ସୁରକ୍ଷା ଲୋଡିଲେ ସାଜିଦ୍‍ଙ୍କ ପରିବାର

ପିପିଲି : ବ୍ରାଉନ୍‍ସୁଗାର କାରବାରକୁ ନେଇ ପୁଲିସ ଇନ୍‍ଫର୍ମର ସାଜିଦ ହୁସେନ(୩୦)ଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବା ଫଳରେ ସାଜିଦ ଏବେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲ୍‍ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପରିବାର ଲୋକେ ଆଜି ପୁଲିସ ସୁରକ୍ଷା ଲୋଡିଛନ୍ତି । ସାଜିଦ୍‍ଙ୍କ ମାଆ, ଭାଇ, ଭଉଣୀଙ୍କ ସମେତ ପରିବାରର ସଦସ୍ୟମାନେ ରବିବାର ସଂନ୍ଧ୍ୟାରେ ନିଜ ସାହି ବାସିନ୍ଦାଙ୍କ ସହ ପିପିଲି ଥାନାକୁ ଆସି ଏସଂପର୍କରେ ପୁଲିସକୁ ଲିଖିତ ଭାବେ ଅନୁରୋଧ କରିଛନ୍ତି । ସାଜିଦଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଫେରାର ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଆକ୍ରମଣ ଭୟ ଥିବାରୁ ତାଙ୍କ ପରିବାରକୁ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ସାଜିଦଙ୍କ ଭାଇ ଜାହିଦ ହୁସେନ ଲିଖିତ ଭାବେ ପୁଲିସକୁ ଅନୁରୋଧ କରିଛନ୍ତି । ତେବେ ଉକ୍ତ ମାମଲାର ତଦନ୍ତ ଚାଲିଥିବା ଓ ଫେରାର୍‍ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଉଦ୍ୟମ ଚାଲିଥିବା ସଂପର୍କରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସେମାନଙ୍କୁ କହିଥିଲେ । ଯେକୌଣସି ସମୟରେ ବିପଦର ଆଶଙ୍କା କଲେ ତୁରନ୍ତ ପୁଲିସକୁ ସୂଚନା ଦେବା ମାତ୍ରେ ପୁଲିସ ତାଙ୍କ ପରିବାର ନିକଟରେ ପହଞ୍ଚିବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବ ବୋଲି ଆଇଆଇସି ସେମାନଙ୍କୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।

Comments are closed.