ନବୀନଙ୍କ ଘୋଷଣା – ୩ଟି ମେଡ଼ିକାଲର ଶଯ୍ୟା ବଢିବ, ମୋଟୁକୁ ବସ୍ ଗଡିବ

ଭୁବନେଶ୍ବର: ରାଜ୍ୟରେ ଥିବା ତିନୋଟି ମେଡିକାଲର ଶଯ୍ୟା ବୃଦ୍ଧି କରାଯିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପ୍ରାଥମିକ ସ୍ତରରେ ମାଲକାନଗିରି, କୋରପୁଟ ଓ ନବରଙ୍ଗପୁର ପାଇଁ ଏହି ଘୋଷଣା କରାଯାଇଛି।  ମାଲକାନଗିରି ମେଡ଼ିକାଲ ଶଯ୍ୟା ୨ଶହକୁ ବୃଦ୍ଧି କରିବା ସହ ସେଠାରେ ଅସ୍ଥାୟୀ ରହଣି ଗୃହ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ହୋଇଛି।  ସେହିପରି କୋରାପୁଟ ଶଯ୍ୟା ସଂଖ୍ୟା ୭ଶହକୁ ବୃଦ୍ଧି କରାଯିବ ସହ ୫ଟି ଆମ୍ବୁଲାନ୍ସ  ଓ ୩ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ। ନବରଙ୍ଗପୁର ମେଡ଼ିକାଲ ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବା ସହ ମେଡ଼ିକାଲକୁ ୩ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି ଦିଆଯିବ। ୨୦୦ ଶଯ୍ୟା ବିଶିଷ୍ଟ ନୂଆ ହସ୍ପିଟାଲ କୋଠା ନିର୍ମାଣ କରାଯିବ। ଏହା ଛଡ଼ା ମାଲକାନଗିରିରୁ ମୋଟୁକୁ ଦୈନିକ ବସ୍ ଚଳାଚଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମୋ ସରକାର ଯୋଜନା ଅଧୀନରେ ସଚିବ ସ୍ଥରୀୟ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ହସ୍ପିଟାଲ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବା ପରେ ଏଭଳି ଘୋଷଣା କରାଯାଇଥିବା ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସଚିବମାନେ ୧୫ ଜିଲ୍ଲା ଗସ୍ତକରି ସ୍ଥିତି ଆକଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ୧୨୦ଟି ଟେଲିଫୋନ କଲ୍ କରି ଲୋକମାନଙ୍କ ଠାରୁ ସୁବିଧା ଅସୁବିଧା ବୁଝିଥିବା କହିବା ସହ ସେଥିରୁ ଭଲ ପ୍ରତିକ୍ରିୟା ମିଳିଥିବା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି।

 

Comments are closed.