କୋଭିଡ ନିୟମ ଉଲ୍ଲଙ୍ଘନ; ନବରଙ୍ଗପୁରର ୮ଟି ଦୋକାନ ଚଢାଉ, ଗୋଟିଏ ସିଲ

୨୦ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ

ନବରଙ୍ଗପୁର : ନବରଙ୍ଗପୁର ସହରରେ ମହାମାରୀ କରୋନା ସଂକ୍ରମଣ ସଂଖ୍ୟା ଜିଲାରେ ସର୍ବାଧିକ ବୃଦ୍ଧି ପାଉଛି। ଲକ୍‍ଡାଉନ ହଟିବା ପରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ପ୍ରଶାସନ ପକ୍ଷରୁ ସଚେତନ କରି ଆସୁଛନ୍ତି। ବିଭିନ୍ନ ଦୋକାନ ଓ ବଜାରରେ ଅଧିକାଂଶ ଲୋକମାନେ ସାମାଜିକ ଦୂରତା ମାନୁ ନାହାଁନ୍ତି। ଅନେକ ଦୋକାନୀ ମଧ୍ୟ କୋଭିଡ-୧୯ ନିୟମକୁ ଖୋଲା ଉଲ୍ଲଙ୍ଘନ କରୁଥିବା ନଜିର ରହିଛି। ଏନେଇ ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ନବରଙ୍ଗପୁର ସହରର ୮ଟି ଦୋକାନ ଉପରେ ଚଢାଉ କରାଯାଇ ୨୦ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଭାସ୍‍ବି ମିଠା ଦୋକାନକୁ ସିଲ କରାଯାଇଛି। ପୁଲିସ ଓ ପ୍ରଶାସନର ତାଗିଦ ପରେ ମଧ୍ୟ କୋଭିଡ ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଚଢାଉ ସମୟରେ ଉପଜିଲାପାଳ ଭାଷ୍କର ରଇତ, ତହସିଲଦାର ରବୀନ୍ଦ୍ର ରାଉତ, ଏସଡିପିଓ ଆଦିତ୍ୟ ସେନ, ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ, ଏସ.ଆଇ ରାକେଶ ବେହେରା, ଏ.ଏସ.ଆଇ ଅଶୋକ କୁମାର ଦେଓ ଓ ଅନିଲ ପୃଷ୍ଟି ପ୍ରମୂଖ ରହିଥିଲେ।

Comments are closed.