୧୨ରେ ଚିନିକଳ ସମ୍ପତ୍ତିର ତାଲିକା ନିରୂପଣ

ନୟାଗଡ଼ : ଆସନ୍ତା ୧୨ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ଚିନିକଳର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସ୍ଥିତାବସ୍ଥାର ସଠିକ ତାଲିକା ନିରୂପଣ କରାଯିବ । ଜଣେ ଏଜିକ୍ୟୁଟିଭ୍ ମାଜିଷ୍ଟ୍ରେକଙ୍କ ଉପସ୍ଥିତିରେ ଏହି ତାଲିକା ପ୍ରସ୍ତୁତ କରାଯିବ ବୋଲି ନୟାଗଡ଼ ସମବାୟ ଚିନିଶିଳ୍ପ ଭାରପ୍ରାପ୍ତ ଅଧିକାରୀ ତଥା ଜିଲାପାଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ତେବେ,ବନ୍ଦ ଥିବା ଏହି କଳକୁ କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଶାସନ କେତେ ଦୂର ନିଷ୍ଠାବାନ ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଏଠାରେ ସୂଚନା ଯୋଗ୍ୟ ଯେ,ଉନ୍ନତ ଏବଂ ସଘନ ଆଖୁଚାଷ ନିମନ୍ତେ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ନୟାଗଡ଼ ଜିଲାରୁ ଏବେ ବିଭିନ୍ନ କାରଣ ଯୋଗୁଁ ଏହି ଅର୍ଥକାରୀ ଫସଲ ଲୋପ ହେବାରେ ଲାଗିଛି । ଏଠାରେ ଏଭଳି ବ୍ୟାପକ ଭାବେ ଉନ୍ନତ ଆଖୁଚାଷ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ୧୯୮୮ ମସିହାରେ ନୟାଗଡ଼ ବ୍ଲକ ପାଣିପୋଇଲା ଠାରେ ସମବାୟ ଭିତ୍ତିରେ ଏକ ଚିନିକଳ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ପ୍ରତିଷ୍ଠା କରାଯାଇଥିଲା । ଏହି କଳ ଏଠାରେ ପ୍ରତିଷ୍ଠା ହେବା ପରେ ନୟାଗଡ଼ ଜିଲାର କୃଷି ଅର୍ଥନୀତି ଅଧିକ ବିକଶିତ ଏବଂ ସମୃଦ୍ଧ ହୋଇଥିଲା । ହଜାର ହଜାର ଚାଷୀ ଆଖୁ ଚାଷ କରି ବେଶ ଲାଭବାନ ହୋଇପାରିଥିଲେ । କେବଳ ନୟାଗଡ଼ ନୁହେଁ ଖୋର୍ଦ୍ଧା,ପୁରୀ,ଜଗତସିଂହପୁର ଜିଲାର ମଧ୍ୟ ଶହ ଶହ ଆଖୁ ଚାଷୀ ଏହି କଳଦ୍ୱାରା ଲାଭବାନ ହୋଇଥିଲେ । ତେବେ,କିଛି ବର୍ଷ ସୁରୁଖୁରୁରେ ଚାଲିବା ପରେ ପରବର୍ତ୍ତୀ ସମୟରେ ପରିଚାଳନା ଗତ ତୃଟି ଯୋଗୁଁ ଏହି କାରଖାନା କ୍ଷତିରେ ଚାଲିଥିଲା । ରାଜ୍ୟ ସରକାର ଦୂରଦୃଷ୍ଟି ନରଖି ଏହାକୁ ପରବର୍ତ୍ତୀ ସମୟରେ ଚେନ୍ନାଇର ଏକ ଘରୋଇ କମ୍ପାନୀ ଧରଣୀ ସୁଗାରର୍ସକୁ ଏହାର ପରିଚାଳନା ଦାୟିତ୍ୱ ଟେକି ଦେଇଥିଲେ । ତେବେ,ଏହି କମ୍ପାନୀ କାରଖାନା ବା ଆଖୁଚାଷୀ କିମ୍ବା ଏଠାରେ ନିୟୋଜିତ କର୍ମଚାରୀ ମାନଙ୍କ ସ୍ୱାର୍ଥକୁ ନଦେଖି ନିର୍ବିଘ୍ନରେ ବହୁ ଟଙ୍କା ଲୁଟି ନେଇ ପଳାଇଯାଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ୨୦୦୪ ମସିହାରେ ଏହି ଐତିହ୍ୟ ସମ୍ପନ୍ନ ଶିଳ୍ପକୁ ତ୍ରୈଲୋକ୍ୟ ମିଶ୍ର ନାମକ ଅନ୍ୟ ଜଣେ ଘରୋଇ ମାଲିକଙ୍କୁ ମାତ୍ର ୫କୋଟି ୨୫ଲକ୍ଷ ଟଙ୍କାରେ ରାଜ୍ୟ ସରକାର ବିକ୍ରି କରି ଦେଇଥିଲେ । ତେବେ,ଶ୍ରୀ ମିଶ୍ର ଏହି କାରଖାନା ନାମରେ ବ୍ୟାଙ୍କରେ ବିପୁଳ ପରିମାଣର ଋଣ କରି ଶେଷରେ ଏହାକୁ ୨୦୧୪ ମସିହାରେ ତାଲା ପକାଇ ଚାଲିଯାଇଥିଲେ । ଫଳରେ,ହଜାର ହଜାର ଆଖୁଚାଷୀ ଏବଂ ୪୫୦ଜଣ କର୍ମଚାରୀ ହତାଶ ପଡ଼ିଛନ୍ତି । ଏହି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ଚାଷୀ ଏବଂ କର୍ମଚାରୀ ଏକ କ୍ରିୟାନୁଷ୍ଠାନ ଗଠନ କରାଯାଇ ଦୀର୍ଘଦିନ ହେଲା ଗଣଧାରଣା, ପଥପ୍ରାନ୍ତ ସଭା, ପଦଯାତ୍ରା,ସଚେତନତା ସମାବେଶ ନୟାଗଡ଼ରୁ ଭୁବନେଶ୍ୱର ପର୍ଯ୍ୟନ୍ତ କରାଯାଇଥିଲା । ମାତ୍ର କୌଣସି ସୁଫଳ ମିଳିଲାନାହିଁ । ତେବେ,ଗତ ୨୦୧୯ସାଧାରଣ ନିର୍ବାଚନ ସମୟରେ ଶାସକ ବିଜେଡ଼ି ସମେତ ବିଜେପି ଏବଂ କଂଗ୍ରେସ ଦଳପକ୍ଷରୁ କାରଖାନା ପୁଣି ଚଳାଇବା ନେଇ ଯେଉଁ ଭଳି ତୁମ୍ବିତୋଫାନ କରାଯାଇ ତାହାକୁ ନେଇ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଛନ୍ତି । ଏହି ତିନି ତୁଙ୍ଗ ଦଳର ନେତା ମାନେ ଚିନି କାରଖାନାକୁ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରାଯିବ ବୋଲି ନିର୍ବାଚନ ସମୟରେ ଲୋଭନୀୟ ପ୍ରତିଶ୍ରୃତି ଦେଇଥିଲେ । ଏହି ପରିପ୍ରେକ୍ଷୀରେ,ବିଜେଡ଼ି ଏବଂ ବିଜେପି ନେତାଙ୍କ ପ୍ରତିଶ୍ରୃତି ଜିଲାର ୧୧ଲକ୍ଷ ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର କରିଥିଲା। ମାତ୍ର,ଏହି ନେତାଙ୍କ କଥା ଓ କାର୍ଯ୍ୟ ମଧ୍ୟରେ ଆକାଶ ପାତାଳ ତଫାତ ତାହା ପ୍ରମାଣିତ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comments are closed.