ନକ୍ସଲ୍‍ଙ୍କ ସହିଦ ସପ୍ତାହ: ପ୍ରଥମ ଦିନରୁ ହିଂସା

0

ମାଲକାନଗିରି/ବରଗଡ଼: ଆଜିଠାରୁ ଆରମ୍ଭ ହୋଇଛି ନକ୍ସଲ୍‍ଙ୍କ ସହିଦ ସପ୍ତାହ। ଆସନ୍ତା ୩ ତାରିଖ ଯାଏ ସହିଦ ସପ୍ତାହ ପାଳନ ହେବ। ତେବେ ପ୍ରଥମ ଦିନରୁ ନକ୍ସଲ୍‍ମାନେ ହିଂସାକାଣ୍ଡ ଭିଆଇଛନ୍ତି। ମାଲକାନଗିରି ସୀମାନ୍ତରେ ପୁଲିସ ସୂଚନାଦାତା ସନ୍ଦେହରେ ନକ୍ସଲ୍‍ମାନେ ଜଣକୁ ହତ୍ୟା କରିଛନ୍ତି। ସେହିପରି ବରଗଡ଼ରେ ପ୍ରଚୁର ପରିମାଣରେ ନକ୍ସଲ୍‍ ପୋଷ୍ଟର ଜବତ ହୋଇଛି। ନକ୍ସଲ୍‍ ହିଂସା ଭୟରେ ମାଲକାନଗିରି ଓ ଫୁଲବାଣୀ ସମେତ ଅନ୍ୟାନ୍ୟ ୧୦ଟି ରୁଟ୍‍ରେ ସରକାରୀ ବସ୍‍ ଚଳାଚଳ ବନ୍ଦ ରହିଛି।
ଆଜି ସକାଳୁ ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଜିକେବିଧି ମଣ୍ଡଳ ଅନ୍ତର୍ଗତ କୁଙ୍କୁମାପୁଡ଼ି ଜିଲା ଚୁକାଗୋଇ ଗ୍ରାମର ଭି ଜୟରାମ ନାମକ ଜଣେ ଆଦିବାସୀଙ୍କୁ ପୁଲିସ ଇନ୍‍ଫର୍ମର ସନ୍ଦେହରେ ନକ୍ସଲ୍‍ମାନେ ହତ୍ୟା କରିଛନ୍ତି। ତାଙ୍କ ମୃତଦେହ ଉପରେ ଏକ ତେଲୁଗୁ ଭାଷାରେ ଲେଖାଥିବା ଏକ ଚିଠି ଛାଡ଼ି ଦେଇଛନ୍ତି।

 

ବରଗଡ଼: ବରଗଡ଼ ଜିଲାର ଘେଁସ ଝଏର ରାସ୍ତାରେ କଲେନିପଡ଼ା ଛକ, କୁଡ଼ାପାଲି ଛକ ଏବଂ କେର୍ମେଲି ଛକରେ ବିପୁଳ ପରିମାଣର ମୁଦ୍ରିତ ନକ୍ସଲ୍ ଲିଫଲେଟ ପଡ଼ିଥିବା ଏବଂ ବ୍ୟାନର ଲଗାଯାଇଥିବା ଦେଖାଯାଇଛି । ଏଥିରେ ୨୮ ଜୁଲାଇରୁ ୩ ଅଗଷ୍ଟ ପର୍ୟ୍ୟନ୍ତ ନକ୍ସଲ୍ଙ୍କ ସହିଦ ସପ୍ତାହ ପାଳନକୁ ସମର୍ଥନ ଜଣାଇବାକୁ ଆହ୍ୱାନ ଦିଆଯାଇଛି । ନକ୍ସଲ୍ଙ୍କ ବରଗଡ଼ ବଲାଙ୍ଗିର ମହାସମୁନ୍ଦ ଡ଼ିଭିଜନ ପକ୍ଷରୁ ଏହି ବ୍ୟାନର ଓ ଲିଫଲେଟ ଲଗାଯାଇଥିବା ଜଣାପଡ଼ିଛି । ଏଥିରେ ସେମାନେ ଶୋଷଣମୁକ୍ତ ଦେଶ ଗଠନ ପାଇଁ ଜନଯୁଦ୍ଧର ଆବଶ୍ୟକତା ରହିଥିବା, କମ୍ରେଡ ସଞ୍ଜିବ, ବାଦଲ, ରାଜେଶ, ଟିଙ୍ଗରୁ, ରୀତା ଆଦିଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ଓ ସେମାନଙ୍କର ସ୍ପପ୍ନ ପୂରଣ କରାଯିବ ବୋଲି ସୂଚନା ଦିଆଯାଇଛି। ଦେଶବ୍ୟାପୀ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ କେନ୍ଦ୍ର ଓ ରାଜ୍ୟର ଉଦାରୀକରଣ ନୀତିକୁ ପୋଷ୍ଟରରେ ବିରୋଧ କରାଯାଇଛି । ଏଲ.ପି.ଜି ନୀତି ଓ ଚାଷୀ ବିରୋଧୀ ନୀତିକୁ ଏହି ଲିଫଲେଟରେ ସମାଲୋଚନା କରାଯିବା ସହ ଚାଷୀ ମାନେ ଆତ୍ମହତ୍ୟା ପରିବର୍ତ୍ତେ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଛନ୍ତି । ଏହାସହିତ ଧାନର କ୍ବିଣ୍ଟାଲ୍ ପିଛା ସର୍ବନିମ୍ନ ମୂଲ୍ୟ ୨୬୦୦ ଟଙ୍କା ସହ ୫୦୦ ଟଙ୍କାର ବୋନସ ଦିଆଯିବାକୁ ଦାବି କରାଯାଇଛି ।
ଦୀର୍ଘ ବର୍ଷ ହେଲା ବରଗଡ଼ ଜିଲାରେ ନକ୍ସଲ୍ମାନେ ତାଙ୍କର ଉପସ୍ଥିତି ଜାହିର କରି ଆସିଥିଲେ ହେଁ ଏହି ଜିଲାରେ ସେମାନଙ୍କୁ ଜନସମର୍ଥନ ମିଳିପାରି ନାହିଁ। ତେବେ ଅସନ୍ତୁଷ୍ଟ କୃଷକମାନଙ୍କ ସମର୍ଥନ ଲାଭ କରି ଅଞ୍ଚଳରେ ତାଙ୍କ ସଙ୍ଗଠନ ଓ ସମର୍ଥନ ବୃଦ୍ଧି କରିବାର ଚେଷ୍ଟା କରିଛନ୍ତି ।


୨୨ ଜୁଲାଇ ସୁଦ୍ଧା ହସ୍ତଗତ ସୂଚନା ଅନୁଯାୟୀ ଚଳିତ ବର୍ଷ ନକ୍ସଲ୍ ହିଂସାରେ ସମଗ୍ର ଭାରତ ବର୍ଷରେ ୫୨୬ ଜଣଙ୍କ ମୃତ୍ୟୁ ହେଇ ସାରିଲାଣି । ତନ୍ମଧ୍ୟରେ ୧୨୫ ଜଣ ସାଧାରଣ ନାଗରିକ,୧୧୫ ଜଣ ସୁରକ୍ଷା କର୍ମୀ ଓ ୨୮୬ ଜଣ ବାମପନ୍ଥୀ ଉଗ୍ରବାଦୀ ରହିଛନ୍ତି । ଏହି ସମୟ ମଧ୍ୟରେ ଓଡ଼ିଶାରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ତନ୍ମଧ୍ୟରେ ୧୧ ଜଣ ସାଧାରଣ ନାଗରିକ,ଜଣେ ସୁରକ୍ଷା କର୍ମୀ ଓ ୧୨ ଜଣ ବାମପନ୍ଥୀ ଉଗ୍ରବାଦୀ ମୃତ୍ୟୁ ବରଣ କରିଛନ୍ତି । ୨୦୦୫ରୁ ୨୨ ଜୁଲାଇ ୨୦୧୭ ପର୍ୟ୍ୟନ୍ତ ଓଡ଼ିଶାରେ ୩୪୩ ଜଣ ସାଧାରଣ ନାଗରିକ,୧୯୬ ଜଣ ସୁରକ୍ଷା କର୍ମୀ ଓ ୨୪୨ ଜଣ ବାମପନ୍ଥୀ ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଛି ।

Leave A Reply