କରୋନା କାଳରେ ଅନାଥ ଶିଶୁଙ୍କୁ ପୋଷ୍ୟଗ୍ରହଣ ବିଜ୍ଞାପନ ପ୍ରସଙ୍ଗ – ତଥ୍ୟ ମାଗିଲା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏନ୍‍.ସି.ପି.ସି.ଆର୍‍. କୋଭିଡ୍‍ ନାଇଣ୍ଟିନ୍‍ ମହାମାରୀ ସମୟରେ ଅନାଥ ଶିଶୁମାନଙ୍କୁ ସିଧାସଳଖ ପୋଷ୍ୟ ଗ୍ରହଣ କରିବା ନିମନ୍ତେ ସାମାଜିକ ଗଣମାଧ୍ୟମ ଗୁଡ଼ିକ କେଉଁ ସୂଚନା କେତେଥର ଦେଇଛନ୍ତି ସେ ବିଷୟରେ ସୂଚନା ଦେବାପାଇଁ କହିଛି। ଏ ନେଇ କମିଶନ୍‍ଙ୍କ ନିକଟରେ ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ମହାମାରୀ ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଜାରି ରହିଥିବା ବେଳେ ଅନେକ କ୍ଷେତ୍ରରେ ଅଭିଭାବକମାନଙ୍କ ସଂକ୍ରମଣ ଜନିତ ମୃତ୍ୟୁ ଯୋଗୁଁ ପିଲାମାନେ ଅନାଥ ହେଉଥିବା ବେଳେ ସେମାନଙ୍କୁ ପୋଷ୍ୟଭାବେ ଗ୍ରହଣ କରିବା ନିମନ୍ତେ କେତେକ ଗଣମାଧ୍ୟମ ସୂଚନା ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି।

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଫେସ୍‍ବୁକ୍‍, ଟ୍ୱିଟର, ହ୍ୱାଟସ୍‍ଆପ୍‍ ଏବଂ ଟେଲିଗ୍ରାମ୍‍ ଭଳି ସାମାଜିକ ଲୋକପ୍ରିୟ ଗଣମାଧ୍ୟମଗୁଡ଼ିକୁ ଏ ସଂପର୍କରେ ଚିଠି ଲେଖିବା ସହ ତୁରନ୍ତ ଜବାବ ଦେବା ପାଇଁ ନିର୍ଦ୍ଦେଶ ଦେଇଛି। ଯଦି ଏଭଳି ସୂଚନା ଏହିସବୁ ମାଧ୍ୟମରେ ପ୍ରସାରିତ ହେଉଥାଏ ତେବେ ସେ ସମ୍ପର୍କରେ ଆଇନ୍‍ଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆୟୋଗ ସୂଚନା ଦେଇଛି।

Comments are closed.