କ୍ରୁଜ ନିଶା ସେବନ ମାମଲା: ଏନସିବି ସାକ୍ଷୀ କେ ପି ଗୋସାଭି ଗିରଫ

ପୁନେ: କ୍ରୁଜ ନିଶାସେବନ ମାମଲାରେ ନାର୍କୋଟିକ୍ସ କଂଟ୍ରୋଲ ବୁ୍ୟରୋ (ଏନସିବି)ର ସାକ୍ଷୀ କେ ପି ଗୋସାଭିଙ୍କୁ ଗିରଫ କରାଯାଇଛି । ପୁନେ ପୁଲିସ ପୂର୍ବରୁ କେ ପି ଗୋସାଭି ନାମରେ ଲୁକ ଆଉଟ ନୋଟିସ ଜାରି କରିଥିଲା । ସୂଚନାଯୋଗ୍ୟ ଯେ ଗୋସାଭିଙ୍କ ବିରୁଦ୍ଧରେ ୨୦୧୮ରେ ଏକ ଠକେଇ ମାମଲା ରହିଛି । ଉକ୍ତ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । କିରଣ ଗୋସାଭି ଜଣେ ବେସରକାରୀ ଗୁଇନ୍ଦା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୯ରେ ପୁନେ ସହରାଞ୍ଚଳ ପୁଲିସ ପକ୍ଷରୁ ଗୋସାଭିଙ୍କୁ ଜଣେ ପୁଲିସ ଖୋଜୁଥିବା ବ୍ୟକ୍ତି ଭାବରେ ଘୋଷଣା କରାଯାଇଥିଲା । ସେବେଠାରୁ ସେ ନିଖୋଜ ଥିଲେ ଏବଂ ଏନସିବି ପକ୍ଷରୁ କର୍ଡେଲିଆ କ୍ରୁଜରେ ଚାଲିଥିବା ନିଶା ସେବନ ପାର୍ଟିରେ ଚଢଉ ସମୟରେ ସେଠାରେ ଏନସିବିର ଜଣେ ସାକ୍ଷୀ ଭାବରେ ତାଙ୍କୁ ଦେଖିବାକୁ ମିଳିଥିଲା । ପରେ ଅକ୍ଟୋବର ୧୪ ତାରିଖରେ ପୁଲିସ ତାଙ୍କ ବିରୁଦ୍ଧରେ ଲୁକ ଆଉଟ ନୋଟିସ ଜାରି କରିଥିଲା ।
ଆର୍ୟନ ଖାଁ ମାମଲାରେ ଜଣେ ସାକ୍ଷୀ ଥିବା କେ ପି ଗୋସାଭି ଏବଂ ଆର୍ୟନଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରଠାରୁ ଗୋସାଭି ଫେରାର ଥିଲେ । ନିକଟରେ ସେ ଲଖନଉସ୍ଥିତ ଏକ ଥାନାରେ ଆତ୍ମସମର୍ପଣ କରିବା ଉଦ୍ୟମ ମଧ୍ୟ କରିଥିଲେ । କେ ପି ଗୋସାଭିଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଅନେକ ବ୍ୟକ୍ତି ତାଙ୍କର କଳା କାରନାମା ସମ୍ପର୍କରେ ପୁଲିସରେ ଅଭିଯୋଗ କରିବାକୁ ଆଗେଇ ଆସିଛନ୍ତି । ଏନସିବି ଚଢଉ ସମୟରେ ଗୋସାଭି ବସି ଆର୍ୟନଙ୍କ ସହିତ ସେଲଫି ନେଉଥିବା ଏବଂ ଫୋନରେ କାହା ସହିତ ଯୋଗାଯୋଗ କରିବାରେ ଆର୍ୟନଙ୍କୁ ସହାୟତା କରୁଥିବା ଦେଖିବାକୁ ମିଳିଥିଲା । ଏନସିବିର ଅନ୍ୟ ଜଣେ ସାକ୍ଷୀ ପ୍ରଭାକର ପାଟିଲ ପୂର୍ବରୁ ଏହି ମାମଲାରେ ବିପୁଳ ଅର୍ଥ ଲାଞ୍ଚ ଆକାରରେ ଦାବି କରିବା ଏବଂ ବଟି ଆଦାୟ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ ଆଉ ମଧ୍ୟ ଅଭିଯୋଗ କରିଛନ୍ତି ଯେ ସମୀର ୱାଙ୍ଖେଡେଙ୍କୁ ୮ କୋଟି ଟଙ୍କା ଦେବାକୁ ପଡିବ ବୋଲି ଗୋସାଭି କହୁଥିବା ସେ ଶୁଣିଛନ୍ତି । ତେବେ ଏନସିବି ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ।

Comments are closed.