ଏନ୍‌ସିବି କେବଳ ପ୍ରଚାର ସର୍ବସ୍ବ: ଉଦ୍ଧବ

ମୁମ୍ବଇ: ଆର୍ଯ୍ୟନ୍‌ ଖାଁଙ୍କ ଜାମିନ ଆବେଦନ ଉପରେ ଅଦାଲତ ଶୁଣାଣି ଶେଷ କରିଥିବାବେଳେ ଆସନ୍ତା ୨୦ରେ ରାୟ ପ୍ରକାଶ ପାଇବ ବୋଲି ଘୋଷଣା କରିଛନ୍ତି। ଇତିମଧ୍ୟରେ ଆର୍ଯ୍ୟନ୍‌ଙ୍କ ମାମଲାର ତଦନ୍ତ କରୁଥିବା ଏନ୍‌ସିବି ମୁଖ୍ୟ ସମୀର ୱାଙ୍ଖେଡ଼େଙ୍କ ବିରୋଧରେ ଏନ୍‌ସିପି ନେତା ତଥା ମନ୍ତ୍ରୀ ନୱାବ ବାଲିକ ନୂଆ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ବିଜେପି ନେତାଙ୍କ ସହ ସମୀରଙ୍କ ସମ୍ପର୍କ ବିଷୟ ସାମ୍ନାକୁ ଆଣିଥିବା ମାଲିକ ଶନିବାର ସାମାଜିକ ଗଣମାଧ୍ୟମରେ କେତେକ ଫଟୋ ଜାରି କରି ସମୀରଙ୍କ ବିବାଦୀୟ ବ୍ୟକ୍ତିତ୍ବର କିଛି ନିଦର୍ଶନ ରଖିଛନ୍ତି। ଭଉଣୀ ଜସ୍ମିନ ୱାଙ୍ଖେଡେ ଓ ଫ୍ଲେଚର ପଟେଲ ନାମକ ଜଣେ ବ୍ୟକ୍ତିଙ୍କ ସହ ସମିର ରହିଥିବା ଫଟୋକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଫ୍ଲେଚର ଜସ୍ମିନଙ୍କୁ ‘ଲେଡି ଡନ୍‌’ ଭାବେ ବର୍ଣ୍ଣନା କରିଥିବାବେଳେ ଏହି ବ୍ୟକ୍ତିଙ୍କ ସହ ସମୀରଙ୍କ ସମ୍ପର୍କ କ’ଣ ବୋଲି ମାଲିକ ପ୍ରଶ୍ନ କରିଛନ୍ତି।

ଅପରପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମାଦକ ପାର୍ଟି ଓ ଆର୍ଯ୍ୟନ୍‌ ଖାଁ ପ୍ରସଙ୍ଗରେ ପ୍ରଥମ ଥର ପାଟି ଖୋଲିଛନ୍ତି। ଏନ୍‌ସିବି କେବଳ ‘ସେଲିବ୍ରିଟି’ମାନଙ୍କୁ ମାଦକ ଦ୍ରବ୍ୟ ମାମଲାରେ ଗୋଡ଼ାଉଛି ଏବଂ ଏହା ମାଧ୍ୟମରେ ଚର୍ଚ୍ଚାକୁ ଆସିବା ପ୍ରୟାସ ଚଳାଇଥିବା ସେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ପୁଲିସ ୧୫୦ କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ କରିଥିବାବେଳେ ଏନ୍‌ସିବି କେତେ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଦ୍ବାରା ପ୍ରଚାର ସର୍ବସ୍ବ ଏନ୍‌ସିବିର କାର୍ଯ୍ୟଦକ୍ଷତା କେତେ ତାହା ଧରାପଡ଼ୁଛି ବୋଲି ସେ କହିଛନ୍ତି।

Comments are closed.