MEllora 950×100

ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ପତ୍ନୀଙ୍କ ବିରୋଧରେ ମାଆ ଦେଲେ ଏତଲା

ମୁମ୍ବାଇ: ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ମାଆ ମେହରୁନିସା ସିଦ୍ଦିକୀ ଅଭିନେତାଙ୍କ ପତ୍ନୀ ଆଲିଆଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ଏହାପରେ ଭର୍ସୋଭା ପୁଲିସ ତାଙ୍କୁ ପଚରାଉଚରା ପାଇଁ ଡାକିଛି। ପୁଲିସର ସୂଚନାନୁସାରେ, ଆଲିଆଙ୍କର ନୱାଜୁଦ୍ଦୀନଙ୍କ ମାଆଙ୍କ ସହ ଝଗଡ଼ା ହୋଇଥିଲା। ନୱାଜୁଦ୍ଦୀନ, ତାଙ୍କ ମାଆ ଓ ଆଲିଆ ଓରଫ୍‌ ଜୈନବଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ରହିଛି। ଭାରତୀୟ ଦଣ୍ଡ ସଂହିତାର ଧାରା ୪୫୨, ୩୨୩, ୫୦୪ ଓ ୫୦୬ ଅଧୀନରେ ଆଲିଆଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୁଲିସର କହିବାନୁଯାୟୀ, ଜୈନବ ଘରେ ପଶି ତାଙ୍କ ସହ ଯୁକ୍ତିତର୍କ କରିବା ସହ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ନୱାଜୁଦ୍ଦୀନଙ୍କ ମାଆ ଅଭିଯୋଗ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଜୈନବ ହେଉଛନ୍ତି ନୱାଜୁଦ୍ଦୀନଙ୍କ ଦ୍ୱିତୀୟ ପତ୍ନୀ। ନୱାଜୁଦ୍ଦୀନ ଏବଂ ତାଙ୍କ ପତ୍ନୀ ଆଲିଆ ଓରଫ ଅଞ୍ଜନା କିଶୋର ପାଣ୍ଡେ ଓରଫ ଜୈନବଙ୍କର ଦୁଇଟି ସନ୍ତାନ ଅଛନ୍ତି। ୨୦୨୦ରେ ଆଲିଆ ନୱାଜୁଦ୍ଦୀନଙ୍କୁ ଲିଗାଲ୍‌ ନୋଟିସ୍ ପଠାଇ ଛାଡ଼ପତ୍ର ମାଗିଥିଲେ। ସେ ଅଲଗା ହେବା ନିଷ୍ପତ୍ତିର କାରଣ ମଧ୍ୟ କହିଥିଲେ। ସେ ଘରୋଇ ହିଂସାର ଶିକାର ହୋଇଥିବା ଅଭିଯୋଗ କରିଥିଲେ।  ସେ କହିଥିଲେ ଯେ, ଯଦିଓ ନୱାଜୁଦ୍ଦୀନ୍ ତାଙ୍କ ଉପରେ କେବେ ବି ହାତ ଉଠାଇ ନାହାଁନ୍ତି, କିନ୍ତୁ ତାଙ୍କ ଭାଇ ଶମାସ ସିଦ୍ଦିକୀ ତାଙ୍କୁ ମାଡ଼ ମାରିଛନ୍ତି।

ଅବଶ୍ୟ ୨୦୨୧ରେ ଆଲିଆ ନୱାଜୁଦ୍ଦୀନଙ୍କୁ ଛାଡପତ୍ର ଦେବାକୁ ନେଇଥିବା ନିଷ୍ପତ୍ତି ବଦଳାଇ ଦେଇଥିଲେ। ନୱାଜୁଦ୍ଦୀନ ଏକ ସାକ୍ଷାତକାରରେ କହିଥିଲେ ଯେ, ‘‘ମୁଁ ମୋ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ପସନ୍ଦ କରେ ନାହିଁ ଏବଂ ମୁଁ କେବେ କାହା ବିଷୟରେ କୌଣସି କଥାବାର୍ତ୍ତା କରିନାହିଁ। ସେ ଏବେ ମଧ୍ୟ ମୋ ପିଲାମାନଙ୍କର ମାଆ ଏବଂ ଆମେ ଆମ ଜୀବନର ଏକ ଦଶନ୍ଧି ସାଙ୍ଗରେ ବଞ୍ଚିଛୁ। ଯାହାବି ହେଉନା କାହିଁକି ମୁଁ ତାଙ୍କୁ ସର୍ବଦା ସମର୍ଥନ କରିବି’’।

Comments are closed.