ହାତୀ ଆକ୍ରମଣରେ ଭାଙ୍ଗିଲା ଘର, ଶିଶୁକନ୍ୟା ମୃତ, ୩ ଗୁରୁତର

ପାଟଣା: କେନ୍ଦୁଝର ଜିଲା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ସାନ୍ତରାପୁର ମେଣ୍ଢାମୁଣ୍ଡି ସାହିରେ ହାତୀ ଆକ୍ରମଣରେ ଏକ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ମାଆ ଓ ବାପା ସହିତ ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଗ୍ରାମର ଡାକ୍ତର ମୁଣ୍ଡା(୨୫) ପତ୍ନୀ ରଶ୍ମିତା ମୁ(୨୩) ଓ ତାଙ୍କର ଦୁଇ ଶିଶୁ କନ୍ୟା ଖାଇସାରି ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଆସି ତାଙ୍କ ଘରକୁ ଭାଙ୍ଗି ଦେଇଥିଲା।

ଘରର କାନ୍ଥରେ ଚାପି ହୋଇ ରହିଯାଇଥିଲେ ପରିବାରର ସମସ୍ତ ସଦସ୍ୟ। ସ୍ଥାନୀୟ ଲୋକେ ଖବର ପାଇ ସମସ୍ତଙ୍କୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ବନବିଭାଗ ସମସ୍ତଙ୍କୁ ଘଟଗାଁ ଡାକ୍ତରଖାନାରେ ଓ ପରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଏକ ବର୍ଷର ଶିଶୁକନ୍ୟା ମାନସି ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ବଡ଼ ଭଉଣୀ ଓ ରଶ୍ମିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ କ୍ଷତିପୂରଣ ସହ ଗୋଟିଏ ଘର ଦେବାକୁ ସ୍ଥାନୀୟ ଲୋକେ ଦାବି ରଖିଛନ୍ତି।

Comments are closed.