ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ସ୍ବାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ୭୩ ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି.) ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ତଥା ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ଇଂରାଜୀ ପ୍ରାଧ୍ୟାପକ ଅଶ୍ବିନୀ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ହରିହର ଓଝା, ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ, ପଣ୍ଡିତ ପର୍ଶୁରାମ ପଣ୍ଡା ଓ ଶିକ୍ଷକ ପାର୍ଥସାରଥୀ ବେଜ୍ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଥିବା ୫୬ ଜଣ ଏନସିସି କ୍ୟାଡେଟଙ୍କୁ ଉତ୍ତମ ଚରିତ୍ର ଗଠନ, ଶୃଙ୍ଖଳିତ, ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟପରାୟଣ ହୋଇ ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ୧୧ ଜଣ ଏନସିସି କ୍ୟାଡେଟଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ମାର୍ଗଦର୍ଶକ ଓ ଅବସରପ୍ରାପ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ତରଫରୁ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁଙ୍କୁ ମାନପତ୍ର ଓ ଉପାୟନ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପିକା ସୁସ୍ନାତାଶୋଭାଲିନ୍ ମହାପାତ୍ର, ଦୀକ୍ଷା ରାଉତ, ନୈଲାନୀ କାର୍ଜୀ, ନିରୁପମା ସାହୁ, ମଧୁସ୍ମିତା ମହାନ୍ତ ଓ ବିଶ୍ବଜିତ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶେଷରେ ଏନସିସି ଛାତ୍ରଛାତ୍ରୀଙ୍କ ଦ୍ଵାରା ଭୁତ ମହାନ୍ତ ଙ୍କ ସଂଯୋଜନାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments are closed.