ଆଜି ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ

ନୂଆଦିଲ୍ଲୀ : ଆଜି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ। ୧୯୧୭ ମସିହା, ନଭେମ୍ବର ୧୯ ତାରିଖରେ ଆହ୍ଲାବାଦ, ଉତ୍ତର ପ୍ରଦେଶର ଆନନ୍ଦ ଭବନରେ ଇନ୍ଦିରା ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଝିଅ । ତାଙ୍କ ମାଆଙ୍କ ନାମ କମଳା ନେହେରୁ। ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପୁରା ନାମ ଇନ୍ଦିରା ପ୍ରିୟଦର୍ଶନୀ ନେହେରୁ ଥିଲା। ଆଜି ଅର୍ଥାତ୍ ୩୧ ଅକ୍ଟୋବର ହେଉଛି ଇନ୍ଦିରାଙ୍କ ମୃତ୍ୟୁ ବାର୍ଷିକୀ। ୧୯୮୪ ମସିହା, ଅକ୍ଟୋବର ୩୧ ତାରିଖରେ ଇନ୍ଦିରା ଗାନ୍ଧୀଙ୍କ ଦୁଇ ଶିଖ୍‍ ଅଙ୍ଗରକ୍ଷକ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ସେ ସୋମରଭିଲ କଲେଜ, ଅକ୍ସଫର୍ଡ଼ରେ ପାଠ ପଢିଥିଲେ। ୧୯୪୧ ମସିହାରେ ଭାରତ ଆସିବା ପରେ ସେ ଭାରତୀର ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ପ୍ରଥମେ ଇନ୍ଦିରା ଗାନ୍ଧୀଙ୍କୁ ଲାଲବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ୧୯୬୪ ରୁ ୧୯୬୬ ପର୍ଯ୍ୟନ୍ତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପଦ ମିଳିଥିଲା । ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ଇନ୍ଦିରା ଗାନ୍ଧୀ ଭାରତର ତୃତୀୟ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ୧୯୬୬ ମସିହାରୁ ୧୯୭୭ ମସିହା ପର୍ଯ୍ୟନ୍ତ ଲଗାତର ୩ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇ ଗଣତାନ୍ତ୍ରିକ ଶାସନ ଭାର ବହନ କରିଥିଲେ। ପରେ ପୁନର୍ବାର ୧୯୮୦ ମସିହାରୁ ୧୯୮୪ ମସିହା ଅର୍ଥାତ୍‍ ମୃତ୍ୟୁ ପର୍ଯ୍ୟନ୍ତ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଇନ୍ଦିରା ୧୯୪୨ ମସିହାରେ ଫିରୋଜ ଗାନ୍ଧୀଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଜଣ ପୁଅ ଥିଲେ, ଜଣେ ରାଜୀବ ଗାନ୍ଧୀ ଓ ଅନ୍ୟ ଜଣେ ସଞ୍ଜୟ ଗାନ୍ଧୀ। ଇନ୍ଦିରା ଗାନ୍ଧୀଙ୍କ ସମୟରେ ହିଁ ୨୬ ଜୁନ୍‍ ୧୯୭୫ମସିହାରେ ଭାରତରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରୁ ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ କରାଯାଇଥିବା ଅପରେସନ୍‍ ବ୍ଲ୍ୟୁ ଷ୍ଟାର ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ହିଁ କରାଯାଇଥିଲା। ବ୍ୟାଙ୍କଗୁଡ଼ିକର ସରକାରୀକରଣ ସର୍ବପ୍ରଥମେ ଇନ୍ଦିରା ଗାନ୍ଧୀ ହିଁ କରିଥିଲେ। ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ୧୯୭୧ ମସିହାରେ ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ରେ ସମ୍ମାନିତ କରାଯାଇଥିଲା।

Comments are closed.