ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ମାଦକଦ୍ରବ୍ୟ କାରବାରର ସୂଚନା : ରିୟାଙ୍କ ବିରୋଧରେ ମାମଲା ରୁଜୁ କଲା ଏନ୍‍ସିବି

ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ସାମିଲ ହୋଇଛି ଅନ୍ୟତମ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାରେ ଏନସିବି ହେଉଛି ତୃତୀୟ ସଂସ୍ଥା। ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି), କେନ୍ଦ୍ରୀୟ ତଦନ୍ତ ବ୍ୟୁରେ (ସିବିଆଇ) ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଚଳାଇଛନ୍ତି। ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ମାଦକ ଦ୍ରବ୍ୟ କାରବାର ସମ୍ପୃକ୍ତି ରହିଛି କି ନାହିଁ ସେ ଦିଗ ଉପରେ ଏନସିବି ତଦନ୍ତ କରିବ। ସୁଶାନ୍ତ ସିଂହ ଓ ରିୟା ଚକ୍ରବର୍ତ୍ତୀଙ୍କୁ ମାଦକଦ୍ରବ୍ୟ ଯୋଗାଣ କରାଯାଉଥିଲା କି ନାହିଁ ସେଦିଗରେ ତଦନ୍ତ କରିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ଏନସିବି ନିକଟକୁ ପତ୍ର ଲେଖିଥିଲା। ଏନସିବି ନିର୍ଦେଶକ ରାକେଶ ଆସ୍ଥାନା କହିଛନ୍ତି ଯେ ସେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଇଡିର ଅନୁରୋଧ ପତ୍ର ମିଳିଥିଲା। ଇଡିର ଅନୁରୋଧ ଓ ସୂଚନା ଆଧାରରେ ଏନସିବି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ବୁଧବାର ମାମଲା ରୁଜୁ କରିଛି। ବେଆଇନ ମାଦକଦ୍ରବ୍ୟ (ଡ୍ରଗ୍ସ) କାରବାରକୁ ନେଇ ରିୟା ଓ ଅନ୍ୟମାନଙ୍କ ବିରୋଧରେ ଏନଡିପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।

ଇଡି ସୁଶାନ୍ତଙ୍କ ମୃତ୍ୟୁ ପଛର ଅର୍ଥନୈତିକ ଦିଗ ଉପରେ ତଦନ୍ତ କରୁଥିବାବେଳେ ସୁଶାନ୍ତ ଓ ରିୟା ମାଦକ ଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବାର ସୂଚନା ପାଇଛି। ଇଡି କହିଛି ଯେ ରିୟାଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟ ଶାହାଙ୍କୁ ଜେରା କରାଯିବା ସମୟରେ ଡ୍ରଗ୍ସ କାରବାର ସମ୍ପର୍କରେ ସୂଚନା ମିଳିଥିଲା। ସେହିପରି ରିୟାଙ୍କ ହ୍ୱାଟ୍ସଆପ୍‍ ଚାଟ୍‍ରୁ ମଧ୍ୟ ସିବିଡି ଅଏଲ ଓ ଅନ୍ୟ ମାଦକଦ୍ରବ୍ୟ ସମ୍ପର୍କରେ ସୂଚନା ମିଳିଛି। ୨୦୧୭ ମାର୍ଚ୍ଚରେ ରିୟା ଗୌରବ ଆର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କୁ ପଠାଇଥିବା ବାର୍ତ୍ତାରେ ଡ୍ରଗ୍ସ ସିବିଡି ଅଏଲ କାରବାରର ସୂଚନା ମିଳିଛି। ସେହିପରି ୨୦୧୯ ନଭେମ୍ବରରେ ରିୟା ତାଙ୍କର ପରିଚାଳକ ଜୟଙ୍କ ନିକଟକୁ ପଠାଇଥିବା ବାର୍ତ୍ତାରେ ମଧ୍ୟ ଡ୍ରଗ୍ସ କାରବାରର ସୂଚନା ମିଳିଛି। ଏହି ହ୍ୱାଟ୍ସଆପ୍‍ ଚାଟ୍‍ରେ ରିୟାଙ୍କ ସହିତ ଜୟ, ସୁଶାନ୍ତଙ୍କ ପରିଚାଳକ ସାମୁଏଲ ମିରଣ୍ଡା ମଧ୍ୟ ଅଛନ୍ତି। ବିଶେଷ କରି ସୁଶାନ୍ତଙ୍କୁ ମାଦକ ଦ୍ରବ୍ୟ ସେବନରେ ଅଭ୍ୟସ୍ତ କରିବା ଲାଗି ରିୟା ଯୋଜନା କରିଥିବାର ସୂଚନା ମିଳିଛି। ମାମଲାରେ ଜଡିତ କେଉଁ ବ୍ୟକ୍ତି ମାଦକ ଦ୍ରବ୍ୟ ସେବନ କରୁଥିଲେ ତାର ମଧ୍ୟ ତଦନ୍ତ କରାଯିବ। ଜୟଙ୍କୁ ପୁଣି ଥରେ ଜେରା କରିବା ଲାଗି ଇଡି ସମନ ଜାରି କରିଛି। ତେବେ ରିୟା ତାଙ୍କ ଜୀବନରେ କେବେହେଲେ ମାଦକ ଦ୍ରବ୍ୟ ସେବନ କରନ୍ତି ନାହିଁ ବୋଲି ତାଙ୍କ ଓକିଲ ସତୀଶ ମାନସିନେ୍ଧ କହିଛନ୍ତି। ଏହାର ପ୍ରମାଣ ପାଇଁ ରିୟାଙ୍କ ରକ୍ତ ନମୁନା ପରୀକ୍ଷା କରାଯାଉ ବୋଲି ସେ ଆହ୍ୱାନ ଦେଇଛନ୍ତି।

ମାଦକଦ୍ରବ୍ୟ କାରବାର ସମ୍ପର୍କରେ ସୂଚନା ମିଳିବା ପରେ ସିବିଆଇ ମଧ୍ୟ ଏହା ଉପରେ ତଦନ୍ତ କେନ୍ଦ୍ରୀଭୂତ କରିଛି। ଏଥିପାଇଁ ସିବିଆଇ ରିୟା, ଶ୍ରୁତି ମୋଦୀ, ଜୟ ଶାହା ଓ ଦିପେଶ ସାୱନ୍ତଙ୍କୁ ଜେରା କରିବ ବୋଲି ଜଣାଯାଇଛି। ଅନ୍ୟପଟେ ଅଭିନେତ୍ରୀ କଙ୍ଗନା ରଣାୱତ କହିଛନ୍ତି ଯେ ବଲିଉଡରେ ଡ୍ରଗ୍ସ କାରବାର ଏକ ସାଧାରଣ ଘଟଣା। କୋକେନ ଭଳି ଦାମୀ ମାଦକଦ୍ରବ୍ୟ ବଲିଉଡ ପ୍ରଥମ ଧାଡିର କଳାକାରଙ୍କ ଘରେ ବ୍ୟବହାର ହୁଏ। ବଲିଉଡର ଉତ୍ସବରେ ଏହା ମଧ୍ୟ ଉପଲବ୍ଧ ହୋଇଥାଏ। ଏନସିବି ଯଦି ଏହି ଘଟଣାର ତଦନ୍ତ କରିବ ତେବେ ଏହାର ପର୍ଦାଫାସ ହୋଇପାରିବ। ସମସ୍ତଙ୍କ ରକ୍ତ ନମୁନା ପରୀକ୍ଷା କରାଯାଏ ତେବେ ଅନେକ ଆଶ୍ଚର୍ଯ୍ୟ ପଦାକୁ ଆସିଯିବ।

Comments are closed.