ସ୍ନାତକ ପାଠ୍ୟକ୍ରମରେ ସାମିଲ ହେବ ଏନ୍‍ସିସି

କଟକ: ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ନାତକ ପାଠ୍ୟକ୍ରମରେ ଆସନ୍ତା ଶିକ୍ଷାବର୍ଷଠାରୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‍ସିସି) ଶିକ୍ଷାକୁ ଏକ ସ୍ୱତନ୍ତ୍ର ବିଷୟ ଭାବେ ସାମିଲ କରାଯିବ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏ ସଂକ୍ରାନ୍ତରେ ପ୍ରେରଣ ହୋଇଥିବା ଚିଠି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପହଞ୍ଚିଥିବା ଜଣାଯାଇଛି।

ସୂଚନାନୁସାରେ, ସ୍ନାତକ ପାଠ୍ୟକ୍ରମରେ ଏନ୍‍ସିସି ଏକ ବିଷୟ ଭାବେ ଛାତ୍ରଛାତ୍ରୀ ଅଧ୍ୟୟନ କରିବା ନିମନ୍ତେ ନୂଆଦିଲ୍ଲୀସ୍ଥିତ ଏନ୍‍ସିସିର ମହାନିର୍ଦେଶକଙ୍କଠାରୁ ୨୦୨୧ ମାର୍ଚ୍ଚ ୧୬ରେ ୟୁଜିସି ଚିଠି ପାଇବା ପରେ ଏନେଇ ବିଚାରବିମର୍ଶ ହୋଇଥିଲା। ସମଗ୍ର ଦେଶରେ ନୂତନ ଜାତୀୟ ଶିକ୍ଷାନୀତି ପ୍ରଚଳନ ହେବାକୁ ଯାଉଥିବାରୁ ଏହା ଉକ୍ତ ନୀତିର ଏକ ଅଂଶବିଶେଷ ଭାବେ ପରିଗଣିତ ହେଉଛି। ଏହାଦ୍ୱାରା ବିଦ୍ୟାଳୟ ସ୍ତରରେ ଏନ୍‍ସିସି ପଢ଼଼ିଥିବା ଛାତ୍ରଛାତ୍ରୀ ଉପକୃତ ହେବା ସହ ଦେଶର ସେନାବାହିନୀରେ ସେମାନଙ୍କ ଯୋଗଦାନ ନିମନ୍ତେ ଅନେକ ସୁଯୋଗ ସୃଷ୍ଟି ହୋଇପାରିବ। ସ୍ନାତକ ଶ୍ରେଣୀରେ ଏନ୍‍ସିସି ବିଷୟ ରଖିଥିବା ଛାତ୍ରଛାତ୍ରୀଙ୍କ ନିଯୁକ୍ତ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ ତଥା ଅଧିକ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହେବ।

ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ସରକାରୀ, ବେସରକାରୀ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏନ୍‍ସିସିକୁ ପାଠ୍ୟକ୍ରମରେ ସାମିଲ କରିବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ତଥା ବ୍ୟବସ୍ଥା ଗ୍ରହଣ ନିମନ୍ତେ ୟୁଜିସିର ସଚିବ ପ୍ରଫେସର ରଜନିଶ ଜୈନ ଚିଠିରେ ଉଲ୍ଲେଖ କରିଛନ୍ତି। ରେଭେନ୍‍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସଞ୍ଜୟ କୁମାର ନାୟକଙ୍କୁ ପଚାରିବାରୁ ଏ ସଂକ୍ରାନ୍ତୀୟ ଚିଠି ବିଶ୍ୱବିଦ୍ୟାଳୟରେ ପହଞ୍ଚିଛି, ଏକାଡେମିକ କାଉନ୍‍ସିଲ୍‍ ବୈଠକରେ ଏନେଇ ଆଲୋଚନା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସରକାରଙ୍କୁ ଚିଠି ଲେଖାଯିବ।

Comments are closed.