ମାଓ କ୍ୟାମ୍ପ ଧ୍ୱଂସ; ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ନୂଆପଡା : ସିଆରପିଏଫ୍ ୨୧୬ବାଟାଲିୟନକୁ ଆଜି ଏକ ବଡ ସଫଳତା ମିଳିଛି। କୁମ୍ବିଂ ଅପରେସନ୍ ବେଳେ ଏକ ମାଓ କ୍ୟାମ୍ପ ଠାବ କରି ଓ ତାକୁ ଧ୍ୱଂସ କରି ବିପୁଳ ପରିମ଼ାଣର ହାତ ହତିଆର, ଗୋଳା ବାରୁଦ ଓ ମାଓ ସାମଗ୍ରୀ ଜବତ କରିଛି।

ସୂଚନା ଅନୁସାରେ, ଆଜି ଭୋର ୪ଟା ସମୟରେ ମାଓ କ୍ୟାମ୍ପର ଗୁପ୍ତ ସୂଚନା ପାଇ କମାଣ୍ଡେଟ ଉଷା ସିଂ ଓ ସହକାରି କମାଣ୍ଡେଟ ଅମୃତ ସିଂଙ୍କ ନେତୃତ୍ୱରେ ସଦର ଜିଲ୍ଲା ବୋଡେନ୍ ବ୍ଲକ ପାଟଧରା ଅନ୍ତର୍ଗତ ଭଇଁସମୁଣ୍ଡି ଜଙ୍ଗଲରେ ସିଆରପିଏଫ୍ ୨୧୬ ବାଟାଲିୟନର ଯବାନମାନେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। କୁମ୍ବିଂ ବେଳେ ମାଓ କ୍ୟାମ୍ପର ସନ୍ଧାନ ପାଇଥିଲେ। କିନ୍ତୁ ତା ଆଗରୁ ଅପରେସନର ଖବର ପାଇ ମାଓବାଦୀମାନେ ନିଜ କ୍ୟାମ୍ପରୁ ଛତ୍ରଭଙ୍ଗ ଦେଇଥିଲେ। ଯବାନମାନେ ମାଓ କ୍ୟାମ୍ପକୁ ଧ୍ୱଂସ କରିବା ସହ ୫ ଗୋଟି ରାଇଫଲ, ୩ ଟି ରାଇଫଲ ବ୍ୟାରେଲ, ୧ ଗୋଟି ପିସ୍ତଲ, ୩୩ଟି ଇଲେକ୍ଟ୍ରି ଡିଟୋନେଟର, ୨୫୦ ମିଟର ତାର, କଟକ, ଭୂବନେଶ୍ୱର, ପୁରୀ, ଓ ଆନ୍ଦ୍ରପ୍ରଦେଶର ରାଜନୈତିକ ମାନଚିତ୍ର ଓ ବିପୁଳ ପରିମାଣରେ ବୈଦ୍ୟୁତିକ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଥିଲେ। ଡେପୁଟି କମାଣ୍ଡେଟ ନରେନ୍ଦ୍ର ସିଂଙ୍କ କହିବା ଅନୁସାରେ କୁମ୍ବିଂକୁ ଆହୁରି ଜୋରଦାର କରାଯାଇଛି ।ଏପରିକି ହେଲିକାପ୍ଟର ଯୋଗେ ଆକାଶ ମାର୍ଗରୁ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ଓ ଆଜି ସନ୍ଧ୍ୟା ସୁଦ୍ଧା ଆହୁରି ବଡ ଖବର ହସ୍ତଗତ ହେବାର ସମ୍ଭାବନା ରହିଛି।

Comments are closed.