ଆଜି ନୌସେନା ଦିବସ ; ଭାରତୀୟ ନୌସେନା ୧୨୦ ଜଣ ଜଳଦସ୍ୟୁଙ୍କୁ ଗିରଫ କରିଛି

0

ନୂଆଦିଲ୍ଲୀ : ଆଜି ନୌସେନା ଦିବସ । ୧୯୭୧ ମସିହା ଭାରତ – ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ଯୁଦ୍ଧ ଜାହାଜ କରାଚୀ ବନ୍ଦରକୁ ଆକ୍ରମଣ କରି ପଶ୍ଚିମ ତଟରେ ପାକିସ୍ତାନର ସାମରିକ ଅଭିଯାନକୁ ସଫଳତାର ସହ କ୍ଷତି ପହଞ୍ଚାଇଥିବା ଭାରତୀୟ ନୌସେନାର ସମ୍ମାନରେ ଏହି ଦିବସକୁ ପାଳନ କରାଯାଇଥାଏ। ସେହିପରି ଶାନ୍ତ ସମୟରେ ଦେଶର ସାମୁଦ୍ରିକ ସୀମାକୁ ସୁରକ୍ଷିତ ରଖିବା ଏବଂ ମାନବିକ ସହାୟତା ଅଭିଯାନରେ ନୌସେନାର ଭୂମିକାକୁ ମନେପକାଇବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସ ପାଳିତ ହୋଇଥାଏ।
ନୌସେନା ଦିବସର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୌବାହିନୀ ମୁଖ୍ୟ ଆଡ୍‍ମିରାଲ୍‍ ସୁନୀଲ ଲାମ୍ବା କହିଛନ୍ତି, ଭାରତୀୟ ନୌସେନା ଭାରତୀୟ ମହାସାଗରର ସୁରକ୍ଷା ପ୍ରଦାନକାରୀ। ଏହା ଉଭୟ ପାରମ୍ପରିକ ଏବଂ ଅଣପାରମ୍ପରିକ ବିପତ୍ତିର ମୁକାବିଲା କରିବା ପାଇଁ ସକ୍ଷମ। ସେ କହିଛନ୍ତି ଭାରତୀୟ ନୌସେନା ବର୍ତ୍ତମାନ ସୁଦ୍ଧା ୪୪ଟି ସାମୁଦ୍ରିକ ଲୁଟ୍‍ ଉଦ୍ୟମକୁ ପଣ୍ଡ କରିଥିବା ବେଳେ ୧୨୦ ଜଣ ଜଳଦସ୍ୟୁଙ୍କୁ ଗିରଫ କରିଛି। ସେ କହିଛନ୍ତି ୨୦୦୮ ମସିହା ପରଠାରୁ ୭୦ଟି ଭାରତୀୟ ଯୁଦ୍ଧ ଜାହାଜ ମୁତୟନ କରାଯାଇ ୩ ହଜାର ୪୪୦ଟି ଜାହାଜର ୨୫,୦୦୦ ନାବିକଙ୍କ ସୁରକ୍ଷିତ ଯାତ୍ରା ପାଇଁ ସହାୟତା ଯୋଗାଇ ଦିଆଯାଇଛି।

ଭାରତୀୟ ନୌବାହିନୀ ପାଇଁ ସମ୍ପ୍ରତି ୩୨ଟି ଯୁଦ୍ଧଜାହାଜ ନିର୍ମାଣ ଚାଲିଥିବାବେଳେ ଆହୁରି ଅଧିକ ୫୬ ଯୁଦ୍ଧଜାହାଜ ଓ ବୁଡ଼ାଜାହାଜ ସହିତ ତୃତୀୟ ବିମାନବାହୀ ବୁଡ଼ାଜାହାଜ ଆବଶ୍ୟକ ପଡ଼ୁଛି। ନୌବାହିନୀର ଶକ୍ତି ବୃଦ୍ଧି ପାଇଁ ଏଗୁଡ଼ିକ ଅପରିହାର୍ଯ୍ୟ ହୋଇଥିବାରୁ ଏହାର ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୟାସ ଚାଲିଛି ବୋଲି ସେ କହିଛନ୍ତି। ଏହା ବ୍ୟତୀତ ରିଲାଏନ୍ସ ନାଭାଲ ଇଞ୍ଜିନିୟରିଂ ଲିମିଟେଡକୁ ୫ ଉପକୂଳ ପାଟ୍ରୋଲିଂ ଗାଡ଼ି ଯୋଗାଣ ପାଇଁ ଠିକା ଦିଆଯାଇଥିବା ଆଡମିରାଲ ଲାମ୍ବା କହିଛନ୍ତି। ଦେଶର ସୁଦୀର୍ଘ ସାମୁଦ୍ରିକ ଅଞ୍ଚଳର ସୁରକ୍ଷା କ୍ଷେତ୍ରରେ ନୌବାହିନୀ ସଫଳ ରହିଥିବା ସେ ଦର୍ଶାଇଛନ୍ତି।
ସମୁଦ୍ରରେ ଚଳାଚଳ କରୁଥିବା ପ୍ରାୟ ଅଢ଼େଇ ଲକ୍ଷ ମାଛଧରା ଡଙ୍ଗାକୁ ଚିହ୍ନଟ କରିବା ପାଇଁ ସ୍ୱୟଂଚାଳିତ ବ୍ୟବସ୍ଥା କରାଯାଉଛି ଓ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଆଧୁନିକୀକରଣ କରାଯାଉଛି। ଏହା ବ୍ୟତୀତ ସିସିଲ୍ସ ଦ୍ୱୀପରେ ନୌବାହିନୀ ଘାଟି ନିର୍ମାଣ ସମ୍ପର୍କରେ କେନ୍ଦ୍ର ସରକାର ଦ୍ୱୀପ ସରକାରଙ୍କ ସହ ଆଲୋଚନା କରୁଥିବା ଆଡମିରାଲ ଲାମ୍ବା ସୂଚନା ଦେଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ନୌସେନା ଦିବସ ଅବସରରେ ନୌବାହିନୀରେ କାର୍ଯ୍ୟରତ ପୁରୁଷ ଏବଂ ମହିଳାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଦେଶର ସାମୁଦ୍ରିକ ସୀମାର ସୁରକ୍ଷା ଏବଂ ଜଳପଥରେ ବାଣିଜ୍ୟ ତଥା ପଣ୍ୟ ପରିବହନ ଏବଂ ଜରୁରୀ ପରିସ୍ଥିତିରେ ମାନବିକ ସହାୟତା କ୍ଷେତ୍ରରେ ସେମାନଙ୍କ ପ୍ରତିବଦ୍ଧତା ପାଇଁ ଦେଶ ଗର୍ବ କରେ ବୋଲି ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି।

 

Leave A Reply