ପ୍ରଧାନମନ୍ତ୍ରୀ ଆବାସ ଏବଂ ଅଟଳ ପେନସନ୍ ଯୋଜନା ସମ୍ପର୍କିତ କର୍ମଶାଳା

ଭୁବନେଶ୍ବର : ସାମାଜିକ ଏବଂ ଅର୍ଥନୈତିକ ସ୍ତରରେ ଅନୁନ୍ନତ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ୬୦ ବର୍ଷ ପରେ ଆର୍ଥିକ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରଣୀତ ଅଟଳ ପେନସନ୍ ଯୋଜନା ସମ୍ପର୍କରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କଟକ ଜ଼ିଲ୍ଲାର ଉରାଳୀ ପଞ୍ଚାୟତ ଅନ୍ତର୍ଗତ ଜରିପଡା ଠାରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମର ପ୍ରଥମ ପର୍ୟ୍ୟାୟରେ ଏକ ସଚେତନତା ପଦ ଯାତ୍ରାରେ ବିଭିନ୍ନ ବର୍ଗର ଲୋକ ଗ୍ରାମ ପରିକ୍ରମା କରି ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ। ପରେ ଆଲୋଚନା ଚକ୍ରରେ ଓଡିଶା ରାଜ୍ୟ ଅର୍ଥ ନିଗମର କ୍ଷେତ୍ର ଅଧିକାରୀ ମହେନ୍ଦ୍ର ପାତ୍ର, ବରିଷ୍ଠ ସ୍ତମ୍ଭକାର ଡ଼. ସତ୍ୟ ରାୟ, ଜ଼ିଲ୍ଲା ପରିଷଦ ସଭ୍ୟା  ଆଶାଲତା ବେହେରା, ସରପଞ୍ଚ ଅଭିଷେକ ବେହେରା, ପୂର୍ବତନ କ୍ଷେତ୍ର ଅଧିକାରୀ କେଶବ ସ୍ଵାଇଁ ପ୍ରମୁଖ ଅଂଶ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ତଥା ଅଟଳ ପେନସନ୍ ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ବିଭାଗ ତରଫରୁ ଗତ କାଲି ଅନୁଷ୍ଠିତ ହୋଇଥିବା ରଙ୍ଗୋଲୀ, ଚୌକିବସା ଏବଂ କୁଇଜ଼ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ପରେ କାର୍ୟ୍ୟାଳୟର ପଂଜିକୃତ କଳାକାରଙ୍କ ଦ୍ୱାରା ସୂଚନା ଧର୍ମୀ ଗୋଟି ପୁଅ ନୃତ୍ୟ ପରିବେଷଣ କରାଯାଇଥିଲା । ଭୁବନେଶ୍ୱର ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟର କ୍ଷେତ୍ର ପ୍ରଚାର ଅଧିକାରୀ  ମହେନ୍ଦ୍ର ପ୍ରସାଦ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମକୁ କ୍ଷେତ୍ର ପ୍ରଚାର ଅଧିକାରୀ ପାର୍ଥସାରଥୀ ମଲିକ ସୁଚାରୁ ରୂପେ ପରିଚାଳନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ ।

Comments are closed.