ତଦନ୍ତର ୧୨ ଦିନ ପରେ ବି ଏସଆଇଟି ଚୁପ୍; ପୁଲିସକୁ ଚାଲେଞ୍ଜ, ପୁଣି ଶିଶୁକନ୍ୟା ନିଖୋଜ

ନୟାଗଡ଼/ରଣପୁରଗଡ: ପରୀ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ତଦନ୍ତକୁ ବାର ଦିନ ବିତିଗଲାଣି। ତଥାପି କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନି ତଦନ୍ତ। କେବଳ ଅନ୍ଧାରରେ ବାଡ଼ି ବୁଲାଇବା ପରି ଯଦୁପୁର ଗାଁରେ ବିଭିନ୍ନ ଲୋକଙ୍କୁ ପଚରାଉଚରାରେ ସୀମିତ ରହିଛି ତଦନ୍ତ। ପରୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ଏବେ ପୁଣି ନୟାଗଡ଼ରେ ଆଉ ଏକ ଶିଶୁକନ୍ୟା ନିଖୋଜ ଘଟଣା ଚର୍ଚ୍ଚାକୁ ଆସିଛି। ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅଧୀନ ବଧିପାଟଣା ଗ୍ରାମର ୩ ବର୍ଷର ଶିଶୁକନ୍ୟାକୁ କେହି ଅପହରଣ କରିନେଇଥିବା ଅଭିଯୋଗ ହେଉଛି। ଶିଶୁକନ୍ୟାଟି ଶୁକ୍ରବାର ଅପରାହ୍ଣରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା। ଘର ଲୋକେ ଖୋଜାଖୋଜି କରି ନ ପାଇବା ପରେ ରାଜସୁନାଖଳା ଫାଣ୍ଡିରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।
ଖବର ପାଇ ରଣପୁର ଥାନା ଇନ୍ସପେକ୍ଟର ଜ୍ୟୋତିପ୍ରକାଶ ପଣ୍ଡା ରାତାରାତି ବଧିପାଟଣା ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶନିବାର ସକାଳୁ ରଣପୁର ଅଗ୍ନିଶମ ବାହିନୀ ଦ୍ୱାରା ଗାଁ ମୁଣ୍ଡରେ ଥିବା ପୋଖରୀ ଓ ନିକଟସ୍ଥ କୂଅଗୁଡିକରେ ଖୋଜାଖୋଜି କରାଯାଇଥିଲେ ବି ଶିଶୁଟିର ସନ୍ଧାନ ନ ପାଇ ନିରାଶ ହୋଇ ଫେରିଥିଲେ। ବିଧାୟକ ସତ୍ୟନାରାୟଣ ପ୍ରଧାନ, ଏସପି ପ୍ରତ୍ୟୁଷ ଦିୱାକର ଓ ଶରଣକୁଳ ଏସଡିପିଓ ଏସ ଟପ୍ପୋ ବଧିପାଟଣା ଗାଁକୁ ଯାଇ ଶିଶୁକନ୍ୟାର ବାପା ଓ ପରିବାର ଲୋକଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି। ଗାଁକୁ ଆସୁଥିବା କମଳ ବିକ୍ରିବାଲା ତାଙ୍କ ଝିଅକୁ ନେଇ ଯାଇଥାଇ ପାରେ ବୋଲି ଶିଶୁଟିର ମା’ ସନ୍ଦେହ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ପରୀ ହତ୍ୟାକାଣ୍ଡ ଘଟଣାକୁ ୫ ମାସ ବିତିଗଲାଣି। ଏହି ଶିଶୁ ହତ୍ୟା ଘଟଣାର ତଦନ୍ତ ପ୍ରଥମେ ସଦରଥାନା ପୁଲିସ କରିଥିଲା। ଜିଲା ପୁଲିସ ପୀଡ଼ିତଙ୍କୁ ନ୍ୟାୟ ଦେବା ଅପେକ୍ଷା ସେମାନଙ୍କୁ ନିର୍ଯାତନା ଦେବା ସହ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତର ବିଶ୍ୱସନୀୟତା ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇବାରୁ ପରବର୍ତ୍ତୀ ସମୟରେ ଏହି ଘଟଣା ତଦନ୍ତ କାର୍ଯ୍ୟ ଏସ୍ଆଇଟିକୁ ନ୍ୟସ୍ତ କରାଯାଇଛି। ଏସ୍ଆଇଟିର ଏକ ୫ଜଣିଆ ଟିମ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗତ ୧ ତାରିଖଠାରୁ ନୟାଗଡ଼ ଆସି ତଦନ୍ତ କରୁଛନ୍ତି। ଏସ୍ଆଇଟି ଏପର୍ଯ୍ୟନ୍ତ କୌଣସି ସଠିକ ନିର୍ଯ୍ୟାସରେ ଉପନୀତ ହୋଇପାରି ନାହିଁ। ବର୍ତ୍ତମାନ ସୁଦ୍ଧା ଏସ୍ଆଇଟିର ହାତଖାଲି ରହିଛି।
ପୂର୍ବରୁ ଦୁଇ ଶିଶୁହତ୍ୟା ଘଟଣା ଅନ୍ଧାରରେ
ନୟାଗଡ଼: ପରୀ ହତ୍ୟାକାଣ୍ଡ ଏବେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ଏହା ଶିରୋନାମାରେ ପରିଣତ ହୋଇଛି। ପରୀ ହତ୍ୟାକାଣ୍ଡ ଘଟିବାର ୫ମାସ ପରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ସଫଳ ହୋଇ ନ ଥିଲାବେଳେ ଏହି ବ୍ଲକର କେସ୍ତପଡ଼ା ଏବଂ କରଡ଼ାବଣି ଗ୍ରାମରେ ସଙ୍ଗଠିତ ଦୁଇଟି ଶିଶୁହତ୍ୟା ଘଟଣା ଏବେ ବି ଅନ୍ଧାରରେ। ବର୍ଷ ବର୍ଷ ସମୟ ଅତିକ୍ରାନ୍ତ ସତ୍ତ୍ବେ ପୁଲିସ ଏହାର କୂଳକିନାରା ପାଉ ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୮ ସେପ୍ଟେମ୍ବର ୩୦ ତାରିଖରେ ଇଟାମାଟି ଥାନା କେସ୍ତପଡ଼ା ଗ୍ରାମର ପ୍ରମୋଦକୁମାର ସ୍ୱାଇଁ ଏବଂ ସବିତା ସ୍ୱାଇଁଙ୍କ ୨ବର୍ଷର ପୁତ୍ରକୁ ତାଙ୍କର ଜଣେ ପଡ଼ୋଶୀ କୂଅରେ ପକାଇ ହତ୍ୟା କରିଥିବା ପୁଲିସରେ ଅଭିଯୋଗ ହୋଇଥିଲା। ଥାନାକୁ ଏହି ଦମ୍ପତି ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ଥକିଗଲେ ସିନା ଅଦ୍ୟାବଧି ନ୍ୟାୟ କିନ୍ତୁ ପାଇଲେ ନାହିଁ। ପୁଲିସ ନିକଟରୁ ନ୍ୟାୟ ପାଇବାରୁ ବଞ୍ଚିତ ହେବା ପରେ ସେମାନେ ନୟାଗଡ଼ କୋର୍ଟର ଆଶ୍ରୟ ମଧ୍ୟ ନେଇଛନ୍ତି। ହତ୍ୟାକାଣ୍ଡର ଅଭିଯୁକ୍ତମାନେ ୨ବର୍ଷ ହେଲା ଅନ୍ୟତ୍ର ଆତ୍ମଗୋପନ କରିଥିଲାବେଳେ ସମ୍ପୃକ୍ତ ପୁଲିସ ରାଜନୈତିକ ଚାପରେ ସେମାନଙ୍କୁ ଗିରଫ କରୁ ନାହିଁ ବୋଲି ଏହି ଦମ୍ପତି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଅନୁରୂୂପ ଭାବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବ୍ଲକର କରଡ଼ାବଣୀ ଗ୍ରାମର ଜଣେ ୯ମ ଶ୍ରେଣୀ ଛାତ୍ର ନିଖୋଜ ହେବାର ୮ଦିନ ପରେ ସ୍ଥାନୀୟ ପୋଖରୀରୁ ତା’ର ଶବ ଉଦ୍ଧାର ହୋଇଥିଲା। ଏହି ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରି ସମ୍ପୃକ୍ତ ଗ୍ରାମବାସୀ ରାସ୍ତାରୋକ କରିଥିଲ। ଘଟଣା ଘଟିବାର ପାଖାପାଖି ୨ ବର୍ଷ ହୋଇଯାଇଥିଲେ ମଧ୍ୟ ଟାଉନଥାନା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସଫଳ ହୋଇ ନାହିଁ। ନୟାଗଡ଼ରେ ଏଭଳି ଗୋଟିଏ ପରେ ଗୋଟିଏ ରହସ୍ୟଜନକ ଶିଶୁହତ୍ୟା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ପରୀ ମାଆଙ୍କ ପ୍ରଶ୍ନ : ମାଆର ମମତାକୁ କ’ଣ ଟଙ୍କାରେ କିଣାଯାଇପାରେ ?
ନୟାଗଡ଼: ମା’ର ମମତାକୁ କ’ଣ ଟଙ୍କାରେ କିଣାଯାଇପାରେ ବୋଲି ପରୀର ମା’ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କୁ ପ୍ରଶ୍ନ କରିଛନ୍ତି। ଉଲ୍ଲେଖନୀୟ ଯେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ପରୀର ଗ୍ରାମ ଯଦୁପୁର ଗସ୍ତ ଆସି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ତା’ର ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରିବାକୁ ସୁପାରିସ କରାଯିବ ବୋଲି ସୂଚନା ଦେଇଥିଲେ। ଆୟୋଗର ଅଧ୍ୟକ୍ଷାଙ୍କ ଏଭଳି ବୟାନରେ ପରୀର ମା’ ସୌଦାମିନୀ ସାହୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପରୀକୁ ଉଚିତ ନ୍ୟାୟ ମିଳୁ, ଏହି ବୀଭତ୍ସ ହତ୍ୟାକାଣ୍ଡର ସିବିଆଇଦ୍ୱାରା ତଦନ୍ତ ହେଉ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣକୁମାର ସାହୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏଭଳି ଅର୍ଥଲାଳସା ଦେଖାଇ ଘଟଣାର ମୋଡ଼ ବଦଳାଇବା ଏବଂ ତାଙ୍କୁ ଭୁଆଁ ଭୁଲାଇବା ପାଇଁ ରାଜ୍ୟ ପ୍ରଶାସନର ଏହା ଏକ ସୁକଳ୍ପିତ ଚକ୍ରାନ୍ତ ବୋଲି ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି।