ନାବାଳିକାର ଆଖି ନଷ୍ଟ ଘଟଣା ; ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ

ନୟାଗଡ଼: ନୟାଗଡ଼ ଜିଲା ଦଶପଲ୍ଲା ନିଚ୍ଛିପୁର ଗ୍ରାମରେ ନାବାଳିକାର ଆଖି ନଷ୍ଟ ଘଟଣାରେ ରାଜ୍ୟ  ମାନବାଧିକାର କମିଶନଙ୍କ ପାଖରେ ବୁଧବାର ପରିବାରଲୋକେ ଦ୍ବାରସ୍ଥ ହେବାପରେ  ମାନବ ଅଧିକାର କମିଶନ ନୟାଗଡ଼ ସିଡିଏମଓ, ଏଲଭି ପ୍ରସାଦ ହସ୍ପିଟାଲକୁ ନୋଟିସ ଜାରିକରିଛନ୍ତି।  ଏହାସହ କଟକ ଏସସିବି ମେଡିକାଲ ଆଧୀକ୍ଷଙ୍କୁ ମଧ୍ୟ ନୋଟିସ ପଠାଯାଇଛି । ୩ଦିନ ମଧ୍ୟରେ ତଦନ୍ତ କମିଟି କରି ୭ ତାରିଖ ମଧ୍ୟରେ ରିପୋର୍ଟ ଦେବା ପାଇଁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟପରେ ୧୯ରେ ପରବର୍ତ୍ତି ଶୁଣାଣିହେବବୋଲି  ମାନବାଧିକାର କମିଶନ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ନଛିପୁର ଗ୍ରାମର ଚନ୍ଦ୍ରକାନ୍ତ ଗୋଚ୍ଛାୟତଙ୍କ ଝିଅ ରିଙ୍କି ମୁଣ୍ଡରେ କ୍ଲିପ୍‌ ଲଗାଉଥିବାବେଳେ ଆଖିରେ ବାଜି ଯାଇଥିଲା । ଏହା ପରେ ସେପ୍ଟମ୍ବର ୨୯ ତାରିଖ ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଚକ୍ଷୁ ବିଭାଗ ଡାକ୍ତର ଦେଖି ଔଷଧ ପାଇଁ ଲେଖିଥିଲେ । ଚନ୍ଦ୍ରକାନ୍ତ ମେଡ଼ିକାଲରେ ଥିବା ନିରାମୟ କେନ୍ଦ୍ରରୁ ଔଷଧ ଆଣିଥିଲେ । ଏହା ପରେ ଔଷଧର ବ୍ୟବହାର ସମ୍ପର୍କରେ ଡାକ୍ତରଙ୍କୁ ପଚାରିବାରୁ ସେ ଦିନରେ ଚାରିରୁ ପାଞ୍ଚ ଥର ଔଷଧକୁ ଆଖିରେ ପକାଇବାକୁ ପରାମର୍ଶ ଦେଇଥିଲେ । ମାତ୍ର ସେହି ଔଷଧ ପକାଇବାରୁ ଆଖିରେ ଆହୁରି ଯନ୍ତ୍ରଣା ଅନୁଭବ ହୋବାସହ ଆଖି ଫୁଲି ଯାଇଥିଲା । ଏହା ପରେ ଝିଅଟିକୁ ଭୁବନେଶ୍ୱରରେ ଥିବା ଏଲ୍.ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ନୟାଗଡ଼ ମେଡ଼ିକାଲ ଡାକ୍ତର ଦେଇଥିବା ଔଷଧ ଆଖିର ନୁହେଁ ବରଂ କାନର ବୋଲି ଜଣାପଡ଼ି ଥିଲା । ଏହା ପରେ ଡାକ୍ତରମାନେ ଅସ୍ତ୍ରୋଚାର କରି ଡାହାଣ ଆଖିକୁ ସମ୍ପୂର୍ଣ୍ଣ ବାହାର କରି ଦେଇଥିଲେ । ଫଳରେ ରିଙ୍କି ସବୁଦିନ ପାଇଁ ତା’ର ଆଖି ହରାଇଥିଲା ।

Comments are closed.