ଦେଶରେ ଦିନକୁ ହାରାହାରି ୮୭ ବଳାତ୍କାର: ଏନସିଆରବି

ଉତ୍ତରପ୍ରଦେଶର ହାଥରାସରେ ଗଣ ବଳାତ୍କାର ଓ ହତ୍ୟା ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏଥି ସହିତ ଦେଶରେ ହୋଇଥିବା ଅପରାଧ ବିଷୟରେ ସରକାରୀ ତଥ୍ୟରେ ପ୍ରକାଶ ପାଇଥିବା ସୂଚନା ଚିନ୍ତାଜନକ କୁହାଯାଉଛି । ଏନସିଆରବି ତଥ୍ୟ ଅନୁସାରେ ୨୦୧୮ ବର୍ଷ ତୁଳନାରେ୨୦୧୯ ରେ ଦେଶରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

୨୦୧୯ ମସିହାରେ ଭାରତରେ ଦୈନିକ ହାରାହାରି ୮୭ ବଳାତ୍କାର ମାମଲା ରେକର୍ଡ଼ ହୋଇଛି । କେବଳ ସେତିକି ନୁହେଁ, ଏହି ବର୍ଷ ଦେଶରେ ୪ ଲକ୍ଷ ୫ ହଜାର ୮୬୧ ମହିଳା ନିର୍ଯାତନା ଘଟିଥିବା ଅଭିଯୋଗ ହୋଇଛି ।  ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ପ୍ରକାଶିତ ତଥ୍ୟରେ ଏହି ସୂଚନା ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ, ୨୦୧୮ ବର୍ଷ ତୁଳନାରେ ୨୦୧୯ ମସିହାରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧ ୭ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।
୨୯ ସେପ୍ଟେମ୍ବରରେ ଏନସିଆରବି ଦ୍ବାରା ପ୍ରକାଶିତ ’କ୍ରାଇମ୍ ଇନ୍ ଇଣ୍ଡିଆ -୨୦୧୯’ ଶୀର୍ଷକ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ବର୍ଷ ଦେଶରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧରେ ୭.୩% ବୃଦ୍ଧି ଘଟିଛି।୨୦୧୯ ମସିହାରେ, ଏକ ଲକ୍ଷ ଜନସଂଖ୍ୟାରେ ମହିଳାଙ୍କ ପ୍ରତି ଅପରାଧ ହାର ୬୨.୪ପ୍ରତିଶତ ଥିଲା। ୨୦୧୮ ରେ ଏହି ହାର୫୮.୮ ପ୍ରତିଶତ ଥିଲା।
୨୦୧୮ ମସିହାରେ ଦେଶରେ ମହିଳାଙ୍କ ବିରୋଧରେ ୩ ଲକ୍ଷ ୭୮ ହଜାର ୨୩୬ ଅପରାଧ ମାମଲା ରୁଜୁ ହୋଇଥିଲା। ଗୃହ ମନ୍ତ୍ରଣାଳୟ ପୁଣି ଥରେ ସ୍ପଷ୍ଟ ଭାବରେ କହିଛି ଯେ ପଶ୍ଚିମବଙ୍ଗ ସର୍ବଶେଷ ତଥ୍ୟ ପ୍ରଦାନ କରିନାହିଁ।

ଅନୁରୂପ ଭାବରେ ଶିଶୁମାନଙ୍କ ବିରୋଧରେ ମଧ୍ୟ ଅତ୍ୟାଚାର ଦେଶରେ ବଢ଼ିଛି । ୨୦୧୮ ତୁଳନାରେ୨୦୧୯ ରେ ପିଲାମାନଙ୍କ ବିରୋଧରେ ଅପରାଧ ମାମଲା ୪.୫% ବୃଦ୍ଧି ପାଇଛି। ୨୦୧୯ ମସିହାରେ, ପିଲାମାନଙ୍କ ବିରୋଧରେ୧.୪୮ ଲକ୍ଷ ଅପରାଧ ମାମଲା ରୁଜୁ ହୋଇଥିଲା। ଏଥିମଧ୍ୟରୁ ୪୬.୬ ପ୍ରତିଶତ ମାମଲା ଅପହରଣ ଏବଂ ୩୫.୩ ପ୍ରତିଶତ ମାମଲା ଯୌନ ସମ୍ବନ୍ଧୀୟ ବୋଲି ଜଣାପଡ଼ିଛି ।

Comments are closed.