ଶୀତଦିନିଆ ଖାଦ୍ୟ ; ଖାଆନ୍ତୁ ସୁସ୍ଥ ରୁହନ୍ତୁ

ପାଳଙ୍ଗ ଶାଗ –
ଏଥିରେ ପ୍ରଚୁର ପରିମାଣରେ ଫାଇବର ଥିବା ସହ କ୍ୟାଲୋରୀର ମାତ୍ରା କମ ଥାଏ। ଏହାକୁ ଖାଇବା ଦ୍ୱାରା ଆମେ ଖାଉଥିବା ବିଭିନ୍ନ ପ୍ରକାରର ଫାଷ୍ଟ ଫୁଡ଼ ଖାଦ୍ୟରୁ ଶରୀରକୁ ଯାଉଥିବା କ୍ଷତିକାରକ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ଏହାସହ ମୋଟପଣ ମଧ୍ୟ କମ କରିଥାଏ।
ବିଟ –
ବିଟ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଖୁବ ସହାୟକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଥିବା ନାଇଟ୍ରେଟ ତତ୍ତ୍ୱ, ଶରୀରରେ ନାଇଟ୍ରିକ ଅକ୍ସାଇଡ଼ରେ ପରିବର୍ତ୍ତିତ ହୋଇଯାଏ। ଫଳରେ ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ।
କଞ୍ଚା କଦଳୀ –
କଞ୍ଚା କଦଳୀରେ ଥିବା ପୋଷକ ତତ୍ତ୍ୱ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ହାଡ଼କୁ ମଜଭୂତ କରିବା ପାଇଁ ଆବଶ୍ୟକ ହେଉଥିବା ପୋଷକ ତତ୍ତ୍ୱକୁ ଗ୍ରହଣ କରିବା ପାଇଁ ସହାୟକ ହୋଇଥାଏ।
ଜୁଆଣୀ ଚା’ –
ଆମେ ଖାଉଥିବା ବଜାରର ବିଭିନ୍ନ ଖାଦ୍ୟଦ୍ରବ୍ୟ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଜୁଆଣୀର ଚା’ ପିଇବା ଦ୍ୱାରା ଏହା ଶରୀର ପାଇଁ ଅନାବଶ୍ୟକ ହେଉଥିବା ପଦାର୍ଥକୁ ନିର୍ଗତ କରିବାରେ ସହାୟକ ହୋଇଥାଏ। ବିଭିନ୍ନ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ।
ଡ଼ାଳିମ୍ବ –
ନିୟମିତ ଡ଼ାଳିମ୍ବ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ହୃଦୟ ଜନିତ ସମସ୍ୟା ସୃଷ୍ଟି ହେବାକୁ ଦେଇନଥାଏ। ଶରୀରରେ ରକ୍ତର ମାତ୍ରାକୁ ବୃଦ୍ଧି କରିଥାଏ। କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରି ରଖିଥାଏ।
ବିଭିନ୍ନ ପ୍ରକାରର ଫଳ –
ବିଭିନ୍ନ ପ୍ରକାରର ଫଳ ଖାଇବା ଦ୍ୱାରା ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇବା ସହ ହାଲିଆ ଅନୁଭବ ହେବାକୁ ଦେଇନଥାଏ।
ଚିକେନ ସୁପ –
ଚିକେନ ସୁପ ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ। ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ। ବଦହଜମି ଜନିତ ସମସ୍ୟାକୁ ଅଟକାଇଥାଏ। ପେଟ ସମ୍ବନ୍ଧୀୟ କେତେକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କୁକର ବସାନ୍ତୁ। କୁକରରେ ଚିକେନ, ରସୁଣ , କଟା ପିଆଜ, ପାଣି ଦେଇ ଏହାକୁ ଧିମା ଆଞ୍ଚରେ ସିଝାନ୍ତୁ। ସିଝିବା ପରେ ଏଥିରେ ଥିବା ପାଣିକୁ ଛାଣି ଦେଇ ସିଝା ଚିକେନକୁ ଏକ ପାତ୍ରରେ ରଖନ୍ତୁ। ଏବେ କୁକରରେ ନିଜ ପସନ୍ଦ ଅନୁଯାୟୀ କିଛି ପନିପରିବାକୁ ଲୁଣ ପକାଇ ସିଝାଇ ଦିଅନ୍ତୁ। ସିଝିବା ପରେ ଏହାକୁ ମଧ୍ୟ ଏକ ପାତ୍ରରେ କାଢି ରଖନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାନ୍ତୁ। କଡ଼େଇରେ ବଟର ପକାନ୍ତୁ। ଏହା ପରେ ସିଝା ହୋଇ ରହିଥିବା ପରିବାକୁ ପକାଇ ଅଳ୍ପ ଭାଜି ଦିଅନ୍ତୁ। ଏବେ ଏଥିରେ ସିଝା ହୋଇ ରହିଥିବା ଚିକେନକୁ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଏବେ ଏଥିରେ ୧କପରୁ ଅଧିକ ପାଣି ଦିଅନ୍ତୁ। ପାଣି ଦେବା ପରେ ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ, ପେଷା ଧନିଆ, କଟା ଧନିଆ ପତ୍ର, କଞ୍ଚା ଲଙ୍କା ପକାଇ ୧୦ ରୁ ୧୫ ମିନିଟ ଫୁଟାନ୍ତୁ। ଫୁଟିବା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ସୁପ।

Comments are closed.