ଆର୍ଥିକ ଶୃଙ୍ଖଳା ବଜାୟ ରଖିଛନ୍ତି ଏନ୍‍ଡିଏ ସରକାର – ସୀତାରମଣ

ସମାଜ ପୋର୍ଟାଲ ଡେସ୍କ: ଏନ୍‍ଡିଏ ସରକାର ତାଙ୍କ ଶାସନ କାଳରେ ଆର୍ଥିକ ଶୃଙ୍ଖଳା ବଜାୟ ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେ କହିଛନ୍ତି, ମୁଦ୍ରାସ୍ଫିତି ନିୟନ୍ତ୍ରଣାଧୀନ ଥିବାବେଳେ ଖାଦ୍ୟ ମୁଦ୍ରାସ୍ଫିତି ମଧ୍ୟ ଧାର୍ଯ୍ୟ ସ୍ତରକୁ ଅତିକ୍ରମ କରିନାହିଁ। ରାଜ୍ୟସଭାରେ ବଜେଟ୍‍ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ସେ କହିଛନ୍ତି, ଦେଶର ଜି.ଡି.ପି. ହାର ୨୦୧୪-୧୫ର ୨ଲକ୍ଷ କୋଟି ଡଲାରୁ ୨୦୧୯-୨୦ ସୁଦ୍ଧା ୨ଲକ୍ଷ ୯୦ହଜାର କୋଟି ଡଲାରକୁ ଛୁଇଁଛି। ଜି.ଏସ୍‍.ଟି. ଆଦାୟ ପରିମାଣରେ ବୃଦ୍ଧି ଘଟୁଛି ଓ ଗତ ୬ ମାସ ମଧ୍ୟରେ ଏହା ୧ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି ଏବଂ ଶିଳ୍ପ କାର୍ଯ୍ୟରେ ମଧ୍ୟ ଉନ୍ନତି ଘଟିବା ସହ ଗତ ବର୍ଷ ନଭେମ୍ବର ମାସରେ ଶିଳ୍ପ ଅଭିବୃଦ୍ଧି ହାର ଶତକଡ଼ା ୧ଦଶମିକ ୮ ଭାଗ ରହିଛି।

ସୀତାରମଣ କହିଛନ୍ତି, ଭାରତୀୟ ଅର୍ଥନୀତିରେ ଏକ ସକାରାତ୍ମକ ସଂକେତ ଦେଖିବାକୁ ମିଳିଛି ଓ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ଭାରତ ପ୍ରତି ଆଭିମୁଖ୍ୟ ମଧ୍ୟ ଅନୁକୂଳ ରହିଛି। ଦେଶକୁ ଆସୁଥିବା ପୁଞ୍ଜିନିବେଶରୁ ଏହାର ପ୍ରତ୍ୟକ୍ଷ ପ୍ରମାଣ ମିଳିଛି। ପ୍ରତିରକ୍ଷା ବଜେଟ୍‍ କମ୍‍ କରାଯାଇଥିବା ବିଷୟରେ ବିରୋଧୀ ଦଳଗୁଡ଼ିକର ଅଭିଯୋଗକୁ ଉଲ୍ଲେଖ କରି ସେ କହିଛନ୍ତି, ପୂର୍ବର ୟୁ.ପି.ଏ. ସରକାରଙ୍କ ସମୟରେ ପ୍ରତିରକ୍ଷା କ୍ଷେତ୍ରପ୍ରତି କୌଣସି ଧ୍ୟାନ ଦିଆଯାଇଥି ନଥିଲା। କୌଣସି ମନ୍ତ୍ରଣାଳୟ ପାଇଁ ସମ୍ବଳ କମ୍‍ କରାଯାଇ ନ ଥିବା ସେ ସ୍ପଷ୍ଟିକରଣ ଦେଇଛନ୍ତି।

Comments are closed.