ପୁରୀର ବିକାଶ ପାଇଁ ୨୬୫ କୋଟି ଟଙ୍କାର ପ୍ରକଳ୍ପ

ସହରର ଭିତ୍ତିଭୂମି ବିକାଶ ଓ ଅବଢ଼ା ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ପୁରୀ ସହରର ବିକାଶ ପାଇଁ ୨୬୫ କୋଟି ଟଙ୍କା ବ୍ୟୟ ହେବ। ସହରର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହାକୁ ଅନୁମୋଦନ ମିଳିଛି।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଧାମକୁ ସାରା ବିଶ୍ବର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି। ସେମାନଙ୍କୁ ପୁରୀ ସହରରେ ଉନ୍ନତମାନର ସେବା ଓ ସୁବିଧା ଯୋଗାଇ ଦେବା ପାଇଁ ଅବଢ଼ା ଯୋଜନାରେ ଏହି ଅର୍ଥରେ ୫ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ କରାଯିବ। ପୁରୀର ପୁରୁଣା ଜେଲ, ଯାତ୍ରିକା ଏବଂ ମ୍ୟୁନିସିପାଲିଟି ମାର୍କେଟର ବିକାଶ କରାଯାଇ ସେଠାରେ ୧୨୫୦ଦୋକାନ ଘର ନିର୍ମାଣ କରାଯିବାକୁ ବୈଠକରେ ସ୍ଥିର ହୋଇଛି।
ପୁରୁଣା ଜେଲ ଏବଂ ଯାତ୍ରିକା ପରିସରରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା କରାଯିବ। ସେଠାରେ ୪୦୦ ଲେଖାଏଁ ମୋଟ ୮୦୦ କାର ପାର୍କିଂ ପାଇଁ ସୁବିଧା ରହିବ। ଏହାଦ୍ବାରା ପୁରୀକୁ ଆସୁଥିବା ଯାତ୍ରୀମାନଙ୍କର ଗାଡ଼ି ପାର୍କିଂ ସମସ୍ୟା ଦୂର ହୋଇ ପାରିବ। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ପୁରୀରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଗୋଟିଏ ଛାତ ତଳେ ରଖାଯିବ। ସମସ୍ତ କାର୍ଯ୍ୟାଳୟ ଗୋଟିଏ ସ୍ଥାନରେ ରହିବା ଫଳରେ ପୁରୁଣା କାର୍ଯ୍ୟାଳୟ ପରିସରଗୁଡ଼ିକୁ ପାର୍କ ଏବଂ ବିଭିନ୍ନ ନାଗରିକ ସେବା କେନ୍ଦ୍ର ଭାବେ ବ୍ୟବହାର କରାଯାଇପାରିବ।
ପୁରୀ ମ୍ୟୁନିସିପାଲିଟ ମାର୍କେଟର ପୁନରୁଦ୍ଧାର କରାଯାଇ ଏହାକୁ ଆଧୁନିକ ମାର୍କେଟ କ​‌େ​‌ମ୍ପ୍ଲକ୍ସରେ ପରିଣତ କରାଯିବ। ଆଚାର୍ଯ୍ୟ ହରିହର ଛକର ରାସ୍ତା ସଂପ୍ରସାରଣ କରାଯିବ। ସେଠାରେ ବିଭିନ୍ନ ନାଗରିକ ସୁବିଧା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯିବ। ଏହି ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧୀନରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ମାଧ୍ୟମରେ କରାଯିବାକୁ ସ୍ଥିର ହୋଇଛି। ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ, ଅର୍ଥ ବିଭାଗର ପ୍ରମୁଖ ସଚିବ, ପୂର୍ତ୍ତ ସଚିବ ଓ ପୁରୀ ଜିଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.