ଣ୍ଣପଦକ ଜିତିବା ପ୍ରାୟ ନିଶ୍ଚିତ କରିଥିଲେ। ୪ର୍ଥ ପ୍ରୟାସରେ ନୀରଜ ୮୩.୨୫ ମିଟର ଏବଂ ୫ମ ପ୍ରୟାସରେ ୮୬.୩୬ ମିଟର ଦୂରତା ହାସଲ କରିଥିବା ବେଳେ ତାଙ୍କର ଶେଷ ପ୍ରୟାସ ଫାଉଲ୍‍ ହୋଇଥିଲା। ନୀରଜଙ୍କ ୮୮.୦୬ ମିଟର ଦୂରତା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଏବଂ ନୂତନ ଜାତୀୟ ରେକର୍ଡ। ରୌପ୍ୟପଦକ ଜିତିଥିବା ଚୀନ୍‍ର କ୍ୱିଝେନ୍‍ ଲ୍ୟୁ ୮୨.୨୨ ଦୂରତା ହାସଲ କରିଥିଲେ। ପାକିସ୍ତାନର ଅର୍ସଦ ନଦ୍ଦିମ୍‍ ୮୦.୭୫ ମିଟର ଦୂରତା ହାସଲକରି ବ୍ରୋଞ୍ଜ୍‍ପଦକ ହାସଲ କରିଥିଲେ। ୨୦ ବର୍ଷ ବୟସ୍କ ହରିୟାଣାର ନୀରଜ ଚୋପ୍ରା ଜର୍ମାନୀର ବିଶ୍ୱବିଖ୍ୟାତ ଜାଭେଲିନ୍‍ ଥ୍ରୋଅର ୟୁୱେ ହନ୍‍ଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। ୨୦୧୬ ଜୁନିୟର ବିଶ୍ୱ ଦୌଡ଼କୁଦ ଚମ୍ପିଆନ୍‍ସିପ୍‍ରେ ସ୍ୱର୍ଣ୍ଣପଦକ ଜିତି ନୀରଜ ଲୋକଲୋଚନକୁ ଆସିଥିଲେ। ସେ ଦୋହା ଡାଏମଣ୍ଡ ଲିଗ୍‍ରେ ୮୭.୪୩ ମିଟର ଦୂରତା ହାସଲକରି ୪ର୍ଥ ସ୍ଥାନରେ ରହିଥିଲେ। ଗତବର୍ଷ ଭୁବନେଶ୍ୱରରେ ଆୟୋଜିତ ଏସୀୟ ଦୌଡ଼କୁଦ ଚମ୍ପିଆନ୍‍ସିପ୍‍ରେ ନୀରଜ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଗୋଲ୍‍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସ୍ୱର୍ଣ୍ଣପଦକ ଜିତିଥିଲେ। ଚଳିତ ଏସୀୟ କ୍ରୀଡ଼ାର ଉଦ୍‍ଘାଟନୀ ଉତ୍ସବରେ ନୀରଜ ଭାରତୀୟ ଜାତୀୟ ପତାକା ବହନ କରିଥିଲେ। ଦେଶକୁ ସ୍ୱର୍ଣ୍ଣପଦକ ଜିତାଇ ନୀରଜ ଜାତୀୟ ପତାକାର ସମ୍ମାନ ରକ୍ଷା କରି ପାରିଛନ୍ତି।

ଧାରୁନ୍‍ ଆୟାସ୍ୱାମୀ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ୪୮.୯୬ ସେକେଣ୍ଡରେ ଫିନିସ୍‍ ଲାଇନ୍‍ ପାର କରିଥିଲେ। କାତାରର ଆବ୍‍ଦେରରେହ୍‍ମାନ ସାମ୍ବା ୪୭.୬୬ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନରେ ରହି ସ୍ୱର୍ଣ୍ଣପଦକ ଜିତିଛନ୍ତି। ଜାପାନର ତାକାତୋସି ଆବେ ୪୯.୧୨ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ପୂର୍ବରୁ ଜଣେ ଜାତୀୟସ୍ତରର ଖୋଖୋ ଖେଳାଳି ଥିବା ଧାରୁନ୍‍ ଆୟାସ୍ୱାମୀ ଗତ କିଛିବର୍ଷ ହେଲା ଜାତୀୟ ସ୍ତରରେ ୪୦୦ ମିଟର ହର୍ଡଲ୍‍ସରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ତାମିଲନାଡ଼ୁର ତିରୁପୁର ଜିଲାର ୨୧ ବର୍ଷ ବୟସ୍କ ଧାରୁନ୍‍ ମାର୍ଚ୍ଚରେ ଫେଡେରେସନ୍‍ କପ୍‍ରେ ୪୯.୪୫ ସେକେଣ୍ଡ ସମୟ ନେଇ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ସେମିଫାଇନାଲରେ ଧାରୁନ୍‍ ୪୯.୫୫ ସେକେଣ୍ଡ ସମୟ ନେଇ ୩ୟ ସ୍ଥାନରେ ରହିଥିଲେ ହେଁ ଫାଇନାଲରେ ତାଙ୍କ ଟାଇମିଂରେ ଉନ୍ନତି କରି ପାରିଛନ୍ତି। ଫାଇନାଲକୁ ଉନ୍ନୀତ ହୋଇଥିବା ଅନ୍ୟ ଭାରତୀୟ ହର୍ଡଲର ଟି. ସନ୍ତୋଷ କୁମାର ୪୯.୬୬ ସେକେଣ୍ଡ ନେଇ ୫ମ ହୋଥିଲେ।

କେରଳର ନୀନା ଭାରାକିଲ ୬.୫୧ ମିଟର ଦୂରକୁ ଡେଇଁ ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତିଛନ୍ତି। ଏହି କ୍ରମରେ ମାତ୍ର ୦.୦୪ ମିଟର ପାଇଁ ନିନା ସ୍ୱର୍ଣ୍ଣପଦକରୁ ବଞ୍ଚିତ ହୋଇଛନ୍ତି। ଇଣ୍ଡୋନେସିଆର ଥି ଥୁ ଥାଓ ବୁଇ ୬.୫୫ ମିଟର ଦୂରକୁ ଡେଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଚୀନ୍‍ର ଜିଆଓଲିଙ୍ଗ୍‍ ଜ୍ୟୁ ୬.୫୦ ଦୂରତା ହାସଲକରି ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ନିନା ଭରାକିଲ ତାଙ୍କ ୪ର୍ଥ ପ୍ରୟାସରେ ୬.୫୧ ମିଟର ଦୂରତା ହାସଲ କରିଥିଲେ; ଯାହା ତାଙ୍କୁ ରୌପ୍ୟ ପଦକ ଜିତାଇବା ନିଶ୍ଚିତ କରିଥିଲା। ନିନା ତାଙ୍କ ପ୍ରଥମ ପ୍ରୟାସରେ ୬.୪୧ ମିଟର, ୨ୟ ପ୍ରୟାସରେ ୬.୪୦ ମିଟର ଓ ୩ୟ ପ୍ରୟାସରେ ୬.୫୦ ମିଟର ଦୂରକୁ ଡେଇଁଥିଲେ। ଶେଷ ପ୍ରୟାସରେ ୬.୫୬ ମିଟର ଦୂରତା ହାସଲ କରିଥିଲେ ନିନା ସ୍ୱର୍ଣ୍ଣପଦକ ଜିତି ପାରିଥାଆନ୍ତେ। ତେବେ ନିନା ଏଥିରେ ମାତ୍ର ୬.୫୦ ମିଟର ଦୂରକୁ ଡେଇଁ ପାରିଥିଲେ। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟ ଭାରତୀୟ ନୟନା ଜେମ୍‍ସ ୬.୧୪ ଦୂରକୁ ଡେଇଁ ୧୧ ଜଣ ଆଥ୍‍ଲେଟ୍‍ଙ୍କ ମଧ୍ୟରେ ୧୦ମ ସ୍ଥାନରେ ରହିଥିଲେ।

ଉତ୍ତର ପ୍ରଦେଶର ରାଏ ବରେଲିର ସୁଧା ସିଂହ ୯ ମିନିଟ ୪୦.୦୩ ସେକେଣ୍ଡ ସମୟ ନେଇ ୨ୟ ସ୍ଥାନରେ ରହିଥିଲେ। ବାହାରେନ୍‍ର ୱିନ୍‍ଫ୍ରେଡ୍‍ ୟାବି ୯ ମିନିଟ ୩୬.୫୨ ସେକେଣ୍ଡରେ ରେସ୍‍ ସମାପ୍ତକରି ସ୍ୱର୍ଣ୍ଣପଦକ ଜିତି ପାରିଛନ୍ତି। ଭିଏତ୍‍ନାମର ଥି ଓଆନ୍‍ ଏନ୍‍ଗୁୟେନ୍‍ ୯ ମିନିଟ ୪୩.୮୩ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍‍ପଦକ ଜିତିଥିଲେ। ସୂଚନାଯୋଗ୍ୟ; ଏସୀୟ କ୍ରୀଡ଼ାରେ ଏହା ସୁଧା ଙ୍କର ୨ୟ ପଦକ। ୩୨ ବର୍ଷ ବୟସ୍କା ସୁଧା ୨୦୧୦ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଗତଥର ୪ର୍ଥ ସ୍ଥାନରେ ରହିଥିଲେ। ପୁଣି ଗତବର୍ଷ ଭୁବନେଶ୍ୱରରେ ଆୟୋଜିତ ଏସୀୟ ଦୌଡ଼କୁଦ ଚମ୍ପିଆନ୍‍ସିପ୍‍ରେ ସୁଧା ସିଂହ ୩୦୦୦ ମିଟର ଷ୍ଟିପ୍‍ଲଚେସ୍‍ରେ ସ୍ୱର୍ଣ୍ଣପଦକ ଜିତିଥିଲେ। ୨୦୧୩ ଏସୀୟ ଚମ୍ପିଆନ୍‍ସିପ୍‍ରେ ମଧ୍ୟ ସୁଧା ସ୍ୱର୍ଣ୍ଣପଦକ ଜିତିଥିଲେ।

ଏହା ସହ ମୋଟ୍ ୮ଟି ସ୍ୱର୍ଣ୍ଣ, ୧୩ଟି ରୌପ୍ୟ, ଏବଂ ୨୦ଟି ବ୍ରୋଞ୍ଜ ପଦକକୁ ମିଶାଇ ଭାରତ ମୋଟ୍ ୪୧ ପଦକ ହାସଲ କରିଛି।

Leave A Reply