କରତାରପୁର କରିଡର ଉଦ୍‌ଘାଟନ ପାଇଁ ପାକିସ୍ତାନ ଯିବାକୁ ବୈଦେଶିକ ମନ୍ତ୍ରୀଙ୍କ ଅନୁମତି ଲୋଡ଼ିଲେ ସିଧୁ

ନୂଆଦିଲ୍ଲୀ:କରତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବା ଲାଗି ପାକିସ୍ତାନ ଯିବାକୁ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଧୁ ବୈଦେଶିକ ମନ୍ତ୍ରଣାଳୟର ଅନୁମତି ଲୋଡିଛନ୍ତି। ରିପୋର୍ଟ ଅନୁଯାୟୀ ଅନୁମତି ଲାଗି ସିଧୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପତ୍ର ଲେଖିଛନ୍ତି। ପାକିସ୍ତାନ ଗସ୍ତ ଲାଗି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଠାରୁ ମଧ୍ୟ ସିଧୁ ଅନୁମତି ଲୋଡିଛନ୍ତି। ଆସନ୍ତା ୯ ତାରିଖରେ ପାକିସ୍ତାନ ସରକାର କରତାରପୁର କରିଡର ଉଦ୍‌ଘାଟନ କରିବାକୁ ଯାଉଥିବାବେଳେ ଏହି ଉତ୍ସବକୁ ସିଧୁଙ୍କୁ ନିମନ୍ତ୍ରଣ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପକ୍ଷରୁ ସାଂସଦ ଫୈଜଲ ଜାଭେଦ ଖାଁ ଟେଲିଫୋନ କରି ସିଧୁଙ୍କୁ ଏହି ଉତ୍ସବ ଲାଗି ନିମନ୍ତ୍ରଣ କରିଛନ୍ତି। ସିଧୁ ନିମନ୍ତ୍ରଣକୁ ଗ୍ରହଣ କରିବା ସହିତ ଉତ୍ସବରେ ଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପାକିସ୍ତାନର କରତାରପୁର କରିଡର ଉତ୍ସବରେ ଯୋଗ ଦେବାକୁ କଂଗ୍ରେସର ଏକ ପ୍ରତିନିଧି ଦଳ ପାକିସ୍ତାନ ଗସ୍ତ କରିବ। ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ୭ଜଣିଆ ପ୍ରତିନିଧି ଦଳ ପାକିସ୍ତାନ ଯିବ। ଏହି ପ୍ରତିନିଧି ଦଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆରପିଏନ ସିଂହ, ରଣଦୀପ ସୂ​‌ର୍ଯ୍ୟେୱାଲା, ଦୀପେନ୍ଦର ହୁଦା ଓ ଯତୀନ ପ୍ରସାଦ ସାମିଲ ଅଛନ୍ତି। ମନମୋହନଙ୍କୁ ମଧ୍ୟ ଅତିଥି ଭାବେ ପାକିସ୍ତାନ ନିମନ୍ତ୍ରଣ କରିଥିଲା; ମାତ୍ର ସେ ଏହାକୁ ଅଗ୍ରାହ୍ୟ କରିଥିଲେ। ଅତିଥି ପରିବର୍ତ୍ତେ ଶ୍ରଦ୍ଧାଳୁ ଭାବେ ସେ କରତାରପୁର ସାହିବ ଗସ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ଓ ସେଠାରେ ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିବାକୁ ନେଇ ବିବାଦ ଦେଖାଯାଇଥିଲା।

Comments are closed.