ଛାତ୍ରମାନଙ୍କୁ ନବୀନ ପଟ୍ଟ​ନାୟକଙ୍କ ପରାମର୍ଶ: ଅପପ୍ରଚାର ବିରୁଦ୍ଧରେ ସଂଗ୍ରାମ କରନ୍ତୁ, ସତକୁ ଲୋକଙ୍କ ସାମ୍ନାକୁ ଆଣନ୍ତୁ

ଭୁବନେଶ୍ବର: ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ବୈଠକ ବୁଧବାର ଆରମ୍ଭ ହୋଇଯାଇଛି। ବୈଠକରେ ଏକ ବର୍ଷର ରାଜନୈତିକ ଏଜେଣ୍ଡା ପ୍ରସ୍ତୁତ ହୋଇଛି।  ବୈଠକରେ ଅଭିଭାଷଣ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମେ  ସମସ୍ତଙ୍କୁ ସ୍ବାଗତ କରିଥିଲେ। କିଛି ଦିନ ତଳେ ଆମ ଯୁବ ଶାଖାର କାର୍ଯ୍ୟାନିର୍ବାହୀ କମିଟି ବୈଠକ ହୋଇଥିଲା। ସେଥିରେ ମୁଁ ଆମର ସ୍ବତନ୍ତ୍ର ପରିଚୟ ଉପରେ କହିଥିଲି। ଓଡିଆ ଗର୍ବ ଓ ଗୌରବ ଉପରେ କହିଥିଲି ।

ଓଡିଆ ଜାତି ଏକ ମହାନ ଜାତି ଏ ଜାତି ଦିନେ ଗଙ୍ଗା ଠାରୁ ଗୋଦାବରୀ ଜୟ କରିଥିଲା। ଖାରବେଳ ଓ କପିଳେନ୍ଦ୍ର ଦେବଙ୍କ ପରି ମହାନ ସମ୍ରାଟମାନଙ୍କ ରାଜ୍ୟ ହେଉଛି ଆମ ଓଡିଶା। ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ ଯେଉଁଥିରେ ନିଜେ ମହାପ୍ରଭୁ ସାମିଲ ହୋଇଥିଲେ, ଆଜି ମଧ୍ୟ ଆମର ଯୁବ ସମାଜ ମଧ୍ୟରେ ଶକ୍ତି ସଞ୍ଚାର କରୁଛି। ଆମର ବୀର ପାଇକମାନଙ୍କର ସାହସ ଓ ରଣନୀତି ବହୁଦିନ ଧରି ଓଡିଶାକୁ ଅଜୟ କରି ରଖିଥିଲା। ସେବାର ଅବତାର ଉତ୍କଳମଣି ଗୋପବନ୍ଧୁ, ଆମ ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁବାବୁ, ସଂଗ୍ରାମର ପ୍ରତୀକ ବକ୍ସି ଜଗବନ୍ଧୁ ଓ ବୀର ସୁରେନ୍ଦ୍ର ସାଏ – ଓଡିଶାର ଏହି ବରପୁତ୍ରମାନେ ହେଉଛନ୍ତି ଆମ ଆଦର୍ଶ ।

ସେହିପରି ଫକୀର ମୋହନଙ୍କ ସାହିତ୍ୟ ଓଡିଆ ଭାଷାର ମହିମାକୁ ବୃଦ୍ଧି କରିଛି। ମା’ ରମାଦେବୀ, ମାଳତୀ ଚୌଧୁରୀ ଓ ପାର୍ବତୀ ଗିରିଙ୍କ ତ୍ୟାଗ ଓ ସଂଗ୍ରାମ ଓଡିଶାର ନାରୀ ଜାତିକୁ ମହିମା ମଣ୍ଡିତ କରିଛି।

ମାନବ ଜାତି ପାଇଁ ସନ୍ଥ ଭୀମଭୋଇଙ୍କ ବାର୍ତ୍ତା ସାରା ବିଶ୍ବକୁ ମୋହିତ କରିଛି ଛୋଟ ପିଲା ହେଲେ ମଧ୍ୟ ସଂଗ୍ରାମୀ ବାଜି ରାଉତଙ୍କ ସାହସ ଓ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ସେହିପରି ବିଜୁ ବାବୁଙ୍କ ଓଡିଆ ଜାତି ପ୍ରୀତି ତାଙ୍କୁ ଅମର କରି ରଖିଛି। ଏହି ବରପୁତ୍ରମାନେ ସେମାନଙ୍କ କାର୍ୟ୍ୟ ଦ୍ବାରା ଓଡିଆ ଜାତିର ଗୌରବ ବୃଦ୍ଧି କରିଛନ୍ତି। ସେମାନେ ହିଁ ଆମର ଶ୍ରେଷ୍ଠ ପରିଚୟ। ତେଣୁ ଆପଣମାନେ ସେମାନଙ୍କ ବିଷୟରେ ଭଲ ଭାବରେ ଜାଣିବା ଦରକାର। ଓଡିଆ ଜାତି ପାଇଁ, ଓଡିଆ ଭାଷା ପାଇଁ, ଓଡିଆ ସଂସ୍କୃତି ପାଇଁ ସେମାନେ କରିଯାଇଥିବା ମହାନ କାର୍ୟ୍ୟ ହିଁ ଆମର ପ୍ରେରଣା । ସେମାନଙ୍କୁ ଚିହ୍ନିଲେ ହିଁ ଆମେ ଆଗକୁ ବଢିବା। ଆମ ଭାଷା, ସଂସ୍କୃତି ଓ ପରିଚୟର ସୁରକ୍ଷା କରିପାରିବା। ତେଣୁ ଆପଣମାନେ ସ୍ବତନ୍ତ୍ର ପରିଚୟ ବିଷୟରେ ଭଲ ଭାବରେ ଜାଣନ୍ତୁ ଏବଂ ପୀଢି ପରେ ପୀଢି ଏହାର ପ୍ରଚାର କରନ୍ତୁ ।

ଆପଣମାନେ ଜାଣନ୍ତି ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ। ସୋସିଆଲ ମଡିଆର ଯୁଗ। ଏହା ଆଜି ବହୁତ ପ୍ରଭାବଶାଳୀ। ସବୁ କ୍ଷେତ୍ରରେ ଏହାର ପ୍ରଭାବ ବଢୁଛି। କିନ୍ତୁ  ସେସିଆଲ ମିଡିଆରେ ଅପପ୍ରଚାର ବିରୁଦ୍ଧରେ ସଂଗ୍ରାମ କରନ୍ତୁ, ସତକୁ ଲୋକଙ୍କ ସାମ୍ନାକୁ ଆଣନ୍ତୁ। ତେଣୁ ଆପଣମାନଙ୍କୁ ଅପପ୍ରଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ହେବ। ଆମେ ସତର୍କ ନ ରହିଲେ ଏହା ଆମ ସମାଜକୁ, ଆମର ସ୍ବତନ୍ତ୍ର ପରିଚୟକୁ ନଷ୍ଟ କରିଦେବ। ଅପପ୍ରଚାର ଦୂର କରି ସତକୁ ଲୋକଙ୍କ ପାଖରେ ପହଞ୍ଚାଇବା ଆପଣମାନଙ୍କର ଦାୟିତ୍ବ। ଆପଣମାନେ ହେଉଛନ୍ତି ଏ ଜାତିର ଭବିଷ୍ୟତ ଆପଣମାନେ ହିଁ ଓଡିଆ ଗୌରକୁ ଆଗକୁ ନେଇପାରିବେ।

ଏଥିସହ ଛାତ୍ରମାନଙ୍କୁ ୩ଟି କଥା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଆପଣଙ୍କ ଭିତରେ ଥିବା ପ୍ରତିଭାର ପୁରା ବିକାଶ ପାଇଁ କଠିନ ପରିଶ୍ରମ କରନ୍ତୁ। ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ। ନିଜ ପରିବାର ଓ ବାପା ମା’ଙ୍କ ପ୍ରତି ଥିବା ଆପଣଙ୍କ ଦାୟିତ୍ବକୁ କେବେ ବି ଭୁଲନ୍ତୁ ନାହିଁ। ଆମ ସମାଜ ଆମେ ଯେଉଁଠାରେ ବଢିଛେ, ପଢିଛେ ଓ ନିଜକୁ ଗଢିଛେ; ତାର ବିକାଶ ପାଇଁ ନିଜ ପ୍ରତିଭାର ପୁରା ଉପଯୋଗ କରନ୍ତୁ ।

 

 

Comments are closed.