ଦଳୀୟ ପାଣ୍ଠି ପାଇଁ ସହାୟତା ମାଗିଲେ ନବୀନ

0

ଭୁବନେଶ୍ବର : ବିଜୁ ଜନତା ଦଳର ନୂତନ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରି ପ୍ରତି ପଞ୍ଚାୟତ ତଥା ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରୁ ଅତିକମ୍‌ରେ ୨୦୦ ନୂତନ ସଭ୍ୟ ଯେପରି ଦଳରେ ଯୋଗଦାନ କରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ସମସ୍ତ ରାଜ୍ୟସ୍ତରୀୟ କର୍ମକର୍ତ୍ତା, ଜିଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ ସଭାପତି, ବ୍ଲକ ଓ ନଗର ସଭାପତିମାନଙ୍କୁ ପତ୍ର ଲେଖି ଏହା ଜଣାଇଛନ୍ତି। ଆସନ୍ତା ୨୬ ତାରିଖରେ ଦଳର ୨୧ତମ ପ୍ରତିଷ୍ଠା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସୋମବାର ସଭାପତି ଶ୍ରୀ ପଟ୍ଟନାୟକ ଦେଇଥିବା ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁଁ ଦଳୀୟ ସଂଗଠକମାନଙ୍କ ସଦିଚ୍ଛା, ସହଯୋଗ ଓ ସମର୍ଥନରେ ବିଜେଡି ରାଜ୍ୟବାସୀଙ୍କ ସେବା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରିବା ଆଶା କରୁଛି। ଉତ୍ସର୍ଗୀକୃତ ମନୋଭାବ ନେଇ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ। ଦଳୀୟ ଶୃଙ୍ଖଳା, ଏକତା ଓ ରାଜ୍ୟବାସୀଙ୍କ ପାଇଁ ସେବା ମନୋଭାବ ଅନ୍ୟ ସମସ୍ତଙ୍କ ପାଇଁ ଯେପରି ଉଦାହରଣ ହେବ ସେ ନେଇ ସେ ଗୁରୁତ୍ବାରୋପ କରିଛନ୍ତି।
ବିଜୁ ଜନତା ଦଳ ପାଣ୍ଠିକୁ ସହାୟତା ବାବଦରେ ବିଜେଡିର ସମସ୍ତ ସାଂସଦ, ବିଧାୟକ ଅନ୍ୟୂନ ଏକମାସର ଦରମା ଚେକ୍‌ ଆକାରରେ ଦେବା ଲାଗି ସେ କହିଛନ୍ତି। ଏଥିସହିତ ଦଳର ଜିଲା ସଭାପତିମାନେ ପ୍ରତି ଜିଲାରୁ ପାଣ୍ଠି ସଂଗ୍ରହ ଲାଗି ଯେଉଁସବୁ ଶୁଭେଚ୍ଛୁ ଓ ସମର୍ଥକମାନେ ଇଚ୍ଛୁକ, ସେମାନଙ୍କୁ ଚେକ୍‌ ଆକାରରେ କିମ୍ବା ଅନ୍‌ଲାଇନ୍‌ରେ http://www.bjdodisha.org.in/donation ମାଧ୍ୟମରେ ଏହି ସହାୟତା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି। ବିଜୁ ଜନତା ଦଳ ପାଣ୍ଠିକୁ ଦିଆଯାଉଥିବା ସମସ୍ତ ଅର୍ଥ ଆୟକର ଅଧିନିୟମ ୧୯୬୧ର ଧାରା ୮୦ଜିଜିସି ଅନୁଯାୟୀ ଟିକସମୁକ୍ତ ହୋଇଥିବାରୁ ବିଜେଡି ଗ୍ରହଣ କରୁଥିବା ସମସ୍ତ ସହାୟତାକୁ ବିଧିବଦ୍ଧ ଭାବେ ପ୍ରାପ୍ତି ସ୍ୱୀକାର କରାଯାଇ ପ୍ରମାଣ ସ୍ୱରୂପ ଦଳର କୋଷାଧ୍ୟକ୍ଷ ସୁବାସ ସିଂହଙ୍କ ଦ୍ୱାରା ରସିଦ୍‌ ଯୋଗାଇ ଦିଆଯିବ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି।
ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ଆଗାମୀ ଦିନରେ ଓଡ଼ିଶାର ସ୍ବାର୍ଥ, ସ୍ବାଭିମାନ ଓ ବିକାଶ ସହିତ ରାଜ୍ୟବାସୀଙ୍କ ପ୍ରତି ଦଳର ସାମାଜିକ ପ୍ରତିବଦ୍ଧତାର ଉଦାହରଣ ରାଜ୍ୟବାସୀଙ୍କ ସମ୍ମୁଖରେ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ନବୀନ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ରାଜନୀତିର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଜୁବାବୁଙ୍କ ନୀତି, ଆଦର୍ଶକୁ ପାଥେୟ କରି ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ଲାଭ କରିଥିଲା। ସେହିଦିନ ଠାରୁ ଆମେ ପଛକୁ ଫେରି ଚାହିଁନାହୁଁ। ଆପଣମାନଙ୍କ ପ୍ରତିବଦ୍ଧତା, କର୍ତ୍ତବ୍ୟନିଷ୍ଠା, ତ୍ୟାଗ, ଜନସେବା ଓ ପରୋପକାରୀ ମନୋଭାବ ବିଜୁ ଜନତା ଦଳକୁ ଭାରତବର୍ଷର ଏକ ଶ୍ରେଷ୍ଠ ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ କରିପାରିଛି। ଏହା ଗୌରବର ବିଷୟ। ଯେଉଁମାନେ ଦଳକୁ ଏପର୍ଯ୍ୟନ୍ତ ଆଣିଛନ୍ତି ସେମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
ନବୀନ ଲେଖିଛନ୍ତି, ବିଜେଡି ଇତିମଧ୍ୟରେ ବେଶ ଶକ୍ତିଶାଳୀ ହୋଇଛି। ରାଜ୍ୟର ଛାତ୍ର. ଯୁବବର୍ଗ, ମହିଳା, କୃଷକ, ସଂଖ୍ୟାଲଘୁ ଅନୁସୂଚିତ ଜନଜାତି ଓ ଜାତି, ଆଇନଜୀବୀ, ଶ୍ରମିକ ସମସ୍ତଙ୍କ ଭଲ ମନ୍ଦର ସାଥୀ ହେବା ପାଇଁ ବିଜେଡି ସ୍ବତନ୍ତ୍ର ସାମ୍ମୁଖ୍ୟ ଗଠନ କରିଛି। ଓଡ଼ିଶାର ସ୍ବାର୍ଥ, ସ୍ବାଭିମାନ ଓ ବିକାଶ ପାଇଁ ବିଜେଡି ସାଲିସ ବିହୀନ ସଂଗ୍ରାମ ଚଳାଇଛି। ଆପଣମାନେ ନିଜ ଅଞ୍ଚଳର ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। ଲୋକଙ୍କ ସୁଖ ଦୁଃଖରେ ଜଡ଼ିତ ରହିଛନ୍ତି। ଆପଣମାନଙ୍କ ଏଭଳି ସାମାଜିକ ପ୍ରତିବଦ୍ଧତା ଯୋଗୁଁ ବିଜେଡି ରାଜ୍ୟବାସୀଙ୍କ ନିକଟରେ ଗ୍ରହଣୀୟ ହୋଇଛି। ରାଜନୈତିକ ବିଶ୍ବାସରୁ ଊର୍ଦ୍ଧ୍ବରେ ରହି ରାଜ୍ୟବାସୀ ଆମ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ସବୁଦିନ ସେମାନଙ୍କ ଆସ୍ଥାଭାଜନ ହୋଇ ରହିବା ଆମ ରାଜନୀତିର ମୂଳମନ୍ତ୍ର ହେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।
ଦଳ ନିଜର ସାମାଜିକ ପ୍ରତିବଦ୍ଧତାର ନିଦର୍ଶନ ସ୍ବରୂପ ଆରମ୍ଭ କରିଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମହାଦ୍ରୁମରେ ପରିଣତ ହୋଇଛି। ୨୦୧୫ ମାର୍ଚ୍ଚ ୫ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ୩ଲକ୍ଷ ରକ୍ତଦାତା ରକ୍ତଦାନ କରି ଅମୂଲ୍ୟଜୀବନ ରକ୍ଷା କରିଥିବାରୁ ସେମାନଙ୍କୁ ସବୁଦିନେ ମନେରଖିବି। ଏକ ରାଜନୈତିକ ଦଳ ହିସାବରେ, ଏଭଳି ଏକ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମରେ ୩ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହ କରିବାରେ ଆମେ ବୋଧହୁଏ ସମଗ୍ର ଦେଶରେ ଏକମାତ୍ର ଏବଂ ପ୍ରଥମ ରାଜନୈତିକ ଦଳ ।
ଏହା ମୋତେ ସର୍ବାଧିକ ଆତ୍ମସନ୍ତୋଷ ଆଣି ଦେଇଛି ବୋଲି ସେ କହିଛନ୍ତି। ବର୍ଷ ବର୍ଷ ଧରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇ ଆପଣମାନେ ପ୍ରଭାବିତଙ୍କ ଦୁଃଖ ଲାଘବ କରିଛନ୍ତି। ଏସବୁ ଭଲପଣିଆର ସମସ୍ତ ଶ୍ରେୟ ଆପଣମାନଙ୍କର ବୋଲି ସେ ଉଲ୍ଲେଖ କରିଛନ୍ତି।
ରାଜ୍ୟବାସୀଙ୍କ ଭଲ ପାଇବା ଏବେ ଆମ ଦଳର ଶକ୍ତି। ଦଳର ସାରା ରାଜ୍ୟରେ ଏବଂ ରାଜ୍ୟ ବାହାରେ ରହିଥିବା ଅଜସ୍ର ଶୁଭେଚ୍ଛୁ ଏବଂ ସମର୍ଥନ ଆଜି ଏହାର ସାମର୍ଥ୍ୟ। ବିଜୁ ଜନତା ଦଳ ନିଜର ଅସଂଖ୍ୟ ଶୁଭେଚ୍ଛୁ, ସମର୍ଥକ ତଥା ଦଳୀୟ କର୍ମକର୍ତ୍ତା, ପଦାଧିକାରୀ, ନିର୍ବାଚିତ ପ୍ରତିନିଧି ଏବଂ ସଦସ୍ୟମାନଙ୍କ ଆର୍ଥିକ ସହଯୋଗରେ ନିଜର ସ୍ଥିତି ସୁଦୃଢ଼ କରିବା ସହିତ ରାଜ୍ୟବାସୀଙ୍କ ପ୍ରତି ଥିବା ସାମାଜିକ ପ୍ରତିବଦ୍ଧତାକୁ ଆହୁରି ବ୍ୟାପକ କରିବାପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ସେ ନିବେଦନ କରିଛନ୍ତି।

Leave A Reply