ଗାଡ୍‌ଛିରୋଲିରେ ୬ ମାଓବାଦୀ ନିହତ

0

ନାଗପୁର : ମହାରାଷ୍ଟ୍ରର ଗାଡ୍‌ଛିରୋଲି ଜିଲାରେ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଥର ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୋମବାର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୬ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ସୋମବାର ଅହେରି ତଲସିଲ ଅଧୀନ ରାଜାରାମ ଖାନଲା ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ସନ୍ଧ୍ୟାରେ ସୁରକ୍ଷା କର୍ମୀ ପହଞ୍ଚି ଜଙ୍ଗଲରେ ତଲାସୀ ଆରମ୍ଭ କରିଥିଲେ । ସେଠାରୁ ଖସିଯିବାକୁ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ ୬ ମାଓବାଦୀ ନିହତ ହୋଇଛନ୍ତି । ରାତି ପ୍ରାୟ ୭ଟାରୁ ୮ଟା ମଧ୍ୟରେ ଏହି ଘଟଣା ଘଟିଥିଲା । ମୃତକ ମାଓବାଦୀଙ୍କ ମଧ୍ୟରେ ଅହେରି ଆଞ୍ଚଳିକ କମିଟି ସମ୍ପାଦକ ତଥା ଦାଲାମ କମାଣ୍ଡର ନନ୍ଦୁ ଥିବା ସୂଚନା ମିଳିଛି । ପ୍ରକାଶ ଯେ ରବିବାର ଭାମ୍‌ରାଗଡ ସହର ସନ୍ନିକଟ ତାଡ୍‌ଗାଓଁ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୧୬ ମାଓବାଦୀ ନିହତ ହୋଇଥିଲେ । ଦୁଇ ଦିନ ମଧ୍ୟରେ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୨୨ ମାଓବାଦୀ ପ୍ରାଣ ହରାଇଛନ୍ତି । ଏହି କାର୍ଯ୍ୟାନୁଷ୍ଠାନରେ ସି-୬୦ କମାଣ୍ଡୋ ୟୁନିଟ ସମେତ ମହାରାଷ୍ଟ୍ର ପୁଲିସର ସ୍ୱତନ୍ତ୍ରଭାବେ ପ୍ରଶିକ୍ଷଣପ୍ରାପ୍ତ ପୁଲିସ କର୍ମୀ ସାମିଲ ଥିଲେ। ରବିବାର ମୃତ ମାଓବାଦୀଙ୍କ ମଧ୍ୟରେ ସଂଗଠନର ଦୁଇ ପ୍ରମୁଖ ଡିଭିଜିନାଲ କମାଣ୍ଡର ସାଇନାଥ ଓ ସାଇନୁ ଥିଲେ । ସେମାନଙ୍କ ମୁଣ୍ଡରେ ରାଜ୍ୟ ସରକାର ୧୬ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ । ମହାରାଷ୍ଟ୍ର ପୁଲିସ୍‌ ମହାନିର୍ଦେଶକ (ଡିଜିପି) ସତୀଶ ମାଥୁର କହିଛନ୍ତି ଯେ ମାଓବାଦୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଫଳରେ ସେମାନଙ୍କ ସୂଚନା ପୁଲିସ୍‌କୁ ସହଜରେ ମିଳୁଛି। ଏବେ ମାଓବାଦୀଙ୍କ ନିକଟରେ ଆତ୍ମସମର୍ପଣ ଛଡ଼ା ଆଉ କୌଣସି ବାଟ ନାହିଁ ।

Leave A Reply