ଅନ୍ଧାରୁଆରେ ‘ଏନସିଡିସି’, ବିଞ୍ଜଗିରିରେ ଯୋଗ-ଆୟୁର୍ବେଦ ହସ୍ପିଟାଲ

ଭୁବନେଶ୍ୱର:ରାଜ୍ୟବାସୀଙ୍କୁ କିଭଳି ଉତ୍ତମ ସ୍ବାସ୍ଥ୍ୟସେବା ମିଳିପାରିବ ସେନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜଧାନୀ ଉପକଣ୍ଠରେ ତିନୋଟି ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟଭିତ୍ତିକ ଅନୁଷ୍ଠାନ କରିବାକୁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି। ରାଜଧାନୀ ଉପକଣ୍ଠସ୍ଥ ଅନ୍ଧାରୁଆରେ ରୋଗ ନିୟନ୍ତ୍ରଣ ଜାତୀୟ କେନ୍ଦ୍ର(ଏନସିଡିସି)‌ ପ୍ରତିଷ୍ଠା ହେବାକୁ ରହିଥିବାବେଳେ ବିଞ୍ଝଗିରିରେ ୧୦୦ଶଯ୍ୟା ବିଶିଷ୍ଟ ଯୋଗ ଓ ଆର୍ୟୁବେଦ ହସ୍ପିଟାଲ ଏବଂ ଜାମୁକୋଳିରେ ହୋମିଓପାଥି ଆଞ୍ଚଳିକ ଗବେଷଣା କେନ୍ଦ୍ର(ସିଆରଏଚ୍) ପ୍ରତିଷ୍ଠା ହେବ। ଏଥିଲାଗି ଭାରତ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି। ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ରାଜ୍ୟରେ ବିଭିନ୍ନ ରୋଗ ନିୟନ୍ତ୍ରଣ ଓ ପରୀକ୍ଷଣ ଲାଗି ଭାରତ ସରକାର ଆନୁଷଙ୍ଗିକ ଯନ୍ତ୍ରପାତି ଯୋଗାଇ ଦେବେ। ରାଜ୍ୟସରକାର ଭିତ୍ତିଭୂମି ଯୋଗାଇଲେ ପରବର୍ତ୍ତୀ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିବ। ତେଣୁ ଏଥିଲାଗି ଜମି ହସ୍ତାନ୍ତରଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଭୁବନେଶ୍ବର ଓ ଜଟଣୀ ତହସିଲଦାର ସମେତ ସ୍ବାସ୍ଥ୍ୟନିର୍ଦେଶକଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି।

ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ଭୁବନେଶ୍ବରର ଅନ୍ଧାରୁଆଠାରେ ୩ ଏକର ଜମିରେ ଏନସିଡ଼ିସି କେନ୍ଦ୍ର ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଚଳିତମାସ ୩ରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲାପାଳ ଉକ୍ତ ଜମିକୁ ହସ୍ତାନ୍ତର ଲାଗି ରାଜସ୍ବ ବିଭାଗଠାରୁ ଅନୁମତି ଆଣିବେ। ବିନା ମୂଲ୍ୟରେ ଏହି ଜମି କିଭଳି ହସ୍ତାନ୍ତର ହେବ ସେଥିଲାଗି ପ୍ରକ୍ରିୟା ତ୍ବରାନ୍ବିତ ହେବାର ଆବଶ୍ୟକତା ରହିଛି। ନିୟମ ଅନୁଯାୟୀ ଏଡିଏମ ଖୋର୍ଦ୍ଧା ୧ମାସ ପୂର୍ବରୁ ଉକ୍ତ ଜମିର ନୋଟିସ ଜାରି କରିବେ। ଯଦି କୌଣସି ଦଖଲକାରୀ ଉକ୍ତ ଜମିରେ ଥିବେ ତାହା ଜଣାପଡିବା ସହ ସମସ୍ୟାର ସମାଧାନ କରିବେ।
ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ଚନ୍ଦକାସ୍ଥିତ ବିଞ୍ଝଗିରିଠାରେ କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ସହିତ ଯୋଗ ଓ ଆର୍ୟୁବେଦିକର ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଏହି କେନ୍ଦ୍ରର ପାଚେରି ପାଇଁ ମନ୍ତ୍ରାଳୟ ପକ୍ଷରୁ ୧.୫୭କୋଟି ଟଙ୍କା ୨୦୧୪-୧୫ରୁ ମଞ୍ଜୁୂର କରିଛନ୍ତି। ହେଲେ ସ୍ଥାନୀୟ ସମସ୍ୟା ପାଇଁ ଏପର୍ଯ୍ୟନ୍ତ ଉକ୍ତ କେନ୍ଦ୍ର ଆଗେଇ ପାରିନାହିଁ। ଯଦି ଉକ୍ତ ଜମିରେ ପାଚେରି ନିର୍ମାଣ ଲାଗି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି ତେବେ ପୁଲିସର ସହାୟତା ନିଆଯାଇ ପାରିବ। ଏହି କାର୍ଯ୍ୟରେ ଆୟୁଷ ନିର୍ଦେଶକ ସହାୟତା କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି।
ସେହିପରି ଜଟଣୀ ତହସିଲ ଅନ୍ତର୍ଗତ ଜାମ୍ମୁକୋଳି ମୌଜାରେ ପ୍ରାୟ ୫ଏକର ଜମିରେ ହୋମିଓପାଥି ଆଞ୍ଚଳିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବାକୁ ନିଷ୍ପତ୍ତି ହୋଇଛି। ଏଥିଲାଗି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଜମିର ଟିକସ ବାବଦକୁ ୪କୋଟି ୭୦ଲକ୍ଷ ୪୭ହଜାର ୫୦୦ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥକୁ ଛାଡ ପାଇଁ ସିସିଆରଏଚ୍ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଛି। ତେଣୁ ଏଦିଗରେ ପ୍ରକ୍ରିୟା ତ୍ବରାନ୍ବିତ ଲାଗି ଧ୍ୟାନ ଦେବାକୁ ଜଟଣୀ ତହସିଲଦାରଙ୍କୁ ଏସିଏସ୍ ନିର୍ଦେଶ ଦେଇଛନ୍ତି।

Comments are closed.