ବିଧାୟକଙ୍କୁ ନବୀନ ପଢ଼ାଇଲେ ପାଠ: ୮ ପ୍ରସଙ୍ଗ ଉପରେ ଧ୍ୟାନ ଦେବାକୁ ପରାମର୍ଶ

ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ ହୋଇଛି । ଗୁଣ୍ଡିଚା ଯାତ୍ରା ପରେ ବୁଧବାର ବାହୁଡ଼ା ଯାତ୍ରା ସରିଛି ଓ ୩ ଠାକୁରଙ୍କ ରଥ ସିଂହଦ୍ବାର ସମ୍ମୁଖରେ ପହଞ୍ଚିଛି । କୋବିଦ ସମୟରେ ସୁରୁଖୁରୁରେ ରଥଯାତ୍ରା ଶେଷ ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ବେଶ୍ ଖୁସି । ଏହି ପରିପ୍ରେକ୍ଷୀରେ ଦଳର ସାଙ୍ଗଠନିକ କ୍ଷେତ୍ରରେ ପରିବର୍ତନ ଆଣି ୧୭ ଜଣ ଉପସଭାପତି ଓ ମୁଖ୍ୟାଳୟ ସମ୍ପାଦକଙ୍କୁ ନବୀନ ନିଯୁକ୍ତି ଦେଇଛନ୍ତି । ଏହା ସହ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଦଳର ବିଧାୟକମାନଙ୍କୁ ପଠାଇଛନ୍ତି ପାଠ । ଲୋକଙ୍କ ନିକଟତର ହେବା ଓ କରୋନାକାଳରେ ୮ଟି ପ୍ରମୁଖ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ନିମନ୍ତେ ନବୀନ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ କରୋନା ଯୋଗୁଁ ମାନବ ଜାତି ଏକ ଅଦୃଶ୍ୟ ଶତ୍ରୁ ସହ ଲଢ଼ୁଛି, ଅଭୂତପୂର୍ବ ସଙ୍କଟ ମଧ୍ୟରେ ସମଗ୍ର ମଣିଷ ଜାତି ଗତି କରୁଛି । ମହାପ୍ରଭୁଙ୍କ ଆଶୀର୍ବାଦ, ସାଧାରଣ ଲୋକଙ୍କ ସହଯୋଗ, ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିମାନଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶା ତୁଳନାତ୍ମକ ଭାବରେ ଅନ୍ୟ ରାଜ୍ୟଠାରୁ ଭଲ ସ୍ଥିତିରେ ରହିଛି । ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସୁସ୍ଥ ଅନୁପାତ ଅଧିକ ଓ ମୃତ୍ୟୁ ହାର ଯଥେଷ୍ଟ କମ୍ । ମାତ୍ର ଏତିକିରେ ସନ୍ତୁଷ୍ଟ ହୋଇ ବସିଗଲେ ଚଳିବ ନାହିଁ । ଆପଣମାନେ (ବିଧାୟକମାନେ) ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଧ୍ୟାନ ଦେଇ ଲୋକଙ୍କ ସହ ରହିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦଳର ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତମାନ ସୁଦ୍ଧା ଲକ୍ଡ଼ାଉନ ପରଠାରୁ ପ୍ରାୟ ୭ ଲକ୍ଷ ଲୋକ ଓଡ଼ିଶା ଫେରିଲେରି । ପ୍ରବାସରୁ ଫେରିଥିବା ଲୋକଙ୍କ ଟ୍ରେନ ଭଡ଼ା ବ୍ୟତୀତ ସଙ୍ଗରୋଧ ଶେଷ କରିଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଓଡ଼ିଶାରେ କୋବିଦ ଡ଼ାକ୍ତରଖାନାରେ ରୋଗୀମାନଙ୍କ ପରୀକ୍ଷାନିରୀକ୍ଷା, ଡ଼ାକ୍ତରଖାନାରେ ରହିବା, ଚିକିତ୍ସା ଓ ଔଷଧ ସବୁ ଖର୍ଚ ସରକାର ବହନ କରୁଛନ୍ତି । ମାଗଣାରେ ସେମାନଙ୍କର ଚିକିତ୍ସା କରାଯାଉଛି । ଖାଦ୍ୟ ନିରାପତ୍ତା ଯୋଜନାରେ ଲୋକମାନଙ୍କୁ ଆଗୁଆ ରେସନ ଦିଆଯାଇଛି । ମିଶନ ଶକ୍ତି ଜରିଆରେ ଗରିବ ଓ ଅସୁବିଧାରେ ଥିବା ଲୋକଙ୍କୁ ପ୍ରାୟ ଅଢ଼େଇ କୋଟି ଖାଦ୍ୟ ଥାଳି ପ୍ରଦାନ କରାଯାଇଛି ବୋଲି ନବୀନ ଉଲ୍ଲେଖ କରି ବିଧାୟକମାନେ କୋବିଦ କାଳରେ ନିଜର ଦାୟିତ୍ବ ଓ ପ୍ରତିବଦ୍ଧତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ।

ନବୀନଙ୍କ ୮ ପରାମର୍ଶ 

୧. ଦଳର କର୍ମୀମାନେ ଗାଁରେ ଥିବା କୋବିଦ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ହେବା ଆବଶ୍ୟକ

୨. କରୋନା ବୟସ୍କ ଲୋକଙ୍କ ପାଇଁ ଘାତକ ହୋଇପାରେ; ତେଣୁ ସେମାନଙ୍କର  ଯତ୍ନ ନେବାର ଆବଶ୍ୟକତା

୩.ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ଦିଗରେ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା

୪.ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରି ରକ୍ତଦାନ କାର୍ଯ୍ୟକ୍ରମକୁ ବଜାୟ ରଖିବାର ଆବଶ୍ୟକତା 

୫.ଜୀବନଜୀବିକା ନିମନ୍ତେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବାର ଆବଶ୍ୟକତା

୬.ପ୍ରତି ପଞ୍ଚାୟତରେ କୋବିଦ ଯତ୍ନ ଗୃହ ନିମନ୍ତେ ଦିଆଯାଉଥିବା ଅର୍ଥର ସୁଚାରୁ ବ୍ୟୟ ପରିଚାଳନା 

୭.ଗହଳି ଏଡ଼ାଇ ଲୋକଙ୍କ ସହ ଯୋଡ଼ି ହୋଇ ରହିବା ନିମନ୍ତେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଜନୀୟତା

୮. ଲୋକଙ୍କ ମନରେ କୋବିଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଭୟଭୀତ ନ ହୋଇ ସତର୍କ ରହିବାକୁ ବୁଝାଇବା

 

 

Comments are closed.