କରୋନା ଯୋଦ୍ଧାଙ୍କୁ ଅଭିବାଦନ : ଆସନ୍ତାକାଲି କୋଭିଡ -୧୯ ଡାକ୍ତରଖାନାରେ ଫୁଲ ବର୍ଷା କରିବ ବାୟୁସେନା

ନୂଆଦିଲ୍ଲୀ : ଦେଶର ସୀମାନ୍ତରେ ଲୋକଙ୍କୁ ସୁରକ୍ଷା ଦେଉଥିବା ସେନା ପକ୍ଷରୁ ଶନିବାର କରୋନା ଯୋଦ୍ଧାଙ୍କୁ ଅଭିବାଦନ ଜଣାଯାଇଛି। ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ କରୋନା ବିସ୍ତାରରୁ ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି, ସେମାନଙ୍କୁ ସେନା ସମାଲ ଜଣାଇଛି।

ଟ୍ୱିଟରରେ ଏକ ଭିଡିଓ ସେୟାର କରି ଭାରତୀୟ ସେନା ପକ୍ଷରୁ ଲେଖାଯାଇଛି ଯେ, ‘ସମଗ୍ର ଦେଶ କରୋନା ଯୋଦ୍ଧା ପାଇଁ ଗର୍ବିତ। ସେମାନଙ୍କର ଆତ୍ମଶକ୍ତି ଏବଂ କରୋନାକୁ ପରାସ୍ତ କରିବାର ସଂକଳ୍ପକୁ ସମସ୍ତ ସାଧାରଣ ନାଗରିକ ଏବଂ ସେନା ପକ୍ଷରୁ ସଲାମ ଜଣାଉଛୁ। କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ।

ଏଥିସହ ଭାରତୀୟ ବାୟୁସେନା କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏକ ଭିନ୍ନ ଉପାୟ ଆପଣାଇଛି। ମେ ୩ ତାରିଖ ଅର୍ଥାତ୍ ଆସନ୍ତାକାଲି ବାୟୁସେନା ଦୁଇଟି ଫ୍ଲାଏ ପାଷ୍ଟ କରିବ । କରୋନା ରୋଗୀଙ୍କ ଚିକିତ୍ସା କରାଯାଉଥିବା ଡାକ୍ତରଖାନାରେ ଫୁଲ ବର୍ଷା କରାଯିବ ବୋଲି ସିଡିଏସ୍ (ଡିଫେନ୍ସ ଷ୍ଟାଫ୍) ଜେନେରାଲ୍ ବିପିନ ରାୱତ ଏବଂ ତିନି ସେନାର ମୁଖ୍ୟ ଶୁକ୍ରବାର ଦିନ କହିଛନ୍ତି। ଦୁଇଟି ଫ୍ଲାଏ ପାଷ୍ଟ ମଧ୍ୟରୁ ଗୋଟିଏ ଶ୍ରୀନଗରରୁ ତ୍ରିଭାଣ୍ଡ୍ରମ୍ ଏବଂ ଅନ୍ୟଟି ଡିବ୍ରୁଗଡରୁ କୁଚ୍ଛ ମଧ୍ୟରେ ହେବ।

ଏହା ବ୍ୟତୀତ ଭାରତୀୟ ସେନା ପ୍ରାୟ ପ୍ରତ୍ୟେକ ଜିଲ୍ଲାର କରୋନା ଡାକ୍ତରଖାନା ନିକଟରେ ବ୍ୟାଣ୍ଡ ପ୍ରଦର୍ଶନ କରିବେ ଏବଂ ଭାରତୀୟ ନୌସେନା ପକ୍ଷରୁ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଯୁଦ୍ଧ ଜାହାଜକୁ ଆଲୋକିତ କରାଯିବ। ଜେନେରାଲ ରାୱତ ଶୁକ୍ରବାର ଦିନ କହିଛନ୍ତି ଯେ, ଏହି ତିନି ବାହିନୀ ଦେଶ ସହ ଦୃଢ ଭାବରେ ଠିଆ ହୋଇଛନ୍ତି। ଆମେ ପ୍ରତ୍ୟେକ କରୋନା ଯୋଦ୍ଧାଙ୍କ ସାଥିରେ ରହିଛୁ। ପ୍ରାୟ ୪୬ଟି ଜାହାଜକୁ ଆଲୋକିତ କରାଯିବ। ୭୫୧୬ କିମି ବ୍ୟାପି ସମୁଦ୍ର କୂଳରେ ପ୍ରାୟ ୨୫ଟି ସ୍ଥାନରେ ଲାଇଟ୍ ଲଗାଯିବ। ଏହା ସହ ଜାହାଜର ସାଇରନ୍ ବଜାଯିବ। ପ୍ରାୟ ୧୦ ଟି ହେଲିକପ୍ଟର ପାଞ୍ଚଟି ସ୍ଥାନରେ କୋଭିଡ-୧୯ ଡାକ୍ତରଖାନାରେ ଫୁଲ ବର୍ଷା କରାଯିବ।

Comments are closed.