ନବରଙ୍ଗପୁରରେ ଭାରତ ବନ୍ଦର ପ୍ରଭାବ

ନବରଙ୍ଗପୁର : ଦେଶରେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ସବୁ ବିରୋଧୀ ଦଳ ପକ୍ଷରୁ ଭାରତ ବନ୍ଦର ଡ଼ାକରା ଦିଆଯାଇଛି । ଏହି ବନ୍ଦର ପ୍ରଭାବ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦକୁ ସମର୍ଥନ ଜଣାଇ ଥିବାବେଳେ ଅନେକ କୃଷକ ସଙ୍ଗଠନ ଏହି ବନ୍ଦର ସମର୍ଥନ ଜଣାଇଛାନ୍ତି ।ନବରଙ୍ଗପୁର ଦେଇ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥର ମୀରଗାନଗୁଡ଼ା ଛକ, ଚଉଁରିଆଗୁଡା ଛକ ଏବଂ ମାଝୀଗୁଡା ଛକଠାରେ ଆନ୍ଦୋଳନ କାରୀମାନେ ରାସ୍ତା ଅବରୋଧ କରିଛନ୍ତି ।ଜାତୀୟ  ରାସ୍ତା ଅବରୋଧ କରିବା ଫଳରେ ଗମନାଗମନ ଠପ୍ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିଗୁଡିକ ଅଟକି ରହିଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ସମସ୍ତ ଔଷଧ ଦୋକାନ ସହ ଜରୁରୀକାଳୀନ ସେବା ଯୋଗାଉଥିବା ପ୍ରତିଷ୍ଠାନ ଗୁଡିକ ଖୋଲା ରହିଛି । କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ବନ୍ଦ କରିବା ଓ ନୂତନ କୃଷି ଆଇନକୁ  ବାତିଲ କରିବା ପାଇଁ ଏହି ବନ୍ଦ ପାଳନ ସମୟରେ  ଆନ୍ଦୋଳନକାରୀମାନେ ଦାବି କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରରେ ପୁଲିସର ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

Comments are closed.