ଇସ୍ତଫା ଦେଇଥିବା ୨୧ ବିଧାୟକ ବିଜେପିରେ ସାମିଲ

ନୂଆଦିଲ୍ଲୀ/ଭୋପାଳ: କଂଗ୍ରେସରୁ ଇସ୍ତଫା ଦେଇଥିବା ମଧ୍ୟପ୍ରଦେଶର ୨୨ ବିଧାୟକଙ୍କ ମଧ୍ୟରୁ ୨୧ଜଣ ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ବେଙ୍ଗାଲୁରୁ ରିସର୍ଟରେ ପ୍ରାୟ ଦୁଇ ସପ୍ତାହ ଅବସ୍ଥାନ କରିବା ପରେ ସେମାନେ ଶନିବାର ଚାଟାର୍ଡ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ପରେ ସମସ୍ତେ ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ଘରକୁ ଯାଇଥିଲେ। ସେଠାରେ ନରେନ୍ଦ୍ର ସିଂହ ତୋମାର, କୈଳାସ ବିଜୟବର୍ଗିୟା ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସେଠାରେ ଆଲୋଚନା ପରେ ସମସ୍ତେ ଦଳରେ ସାମିଲ ହୋଇଥିଲେ। ବିସାହୁଲାଲ ସାହୁ ପ୍ରଥମେ ବିଜେପିରେ ଯୋଗ ଦେଇଥିଲେ। ଇସ୍ତଫା ଦେଇଥିବା ୨୨ ବିଧାୟକଙ୍କ ମଧ୍ୟରୁ ୧୮ଜଣ ସିନ୍ଧିଆଙ୍କ ସମର୍ଥକ ଥିଲେ; ତେବେ ଅନ୍ୟ ୪ଜଣ ସରକାର ଉପରେ ଅସନ୍ତୁଷ୍ଟ ଥିବାରୁ ବିଜେପିର ଥୋପ ଗିଳି ଇସ୍ତଫା ଦେଇଥିଲେ।

ଅପରପକ୍ଷରେ ଶନିବାର ପ୍ରସ୍ତାବିତ ବିଜେପି ବିଧାୟକ ଦଳ ବୈଠକକୁ କରୋନା ପାଇଁ ସୋମବାର ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି। ସେଦିନ ବୈଠକରେ ବିଧାୟକ ଦଳର ନେତା ନିର୍ବାଚନ କରାଯିବ। ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଆସନ୍ତା ୨୫ରେ ନବରାତ୍ର ପାଇଁ କଳସ ସ୍ଥାପନ ଅବସରରେ ବିଜେପି ପକ୍ଷରୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବା ସମ୍ଭାବନା ରହିଛି। ଅନ୍ୟପଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ କମଳ ନାଥ ଶନିବାର ଦିଲ୍ଲୀ ଯାଇଛନ୍ତି। ସେଠାରେ ସେ ୨୫ ପର୍ୟ୍ୟନ୍ତ ଅବସ୍ଥାନ କରିବେ। ଇତ୍ୟବସରରେ ସେ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା କାର୍ୟ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପଦରୁ ଶୁକ୍ରବାର କମଳ ନାଥଙ୍କ ଇସ୍ତଫା ସହିତ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାଚ୍ୟୁତ ହୋଇଥିଲେ ମଧ୍ୟ ଆସନ୍ତା ଅଗଷ୍ଟ ୧୫ରେ କମଳ ନାଥ ମୁଖ୍ୟମନ୍ତ୍ରୀ ଭାବେ ତ୍ରିରଙ୍ଗା ଉତ୍ତୋଳନ କରିବେ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଦଳୀୟ ଟ୍ବିଟରରେ ସୂଚନା ଦିଆଯାଇଛି। କେବଳ ସେତିକି ନୁହେଁ; ଏହି ଟ୍ବିଟ୍‌କୁ ସୁରକ୍ଷିତ ରଖିବାକୁ ମଧ୍ୟ ଚେତାଇ ଦିଆଯାଇଛି। କମଳ ନାଥ ଶୁକ୍ରବାର ନିଜ ବାସଭବନରେ ଦଳୀୟ ବିଧାୟକ ତଥା ନେତୃବୃନ୍ଦଙ୍କୁ ଉଦ୍‌ବୋଧନ ଦେବାବେଳେ କେବଳ ବିଜେପି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସରକାର ଭାଙ୍ଗିବା ପାଇଁ ଦୋଷ ଦେଇ ନ ଥିଲେ; ବରଂ ଦଳତ୍ୟାଗ କରିଥିବା କଂଗ୍ରେସର ୨୨ ଲୋଭୀ ବିଧାୟକଙ୍କୁ ଦାୟୀ କରିଥିଲେ। ଏହି ବିଧାୟକମାନେ ଲୋକଙ୍କଠାରୁ ଭୋଟ୍‌ ପାଇଁ ୫ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ ମଧ୍ୟ ସେମାନଙ୍କୁ ପ୍ରତାରିତ କରିଥିବା କମଳ କହିଥିଲେ। ଏହାର ପ୍ରତିଫଳ ନିଶ୍ଚୟ ସେମାନେ ଖୁବ୍‌ ଶୀଘ୍ର ଭୋଗିବେ ବୋଲି କମଳ ଚେତାଇ ଦେଇଥିଲେ।

ନିକଟ ଭବିଷ୍ୟତରେ ୨୫ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ହେବ। ସେଥିମଧ୍ୟରେ ଇସ୍ତଫା ଦେଇଥିବା ୨୨ କଂଗ୍ରେସ ବିଧାୟକଙ୍କ ସହ ବିଜେପି ବିଧାୟକ ଶରଦ କୋଲ୍‌ଙ୍କ ସ୍ଥାନ ରହିଛି। ଏତଦ୍‌ବ୍ୟତୀତ ବିଜେପି ଓ କଂଗ୍ରେସର ଜଣେ ଲେଖାଏଁ ବିଧାୟକଙ୍କ ମୃତ୍ୟୁ ହୋଇଥିବାରୁ ସେହି ସ୍ଥାନରେ ଉପ-ନିର୍ବାଚନ ହେବ। ଏହି ୨୫ରୁ ୧୭ଟିରେ ବିଜୟ ହାସଲ କରିପାରିଲେ କଂଗ୍ରେସ କ୍ଷମତାକୁ ​‌େ​‌ଫରିବ ଏବଂ ଏଥିପ୍ରତି କମଳ ଆଶାବାଦୀ ଅଛନ୍ତି। ଶୁକ୍ରବାର କମଳ ନାଥଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଆଶାୟୀ ବିଜେପି ନେତା ଶିବରାଜ ସିଂହ ଚୌହାଣ ବିଧାନସଭା ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କୁ ଭେଟି ଆଲିଙ୍ଗନ କରିଥିଲେ। ପରେ ଆଶ୍ଚର୍ୟ୍ୟଜନକ ଭାବେ କମଳ ନାଥଙ୍କୁ ତାଙ୍କ ଘରେ ସାକ୍ଷାତ କରିଥିଲେ ଓ ଉଭୟଙ୍କ ମଧ୍ୟରେ ବେଶ୍‌ କିଛି ସମୟ ଆଲୋଚନା ହୋଇଥିଲା।

Comments are closed.