ପୂର୍ବ ଶତ୍ରୁତାରୁ ସରପଞ୍ଚଙ୍କୁ କଟୁରୀରେ ହାଣି ହତ୍ୟା

ଖଣ୍ଡପଡା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ସରପଞ୍ଚଙ୍କୁ ଅତି ନିର୍ମମ ଭାବେ କଟୁରୀରେ ହାଣି ହତ୍ୟା କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲା ଖଣ୍ଡପଡା ବ୍ଲକ ଢୋଲମରା ପଞ୍ଚାୟତରେ । ଏହି ପଞ୍ଚାୟତର ସରପଞ୍ଚ ସୁଶାନ୍ତ ବେହେରାଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନାଅନୁସାରେ ଶନିବାର ରାତି ପ୍ରାୟ ୧୦ଟା ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ କାମ ସାରି ସୁଶାନ୍ତ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତ ସୁଶାନ୍ତଙ୍କ ଉପରେ କଟୁରୀରେ ଆକ୍ରମଣ କରିଥିଲା ।ଏଥିରେ ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ରକ୍ତ ଜୁଡୁବୁଡ଼ୁ ସୁଶାନ୍ତ ତଳେ ପଡ଼ିଯିବା ସହ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ସେମାନେ ସୁଶାନ୍ତଙ୍କୁ ପ୍ରଥମେ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତେବେ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ନୟାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ରାତି ପ୍ରାୟ ୧ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ନୟାଗଡ ଏସଡିପିଓ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । 

Comments are closed.